ଦୁଇ ଦିନ ପୂର୍ବରୁ ରାଖୀ ପାଳିଲେ ବୁମ୍‌ରା

ଅହମ୍ମଦାବାଦ୍: ଦେଶ ମାତୃକାର ସେବା ପାଇଁ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆଗୁଆ ରାଖୀ ପାଳନ କରିଛନ୍ତି। ଏହା କରି ସେ ସବୁ ଉଦୀୟମାନ କ୍ରିକେଟରଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ରାଖୀ ପୂର୍ଣ୍ଣିମା ବେଳକୁ ସେ ୱେଷ୍ଟଇଣ୍ଡିଜ୍‌ରେ ଥିବେ। ସେଥିପାଇଁ ଭଉଣୀ ଜୁହିକା ଦୁଇ ଦିନ ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ତାଙ୍କୁ ରଖି ପିନ୍ଧାଇ ଦେଇଛନ୍ତି। ଯାହାର ଫଟୋ ବୁମ୍‌ରା ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି। ବିଶ୍ବକପ୍ ପରେ ବୁମରାଙ୍କୁ ଭାରତୀୟ ସୀମିତ ଓଭର ଦଳରୁ ବିଶ୍ରାମ ଦିଆଯାଇଥିଲା। ହେଲେ ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଟେ‌ଷ୍ଟ ଶୃଙ୍ଖଳା ଲାଗତ ଭାରତୀୟ ଦଳରେ ସେ ଅଛନ୍ତି। ଏହି ପ୍ରତୀକ୍ଷିତ ଶୃଙ୍ଖଳା ପୂର୍ବରୁ କିନ୍ତୁ ଭାରତ ଆଣ୍ଟିଗୁଆଠାରେ ୱେଷ୍ଟଇଣ୍ଡିଜ୍ ବୋଡର୍ ସଭାପତି ଏକାଦଶ ବିପକ୍ଷରେ ୧୭ରୁ ୧୯ ପର୍ଯ୍ୟନ୍ତ ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ। ସେଥିଲାଗି ବୁମ୍‌ରା

ଆସନ୍ତାକାଲି ଇଣ୍ଡିଜ୍ ଅଭିମୁଖେ ଯାତ୍ରା କରିବେ। ହେଲେ ସେ ନିଜ ଭଉଣୀ ହାତରୁ ରାଖୀ ପିନ୍ଧିବାର ଖୁସୀରୁ ବଞ୍ଚିତ ହେବାକୁ ଚାହୁଁ ନଥିଲେ। ସେଥିପାଇଁ ଜୁହିକାଙ୍କୁ ଅନୁରୋଧ କରି ଆଗୁଆ ତାଙ୍କ ହାତରୁ ରାଖୀ ପିନ୍ଧି ନେଇଥିଲେ। ୨୫ ବର୍ଷୀୟ ବୁମ୍‌ରା ପ୍ରକାଶ କରିଥିବା ଫଟୋ ତଳେ ଲେଖିଥିଲେ ଯେ ଭାରତୀୟ କ୍ରିକେଟ୍ ଦଳର କର୍ତ୍ତବ୍ୟ ପାଇଁ ମୁଁ ରଖୀ ପୂର୍ଣ୍ଣିମାରେ ଘରେ ନଥିବି। ହେଲେ ତୁମ ସହ ରଖୀ ପୂର୍ଣ୍ଣିମା ପାଳନ କରିବା ଖୁସିରୁ ମୁଁ ବଞ୍ଚିତ ହେବାକୁ ଚାହୁଁନାହିଁ ଜୁହିକା। ମୋ ସହ ସବୁ ବେଳେ ଥିବାରୁ ତୁମକୁ ଅଶେଷ ଅଶେଷ ଧନ୍ୟବାଦ। ବୁମ୍‌ରା ମାତ୍ର ୧୦ ଟେଷ୍ଟ୍‌ ଖେଳି ୪୦ ୱିକେଟ୍ କରାୟତ କରିଛନ୍ତି। ସେ ମଧ୍ୟ ଏକଦିବସୀୟ କ୍ରିକେଟ୍‌ର ଏକ ନମ୍ବର ବୋଲର।

ସମ୍ବନ୍ଧିତ ଖବର