ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା, ଭେଟେରାନ୍ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଏବଂ ଯୁବ ଓପନର୍ ଯଶସ୍ବୀ ଜୟସ୍ବାଲ ଶୁକ୍ରବାର ପ୍ରକାଶିତ ୨୦୨୪ ବର୍ଷ ଲାଗି ଆଇସିସି ଟେଷ୍ଟ୍ ଦଳରେ ସ୍ଥାନ ପାଇଛନ୍ତି। ଗତ ବର୍ଷର ସର୍ବାଧିକ ୱିକେଟ୍ ହାସଲକାରୀ ବୁମ୍ରା ୧୪.୯୨ ହାରରେ ୭୧ ୱିକେଟ୍ ଦଖଲ କରିଥିଲେ। ଜାଡ଼େଜା ୨୯.୨୭ ହାରରେ ୫୨୭ ରନ୍ କରିବା ସହ ୨୪.୨୯ ହାରରେ ୪୮ ୱିକେଟ୍ ନେଇଥିଲେ। ଜୟସ୍ବାଲ ୫୪.୭୪ ହାରରେ ୧୪୭୮ ରନ୍ କରି ଇଂଲଣ୍ଡର ଜୋ ରୁଟ୍ (୧୫୫୬ ରନ୍, ୫୫.୫୭ ହାର)ଙ୍କ ପଛକୁ ଦ୍ବିତୀୟରେ ରହିଥିଲେ। ଏହି ଦଳର ନେତୃତ୍ବଭାର ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସଙ୍କୁ ମିଳିଛି। ଅଷ୍ଟ୍ରେଲିଆରୁ ସେ ଏକା ହିଁ ଅଛନ୍ତି। ଏଥିରେ ଇଂଲଣ୍ଡରୁ ସର୍ବାଧିକ ୪ ଜଣ ବେନ୍ ଡକେଟ୍, ଜୋ ରୁଟ୍, ହାରି ବ୍ରୁକ୍, ଜାମି ସ୍ମିଥ୍ ଥିଲା ବେଳେ ନ୍ୟୁଜିଲାଣ୍ଡର ଦୁଇ ଜଣ କେନ୍ ୱିଲୟମସନ୍ ଓ ମ୍ୟାଟ୍ ହେନରି ଏବଂ ଶ୍ରୀଲଙ୍କର କାମିନ୍ଦୁ ମେଣ୍ଡିସ୍ ରହିଛନ୍ତି। ତେବେ ପାକିସ୍ତାନ, ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକାରୁ କୌଣସି ଖେଳାଳି ଏହି ଆଇସିସି ଟେଷ୍ଟ୍ ଏକାଦଶରେ ନାହାନ୍ତି। ୨୦୨୪ର ଆଇସିସି ପୁରୁଷ ଦିନିକିଆ ଦଳ: ପ୍ୟାଟ୍ କମିନ୍ସ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ବେନ୍ ଡକେଟ୍, କେନ୍ ୱିଲିୟମସନ୍, ଜୋ ରୁଟ୍, ହାରି ବ୍ରୁକ୍, କାମିନ୍ଦୁ ମେଣ୍ଡିସ୍, ଜାମି ସ୍ମିଥ୍, ରବୀନ୍ଦ୍ର ଜାଡ଼େଜା, ମାଟ୍ ହେନରି, ଯଶପ୍ରୀତ୍ ବୁମ୍ରା।
ଦିନିକିଆରେ ଭାରତୀୟ ପୁରୁଷ ନାହାନ୍ତି: ମହିଳାରେ ସ୍ମୃତି, ଦୀପ୍ତି
୨୦୨୪ ବର୍ଷ ଲାଗି ଆଇସିସି ଦିନିକିଆ ଦଳ ମଧ୍ୟ ଘୋଷିତ ହୋଇଛି। ପୁରୁଷ ଦଳରେ କୌଣସି ଭାରତୀୟଙ୍କୁ ସ୍ଥାନ ମିଳିନି। ହେଲେ ମହିଳାରେ ଦୁଇ ଜଣ ଭାରତୀୟ ସ୍ମୃତି ମନ୍ଧାନା ଓ ଦୀପ୍ତି ଶର୍ମା ରହିଛନ୍ତି। ଗତ ବର୍ଷ ଦିନିକିଆରେ ମନ୍ଧାନା ୧୩ ମ୍ୟାଚ୍ ଖେଳି ୭୪୭ ରନ୍ କରିଥିଲେ। ଗତ ବର୍ଷର ସର୍ବାଧିକ ରନ୍ ହାସଲକାରୀ ଏହି ଭାରତୀୟ ବ୍ୟାଟର୍ ବର୍ଷର ଶ୍ରେଷ୍ଠ ଆଇସିସି ମହିଳା ଦିନିକିଆ କ୍ରିକେଟର୍ ହେବାର ଗୌରବ ଅର୍ଜନ କରିଥିଲେ। ଅଲ୍ରାଉଣ୍ଡର ଦୀପ୍ତି ଗତ ଋତୁରେ ୧୩ ମ୍ୟାଚ୍ ଖେଳି ୧୮୬ ରନ୍ କରିବା ସହ ୨୪ ୱିକେଟ୍ ଅକ୍ତିଆର କରିଥିଲେ। ଏମାନଙ୍କ ବାଦ୍ ମହିଳା ଦିନିକିଆ ଏକାଦଶରେ ଇଂଲଣ୍ଡରୁ ୩, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରୁ ୨ ଲେଖାଏଁ ଏବଂ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ରୁ ଜଣେ ଲେଖାଏଁ ରହିଛନ୍ତି। ଦଳର ନେତୃତ୍ବଭାର ଦକ୍ଷିଣ ଆଫ୍ରିକାର ଲୌରା ଓଲ୍ଭାର୍ଟଙ୍କୁ ମିଳିଛି। ୨୦୨୪ର ଆଇସିସି ମହିଳା ଦିନିକିଆ ଦଳ: ସ୍ମୃତି ମନ୍ଧାନା, ଲୌରା ଓଲ୍ଭାର୍ଟ (ଅଧିନାୟକ), ଚାମାରି ଆଟାପାଟୁ, ହେଲେ ମାଥ୍ୟୁସ, ମାରିଜାନେ କାପ୍, ଆସ୍ଲେ ଗାର୍ଡନର, ଅନ୍ନାବେଲ ସଦରଲାଣ୍ଡ, ଆମି ଜୋନ୍ସ, ଦୀପ୍ତି ଶର୍ମା, ସୋଫି ଏକ୍ଲେଷ୍ଟୋନ୍, କେଟ୍ କ୍ରସ୍।
୨୦୨୪ର ଆଇସିସି ପୁରୁଷ ଦିନିକିଆ ଦଳ: ଚରିତ ଆସଲଙ୍କା (ଅଧିନାୟକ), ସୈମ ଆୟୁବ, ରହମନୁଲ୍ଲା ଗୁର୍ବାଜ, ପଥୁମ ନିଶଙ୍କ, କୁଶାଲ ମେଣ୍ଡିସ୍, ସେର୍ଫାନେ ରଦରଫୋର୍ଡ, ଅଜମତୁଲ୍ଲା ଓମାରଜାଇ, ୱାନିନ୍ଦୁ ହସରଙ୍ଗା, ସାହିନ୍ ଶାହ ଆଫ୍ରିଦି, ହାରିସ୍ ରଫ୍, ଏଏମ୍ ଘଜାନଫର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/18-icc-logo-dna-india.jpg)