ମୁମ୍ବାଇ : ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଖୁବ୍‌ ଶୀଘ୍ର ବୋଲିଂ ଆକ୍ସନ୍‌କୁ ଫେରିବେ। ଯଦି ସବୁକିଛି ଠିକ୍‌ଠାକ୍‌ ଚାଲେ ତାହେଲେ ଅଗଷ୍ଟରେ ଆୟର୍ଲାଣ୍ଡ ବିପକ୍ଷ ଶୃଙ୍ଖଳା ବେଳେ ସେ ଆନ୍ତର୍ଜାତିକ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା ହୋଇନାହିଁ। କିନ୍ତୁ ବୁମ୍‌ରାଙ୍କୁ ଏହି ଶୃଙ୍ଖଳା ପାଇଁ ତରବରିଆ ଭାବେ ନଆଣିବାକୁ ଚୟନ ସମିତି ଚାହୁଁଛି। ତେଣୁ ଅଗଷ୍ଟ ୧୮ ରୁ ୨୩ ତାରିଖ ମଧ୍ୟରେ ଆ‌ୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଶୃଙ୍ଖଳାରେ ବୁମ୍‌ରାଙ୍କୁ ଭାରତୀୟ ଦଳକୁ ଫେରାଇ ଆଣିବା ପାଇଁ ବିସିସିଆଇ ଓ ଦଳୀୟ ପରିଚାଳନା ସଦସ୍ୟମାନେ ଚିନ୍ତା କରୁଛନ୍ତି।

Advertisment

ସେପ୍ଟେମ୍ବରର ଏସିଆ କପ୍‌ ସୁଦ୍ଧା ତାଙ୍କୁ ମ୍ୟାଚ୍‌ ଖେଳିବା ସୁଯୋଗ ଦିଆଯାଇ ଦିନିକିଆ ବିଶ୍ବକପ୍‌ ବେଳକୁ ସଂପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ବୋର୍ଡ ଚାହୁଁଛି। ୫୦ ଓଭର ମ୍ୟାଚ୍‌ରେ ତାଙ୍କୁ ସିଧାସଳଖ ବ୍ୟବହାର କରାନଯାଇ, ପ୍ରଥମରୁ ଟ୍ବେଣ୍ଟି-୨୦ରେ ଖେଳାଯାଇ ନଜର ରଖାଯିବ। ବୁମ୍‌ରା ଗତବର୍ଷ ସେପ୍ଟେମ୍ବରରୁ ଆଉ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିନାହାନ୍ତି। ପିଠିରେ ଯନ୍ତ୍ରଣା ହେବା ପରେ ଅସ୍ତ୍ରୋପଚାର କରାଯାଇଥିଲା। ବର୍ତ୍ତମାନ ଏନ୍‌ସିଏରେ ତାଙ୍କର ପୁନଃଥଇଥାନ ପ୍ରକ୍ରିୟା ଜାରି ରହିଛି। ଆୟର୍ଲାଣ୍ଡ ବିପକ୍ଷରେ ଖେଳିବାକୁ ଆହୁରି ୨ ମାସ ସମୟ ଥିବାରୁ ସେତେବେଳକୁ ଶତପ୍ରତିଶତ ଫିଟ୍‌ ହୋଇଯିବେ ବୋଲି ତାଙ୍କୁ ପୁନଃଥଇଥାନ କରୁଥିବା କର୍ମଚାରୀମାନେ ଆଶାବ୍ୟକ୍ତ କରିଛନ୍ତି। ଆନ୍ତର୍ଜାତିକ ମ୍ୟାଚ୍‌କୁ ଓହ୍ଲାଇବା ପୂର୍ବରୁ ବୁମ୍‌ରା ଏନ୍‌ସିଏରେ କିଛି ଅଭ୍ୟାସ ମ୍ୟାଚ୍‌ ଖେଳିବେ। ସେଠାରେ ସେ କାର୍ଯ୍ୟଭାରକୁ କିପରି ପରିଚାଳନା କରିପାରୁଛନ୍ତି, ତାହା ଉପରେ ନଜର ରଖାଯିବ।