ମୁମ୍ବାଇ : ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରାଙ୍କ ଅନୁପସ୍ଥିତି ମୁମ୍ବାଇ ଇଣ୍ଡିଆନ୍ସକୁ ଚିନ୍ତାରେ ପକାଇଛି। ଆହତ ଯୋଗୁଁ ସେ ଆଇପିଏଲ୍ ଖେଳୁନଥିବାରୁ ତାଙ୍କ ସ୍ଥାନରେ କିଏ ବୋଲିଂ କ୍ରମର ନେତୃତ୍ବ ନେବ ତାହା ସ୍ଥିର ହୋଇପାରୁନି। ତଥାପି ଖୁବ୍ ଶୀଘ୍ର ବୁମ୍ରାଙ୍କ ବଦଳ ଖେଳାଳି ବିଷୟରେ ଘୋଷଣା କରାଯିବ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ପିଠିରେ ଆଘାତ ଲାଗିବା ପରେ ଅସ୍ତ୍ରୋପଚାର ହେଉଥିବାରୁ ବୁମ୍ରା ୧୦ ବର୍ଷ ପରେ ପ୍ରଥମ ଥର ପାଇଁ ଆଇପିଏଲ୍ ଖେଳିବେନି।
ଏକ ସମ୍ବାଦିକ ସମ୍ମିଳନୀରେ ରୋହିତ କହିଛନ୍ତି ଯେ ବୁମ୍ରାଙ୍କ ସ୍ଥାନ ପୂରଣ କରିବାକୁ କିଏ ଉପଯୁକ୍ତ ସେନେଇ ନିୟମିତ ଆଲୋଚନା କରାଯାଉଛି। ଦଳରେ ବୁମ୍ରାଙ୍କ ବଡ଼ ଦାୟିତ୍ବ ରହୁଥିଲା। ତେବେ ତାଙ୍କ ଅନୁପସ୍ଥିତିରେ କିଛି ଯୁବ ତାରକା ଖେଳିବାକୁ ସୁଯୋଗ ପାଇବେ। କେତେକ ଯୁବ ଖେଳାଳି ଦଳ ସହିତ ଗତ କିଛି ବର୍ଷ ଧରି ରହିଆସିଛନ୍ତି, ସେମାନଙ୍କ ମଧ୍ୟରୁ କେହି ବୋଲିଂ କ୍ରମର ନେତୃତ୍ବ ନେଇପାରନ୍ତି।
ବୁମ୍ରା ଓ ଝେ ରିଚାର୍ଡସନ୍ଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲିଂ ସାମାନ୍ୟ ଦୁର୍ବଳ ଲାଗୁଥିଲେ ବି ଇଂଲଣ୍ଡ ବୋଲର ଜୋଫ୍ରା ଆର୍ଚର ଉପଲବ୍ଧ ଥିବାରୁ ତାହା ରୋହିତଙ୍କୁ ଉଲ୍ଲସିତ କରିଛି। ଜୋଫ୍ରା ସବୁବେଳେ ଦଳର ଅଂଶ ହୋଇ ରହିଛନ୍ତି। ଗତବର୍ଷ ସେ ଆହତ ଥିଲେ। କିନ୍ତୁ ତାଙ୍କ ପାଖରେ ଯେଉଁ ଦକ୍ଷତା ଅଛି, ତାହା ସମସ୍ତେ ଜାଣିଛନ୍ତି। ଏଥର ବୁମ୍ରା ନଥିଲେ ବି ଆଉ କେହି ଜଣେ ତାଙ୍କ ସ୍ଥାନ ପୂରଣ କରିବେ। ତେଣୁ ଜୋଫ୍ରାଙ୍କ ପାଖରେ ବି ଭଲ ସୁଯୋଗ ରହିଥିବା ରୋହିତ କହିଛନ୍ତି। ସେହିପରି ବୁମ୍ରାଙ୍କ ଅନୁପସ୍ଥିତିରେ ଜୋଫ୍ରା ଓ ଯୁବ ବୋଲରମାନେ ଶୂନ୍ୟସ୍ଥାନ ପୂରଣ କରିପାରିବେ ବୋଲି ମୁଖ୍ୟ ପ୍ରଶିକ୍ଷକ ମାର୍କ ବାଉଚର କହିଛନ୍ତି। ଯୁବ ବୋଲରଙ୍କ ମଧ୍ୟରେ ବାମହାତୀ ଦ୍ରୁତ ବୋଲର ଅର୍ଜୁନ ତେନ୍ଦୁଲକର ଆଇପିଏଲ୍ରେ ଖେଳିବାକୁ ଅପେକ୍ଷା କରିଛନ୍ତି। ସେ ଆହତ ଥିବାରୁ ଅଭ୍ୟାସ ଆରମ୍ଭ କରିବାରେ ବିଳମ୍ବ କରିଛନ୍ତି। ତଥାପି ଗତ କିଛି ଦିନ ଧରି ସେ ଭଲ କ୍ରିକେଟ୍ ଖେଳିଆସିଛନ୍ତି। ତେଣୁ ତାଙ୍କୁ ଚଳିତ ସଂସ୍କରଣରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ ବୋଲି ବାଉଚର ସଙ୍କେତ ଦେଇଛନ୍ତି। ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏପ୍ରିଲ୍ ୨ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।
ଅନ୍ୟପକ୍ଷରେ ରୋହିତଙ୍କ ଉପରେ ରହୁଥିବା ଚାପକୁ ନେଇ ବାଉଚର ନମନୀୟତା ଦେଖାଇଛନ୍ତି। ତାଙ୍କ ମତରେ, ରୋହିତ ନିକଟରେ ଭାରତୀୟ ଦଳର ନେତୃତ୍ବ ନେଇ ଫେରିଛନ୍ତି। ଆଗକୁ ଦିନିକିଆ ବିଶ୍ବକପ୍ରେ ବି ଭାରତର ନେତୃତ୍ବ ନେବେ। ତେଣୁ ଆଇପିଏଲ୍ରେ ତାଙ୍କ ଉପରେ ଯେପରି ଅଧିକ ଚାପ ନପଡ଼େ ସେଥିପ୍ରତି ଦୃଷ୍ଟି ଦିଆଯିବ। ଯଦି ଲିଗ୍ ମ୍ୟାଚ୍ ସମୟରେ ରୋହିତ ବିଶ୍ରାମ ନେବାକୁ ଚାହିଁବେ, ତାହେଲେ ତାଙ୍କୁ ବିଶ୍ରାମ ଦିଆଯିବ। କିନ୍ତୁ ସେ ଦଳର ଅଧିନାୟକ ହୋଇଥିବାରୁ ନିଷ୍ପତ୍ତି ତାଙ୍କ ଉପରେ ଛାଡ଼ିଦିଆଯାଇଛି ବୋଲି ବାଉଚର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ରୋହିତ ଗତ ସଂସ୍କରଣରେ ୧୪ ମ୍ୟାଚ୍ରୁ ୧୯.୧୪ ହାରରେ ୨୬୮ ରନ୍ କରିଥିଲେ। ତାଙ୍କ ବ୍ୟାଟ୍ରୁ ଗୋଟିଏ ବି ଅର୍ଦ୍ଧଶତକ ବାହାରିନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/bumrah.jpg)