କୋଲ୍କାତା : ଗୁରୁବାର ଏଠାରେ ଖେଳାଯାଇଥିବା କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ବେଳେ ଆଇପିଏଲ୍ ଆଚରଣ ବିଧି ଉଲଂଘନ ଅଭିଯୋଗରେ ରାଜସ୍ଥାନ ରୟାଲ୍ସର ଇଂଲିସ ବ୍ୟାଟର୍ ଜୋସ୍ ବଟଲର୍ ଦଣ୍ଡିତ ହୋଇଛନ୍ତି। ତାଙ୍କୁ ମ୍ୟାଚ୍ ଫି’ର ୧୦ ପ୍ରତିଶତ ଜରିମାନା ଦଣ୍ଡ ମିଳିଛି।
ରାଜସ୍ଥାନ ବ୍ୟାଟିଂ ପାଳି ବେଳେ ଯଶସ୍ବୀ ଜୟସ୍ବାଲଙ୍କ ସହ ଭୁଲ୍ ବୁଝାମଣା ଯୋଗୁଁ ବଟଲର୍ ରନ୍ ଆଉଟ୍ ହୋଇଥିଲେ। ଏପରିକି ସେ ଜୟସ୍ବାଲଙ୍କ ପାଇଁ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ରନ୍ ଆଉଟ୍ ନେଇ ସେ ସ୍ପଷ୍ଟ ନଥିଲା ବେଳେ ଅମ୍ପାୟାରଙ୍କ ଆଉଟ୍ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକଟ କରିଥିଲେ। ଯାହାକି ସେ ପାଭିଲିୟନ୍ ଫେରିଲା ବେଳେ ବ୍ୟାଟ୍କୁ ଗ୍ରାଉଣ୍ଡରେ ପିଟିବା ଘଟଣାରୁ ପ୍ରତୀୟମାନ ହୋଇଥିଲା। ତେଣୁ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବାର ଅପରାଧ ପାଇଁ ତାଙ୍କ ଉପରେ ଏହି ଜରିମାନା ଲଦି ଦିଆଯାଇଛି। ସେ ମଧ୍ୟ ପରେ ନିଜର ଅପରାଧକୁ ସ୍ବୀକାର କରିନେଇଥିଲେ।