ଲର୍ଡସ: ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋରି ବର୍ଣ୍ଣସଙ୍କ ଦାୟିତ୍ବପୂର୍ଣ୍ଣ ଶତକ (୧୩୨) ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଏକପ୍ରକାର ବଞ୍ଚାଇ ଦେଇଛି। ଲର୍ଡସରେ ଚାଲିଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳିରେ ୩୭୮ ରନ୍‌ କରିଥିଲେ ମଧ୍ୟ ଘରୋଇ ‌ଜୋ ରୁଟଙ୍କ ଦଳ ଚତୁର୍ଥ ଦିନ ଚା’ପାନ ବିରତି ବେଳକୁ ୨୭୫ ରନ୍‌ରେ ଅଟକିଯାଇଛି। ଗୋଟିଏ ପାର୍ଶ୍ବରେ ୱିକେଟ୍‌ ପତନ ଧାରା ଜାରି ରହିଥିବା ବେଳେ ୩୦ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ବର୍ଣ୍ଣସ ଇଂଲଣ୍ଡକୁ ଆସନ୍ନ ବିପଦରୁ ବାହାର କରିଛନ୍ତି। ସେ ୨୬୭ ବଲ୍‌ ଖେଳି ନିଜ ତୃତୀୟ ଟେଷ୍ଟ୍ ଶତକ ପୂର୍ଣ୍ଣ କରିଥିଲେ। ଏକଦା ଫଲୋଅନ୍ ଆଶଙ୍କା ଭିତରେ ଥିବା ଇଂଲଣ୍ଡ ପ୍ରଥମ ପାଳିରେ ୧୦୩ ପଛୁଆ ରହିଛି।

Advertisment

ପୂର୍ବରୁ ତୃତୀୟ ଦିନର ଖେଳ ସମ୍ପୂର୍ଣ୍ଣ ବର୍ଷା ଧୋଇନେଇଥିବା ବ‌େଳେ ଇଂଲଣ୍ଡ ଶନିବାର ଅସମାପ୍ତ ପାଳି ୧୧୧/୨ରୁ ଖେଳିଥିଲା। ଦିନର ପ୍ରଥମ ବଲ୍‌ରେ ଜୋ ରୁଟଙ୍କୁ କାଇଲ୍ ଜାମିସନ୍ ଆଉଟ୍ କରିଥିଲେ। ଏହା ପରେ ବର୍ଣ୍ଣସ ଏବଂ ଓଲି ପୋପ୍‌ (୨୨, ୩୨ ବଲ୍‌) ଇଂଲଣ୍ଡ ପାଳିକୁ ସଜାଡି ଆସୁଥିଲେ। କିନ୍ତୁ ଦଳୀୟ ସ୍କୋର୍‌ ୧୪୦ରେ ଘରୋଇ ଦଳ ୩ ୱିକେଟ୍ (ପୋପ୍‌, ଲରେନ୍ସ, ବ୍ରେସି) ହରାଇ ପୁଣି ସଙ୍କଟ (୧୪୦/୬) ଭିତରେ ପଡ଼ିଥିଲା। ବର୍ଣ୍ଣସ କିନ୍ତୁ ଓଲି ରବିନସନ୍ (୪୨, ୧୦୧ ବଲ)ଙ୍କୁ ସାଥୀ କରି ୬୩ ରନ୍‌ ଯୋଡ଼ିବାରୁ ଇଂଲଣ୍ଡ ଫଲୋଅନ୍ ଏଡ଼ାଇବା ସହ ସମୟ ବରବାଦ କରି ସୁରକ୍ଷିତ ଆଡକୁ ଯିବାର ବାଟ ଖୋଲିଥିଲା। ଶେଷ ଦୁଇ ବ୍ୟାଟ୍ସମ୍ୟାନଙ୍କୁ ନେଇ ସେ ମଧ୍ୟ ଦୁଇଟି ଭଲ ଭାଗୀଦାରି (୬୮ ରନ୍) କରିବାରୁ ନ୍ୟୁଜିଲାଣ୍ଡ୍ ଅଗ୍ରଣୀ ୧୦୩ ରନ୍‌ରେ ସୀମିତ ରହିଥିଲା। ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍ ପକ୍ଷରୁ ଟିମ୍ ସାଉଦି (୬/୪୩) ନିଜ ଦ୍ବାଦଶ ୫ ୱିକେଟ୍ ସଫଳତା ପାଇଥିଲେ। ସେ ମଧ୍ୟ ବର୍ଣ୍ଣସ (୧୩୨, ୨୯୭ ବଲ୍‌, ୧୬ ଚୌକା, ୧ ଛକା)ଙ୍କୁ ଆଉଟ୍ କରି ଇଂଲଣ୍ଡ ପ୍ରଥମ ପାଳିକୁ ଶେଷ କରିଥିଲେ।

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ପ୍ରଥମ ପାଳି: ୩୭। ଇଂଲଣ୍ଡ ପ୍ରଥମ ପାଳି: ୧୦୧.୧ ଓଭରରେ ୨୭୫ (ରୋରି ବର୍ଣ୍ଣସ-୧୩୨, ଜୋ ରୁଟ୍‌-୪୨, ଓଲି ରବିନସନ୍-୪୨, ଟିମ୍ ସାଉଦି-୬/୪୩, କାଇଲ୍ ଜାମିସନ୍-୩/୮୫।