ଭୁବନେଶ୍ୱର: ଦାୟିତ୍ବ ଗ୍ରହଣ କରିବା ପରେ ନୂଆ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋମବାର କଳିଙ୍ଗ ଷ୍ଟାଡିୟମ୍‌ ଗସ୍ତ କରି ସେଠାକାର ଭିତ୍ତିଭୂମି ଓ ରାଜ୍ୟରେ ପ୍ରଚଳିତ କ୍ରୀଡ଼ା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୂର୍ବାହ୍ନ ୧୦ଟାରେ କ୍ରୀଡ଼ା ବିଭାଗ କମିସନର ତଥା ଶାସନ ସଚିବ ଆର୍‌. ଭିନୀଲ କ୍ରିଷ୍ଣା, ସ୍ୱତନ୍ତ୍ର ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ସେ ଷ୍ଟାଡିୟମ୍‌ର ବିଭିନ୍ନ ସୁବିଧା ସୁଯୋଗ ଓ ଭିତ୍ତିଭୂମି ପରିଦର୍ଶନ କରିଥିଲେ।

Advertisment

ଏହି ଅବସରରେ ସଚିବ ଆର୍‌ ଭିନୀଲ କ୍ରିଷ୍ଣା ଓଡ଼ିଶାର କ୍ରୀଡ଼ା ଯାତ୍ରା ସମ୍ପର୍କରେ ଆଲୋକପାତ କରିବା ସହ ବିଗତ ବର୍ଷଗୁଡ଼ିକରେ ରାଜ୍ୟ ସରକାରଙ୍କ ପଦକ୍ଷେପ, ଉପଲବ୍ଧି ଓ ଭିତ୍ତିଭୂମି ବିକାଶ ଉପରେ ବିବରଣୀ ପ୍ରଦାନ କରିଥିଲେ। କ୍ରୀଡ଼ାମନ୍ତ୍ରୀ ରାଜ୍ୟର କ୍ରୀଡ଼ା ପରିବେଶର ବିଭିନ୍ନ ଦିଗର ସମୀକ୍ଷା କରିବା ସହ ତୃଣମୂଳ ସ୍ତରରୁ କ୍ରୀଡ଼ା ବିକାଶ ଏବଂ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ସମଗ୍ର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେହିଭଳି ଆସନ୍ତା ଶୁକ୍ରବାର ରାଜ୍ୟରେ ସାମୂହିକ ଭାବେ ପାଳନ ହେବାକୁ ଯାଉଥିବା ଅନ୍ତର୍ଜାତୀୟ ଯୋଗ ଦିବସ ଉପରେ ହୋଇଥିବା ବିଭିନ୍ନ ପ୍ରସ୍ତୁତି ନେଇ ଅବଗତ ହୋଇଥିଲେ।

କଳିଙ୍ଗ ଷ୍ଟାଡିୟମ୍‌ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ ସୂର୍ଯ୍ୟବଂଶୀ ସୂରଜ
ତୃଣମୂଳ ସ୍ତରରୁ କ୍ରୀଡ଼ା ବିକାଶ ଲାଗି ସମନ୍ବିତ ଯୋଜନା ଉପରେ ଗୁରୁତ୍ବ

ଯୋଗକୁ ଅଧିକରୁ ଅଧିକ ଲୋକପ୍ରିୟ କରାଇବା ଲାଗି ରାଜ୍ୟର ପ୍ରମୁଖ ତଥା ଐତିହାସିକ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ସହ ସବୁ ଜିଲ୍ଲା, ବ୍ଲକ୍‌ ଓ ପୌରାଞ୍ଚଳରେ ଯୋଗ ଦିବସ ପାଳନ ନେଇ ଏହି ଅବସରରେ ଆଲୋଚନା ‌ହୋଇଥିଲା। ଶ୍ରୀ ସୂରଜ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍‌ରେ ଥିବା କ୍ରୀଡ଼ା ବିଜ୍ଞାନ କେନ୍ଦ୍ର, ଖେଲୋ ଇଣ୍ଡିଆ ଷ୍ଟେଟ୍‌ ସେଣ୍ଟର୍‌ ଅଫ ଏକ୍ସିଲେନ୍ସ, ଟେନିସ୍ ସେଣ୍ଟର, ଇନ୍‌ଡୋର ଆଥଲେଟିକ୍ସ ସେଣ୍ଟର, ଭାରୋତ୍ତୋଳନ କେନ୍ଦ୍ର, କ୍ରୀଡ଼ା ଛାତ୍ରାବାସ, ହକି ଏଚ୍‌ପିସି, ଆକ୍ୱାଟିକ୍ ସେଣ୍ଟର, ହକି ଷ୍ଟାଡିୟମ, ସୁଟିଂ କମ୍ପ୍ଲେକ୍ସ, ସ୍ପୋର୍ଟସ କ୍ଲାଇମ୍ବିଂ ଓ ଜିମ୍ନାଷ୍ଟିକ୍ସ ସେଣ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ସୁବିଧାକୁ ବୁଲି ଦେଖିଥିଲେ। କ୍ରୀଡ଼ା କେନ୍ଦ୍ର ମୁଖ୍ୟମାନଙ୍କ ସହ ଆଲୋଚନା କରିବା ପରେ ଖେଳାଳି ତଥା କ୍ରୀଡ଼ା‌ ଛାତ୍ରାବାସ ଅନ୍ତେବାସୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ଷ୍ଟାଡିୟମ୍‌ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଦେଖିବା ପରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି, କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶାର ପ୍ରତିବଦ୍ଧତା, ଏହାର ବିଶ୍ୱସ୍ତରୀୟ ସୁବିଧା ଓ କ୍ରୀଡ଼ାବିତ୍‌ମାନଙ୍କ ସଫଳତାରୁ ସ୍ପଷ୍ଟ ହୋଇଛି। ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ତଥା କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ନିରନ୍ତର ସଫଳତାକୁ ସୁନିଶ୍ଚିତ କରିବା ପାଇଁ ତୃଣମୂଳ ସ୍ତରର ବିକାଶ ଉପରେ ଆଗାମୀ ସମୟରେ ଅଧିକ ଧ୍ୟାନ ଦିଆଯିବ। ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ କିଭଳି ଓଡ଼ିଶାର ଏକ ବିଶେଷ ପରିଚୟ ସୃଷ୍ଟି ହୋଇ ପାରିବ ସେଥିପାଇଁ ରଣନୀତି ପ୍ରସ୍ତୁତ କରାଯିବ।