ବିଡବ୍ଲୁଏଫ୍‌ ବିଶ୍ବ ଚାମ୍ପିଅନ୍‌ସିପ୍‌: ଲକ୍ଷ୍ୟଙ୍କୁ ବିଦାକଲେ ପ୍ରଣୟ; ସାଇନା ବି ହାରିଲେ

ଅର୍ଜୁନ-କପିଳା, ଚିରାଗ-ସା‌ତ୍ତ୍ବିକ୍‌ ବି କ୍ବାର୍ଟର ଫାଇନାଲ୍‌ରେ

ଟୋକିଓ: ଏଠା‌ରେ ଚାଲିଥିବା ବିଡବ୍ଲୁଏଫ୍‌ ବିଶ୍ବ ଚାମ୍ପିଅନ୍‌ସିପ୍‌ର ପୁରୁଷ ଏକକ ବର୍ଗରେ ଦୁଇ ଭାରତୀୟ ତାରକାଙ୍କ ପ୍ରିକ୍ବାର୍ଟର ଫାଇନାଲ୍‌ ଲଢ଼େଇରେ ବାଜି ମାରିନେଲେ ଏଚ୍‌ଏସ୍‌ ପ୍ରଣୟ। ପ୍ରାୟ ୧ ଘଣ୍ଟା ୧୫ ମିନିଟ୍‌ ଧରି ଚାଲିଥିବା ଏହି ମୁକାବିଲାରେ ପ୍ରଥମ ଗେମ୍‌କୁ ହାରିବା ପରେ ଚମତ୍କାର ପ୍ରତ୍ୟାବର୍ତନ କରି ପ୍ରଣୟ ୧୭-୨୧, ୨୧-୧୬ ଓ ୨୧-୧୭ରେ ନିଜ ଦେଶର ତଥା ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଲକ୍ଷ୍ୟ ସେନ୍‌ଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିନେଲେ। ଉଭୟ ଲକ୍ଷ୍ୟ ଓ ପ୍ରଣୟଙ୍କ ମଧ୍ୟରେ ଚଳିତ ବର୍ଷର ଏହା ଥିଲା ଚତୁର୍ଥ ମୁକାବିଲା। ଗୁରୁବାର ଏଠାରେ ଜିତିବା ପରେ ପରସ୍ପର ମୁହାଁମୁହିଁର ଫଳାଫଳ ୨-୨ ସ୍ଥିତିରେ ପହଞ୍ଚିଛି। ଏବେ କ୍ବାର୍ଟର ଫାଇନାଲ୍‌ରେ ପ୍ରଣୟଙ୍କ ମୁକାବିଲା ଚୀନ୍‌ ତାରକା ଝାଓ ଜୁନ୍‌ ପେଙ୍ଗ୍‌ଙ୍କ ସହ ହେବ।

ପ୍ରଣୟଙ୍କ ବ୍ୟତୀତ ଦୁଇ ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ଏମ୍‌ଆର୍‌ ଅର୍ଜୁନ-ଧ୍ରୁବ କପିଳା ଏବଂ ଚିରାଗ ‌ସେଟ୍ଟୀ-ସାତ୍ତ୍ବିକ୍‌ସାଇରାଜ ରାଙ୍କିରେଡୀ ମଧ୍ୟ ପ୍ରିକ୍ବାର୍ଟର ଫାଇନାଲ୍‌ ଜିତି କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଅର୍ଜୁନ-କପିଳା ଅଣମାନ୍ୟତାପ୍ରାପ୍ତ ଯୋଡ଼ି ଗୁରୁବାର ସିଙ୍ଗାପୁର ଯୋଡ଼ି ଟେରି ହି ଓ ଲୋହ କିନ୍‌ ହିନ୍‌ଙ୍କୁ ୧୮-୨୧, ୨୧-୧୫ ଓ ୨୧-୧୬ରେ ଏବଂ ଚିରାଗ-ସାତ୍ତ୍ବିକ୍‌ ଯୋଡ଼ି ୨୧-୧୨, ୨୧-୧୦ ସିଧାସଳଖ ଗେମ୍‌ରେ ଡେନ୍‌ମାର୍କ ଯୋଡ଼ି ଜେପା ବେ-ଲାସେ ମୋଲ୍‌ଡେଡେଙ୍କୁ ପରାସ୍ତ କରିଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ଅର୍ଜୁନ-କପିଳା ଯୋଡ଼ି ତୃତୀୟ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆ ଯୋଡ଼ି ମହମ୍ମଦ ଏହସାନ-ହେନ୍ଦ୍ରା ସେତିୱାନ ଏବଂ ଚିରାଗ-ସାତ୍ତ୍ବିକ୍‌ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଜାପାନ ଯୋଡ଼ି ଟାକୁରୋ ହୋକି-ୟୁଗୋ କୋବେୟାସିଙ୍କୁ ଭେଟିବେ। ତେବେ ଅଲିମ୍ପିକ୍‌ କାଂସ୍ୟ ବିଜୟିନୀ ସାଇନା ନେହ୍ବାଲ ମହିଳା ଏକକ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପ୍ରବଳ ଲଢ଼ିବା ସତ୍ତ୍ବେ ପରାଜୟ ବରଣ କରିଛନ୍ତି। ତାଙ୍କୁ ୨୧-୧୭, ୧୬-୨୧, ୨୧-୧୩ରେ ବୁସାନାନ୍‌ ଓଙ୍ଗ୍‌ବାମ୍ରୁଙ୍ଗ୍‌ଫାନ୍‌ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଥିଲେ।

ସମ୍ବନ୍ଧିତ ଖବର