ବ୍ୟାରି ମିଡଲଟନ୍ ୪୨୫*

ଭୁବନେଶ୍ବର: ଶୁକ୍ରବାର ଇଂଲଣ୍ଡର ବ୍ୟାରି ମିଡଲଟନ୍ ପଡ଼ିଆକୁ ଓହ୍ଲାଇବେ। ୩୪ ବର୍ଷୀୟ ଏହି ଖେଳାଳି ଇଂଲଣ୍ଡର ସବୁଠୁ ଅଭିଜ୍ଞ ଏବଂ ଚଳିତ ବିଶ୍ବକପ୍‌ର ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଳି। ଅଦ୍ୟାବଧି ୪୨୫ ମ୍ୟାଚ୍ ଖେଳି ସାରିଛନ୍ତି। ମଧ୍ୟକ୍ରମ ଏବଂ ଅଗ୍ରଭାଗରେ ଖେଳୁଥିବା ଏହି ପୁରୁଖା ଖେଳାଳିଙ୍କ ପାଇଁ କିନ୍ତୁ ବଡ଼ ପ୍ରତିଯୋଗିତାର ପଦକ ସ୍ବପ୍ନ ଅଧୁରା ରହିଛି। ଏହି ସ୍ବପ୍ନ ଭୁବନେଶ୍ବରରେ ସାକାର ହେଲେ ମୁଁ ଖୁସୀ ହେବି। କିନ୍ତୁ ଏଥି ପାଇଁ ଅନେକ ବାଟ ଯିବାର ଅଛି। ଇତି ମଧ୍ୟରେ ହକି ଅନେକ ବଦଳିଯାଇଛି। ଇଂଲଣ୍ଡ କିନ୍ତୁ ଏଥର ଭଲ ପ୍ରସ୍ତୁତି ନେଇ ଆସିଛି। ଦଳ ଭଲ ଖେଳିଲେ ନିଶ୍ଚିତ ଆଗକୁ ଯିବାର ବାଟ ଉନ୍ମୁକ୍ତ ରହିବ ବୋଲି ଗୁରୁବାର କଳିଙ୍ଗ ଷ୍ଟାଡିୟମ୍ ଅଭ୍ୟାସ ଶେଷରେ କହିଥିଲେ ମିଡଲଟନ୍।

୧୯୮୪ ମସିହା ଜାନୁଆରି ୧୨ ତାରିଖରେ ୟର୍କସାୟାରର ଡନ୍‌କାଷ୍ଟରରେ ଜନ୍ମିତ ଏହି ଲମ୍ବା ଚେହେରା ଫରୱାର୍ଡ ୪୨୫ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ୧୧୮ ଗୋଲ୍‌ ଦେଇ ସାରିଛନ୍ତି। ଭାରତରେ ମଧ୍ୟ ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ୍)ରେ ରାଞ୍ଚି ରେଜ୍‌ ପକ୍ଷରୁ ଖେଳିଥିଲେ ଗୋଟିଏ ଋତୁ (୨୦୧୫)। ୨୦୧୪ ମସିହାରେ ସେ ନିଜର ୩୦୮ ତମ ମ୍ୟାଚ୍ ଖେଳିବା ବେଳେ ରସେଲ ଗାର୍ସିଆଙ୍କ ଇଂଲଣ୍ଡ କୀର୍ତିମାନ (୩୦୭ ମ୍ୟାଚ୍‌)କୁ ପଛରେ ପକାଇ ଦେଶର ଅଗ୍ରଣୀ ହକି ଖେଳାଳି ହୋଇଥିଲେ। ୨୦୧୭ ଡିସେମ୍ବରରେ ଭୁବନେଶ୍ବର ବିଶ୍ବ ହକି ଲିଗ୍ ଫାଇନାଲ୍ସରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସେ ନିଜର ୪୦୦ତମ ମାଇଲଖୁଣ୍ଟ୍ ମ୍ୟାଚ୍ ଖେଳିଥିଲେ। ନିଜର ୪୨୫ ମ୍ୟାଚ୍‌ରୁ ସେ ୧୪୫ଟି ଗ୍ରେଟ୍ ବ୍ରିଟେନ୍ ଏବଂ ଅବଶିଷ୍ଟ ଇଂଲଣ୍ଡ ପାଇଁ ଖେଳିଛନ୍ତି। ଇଂଲଣ୍ଡର ନେତୃତ୍ବ ନେଇ ସେ ଗତ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ବିଜେତା ହୋଇଥିଲେ। ଚଳିତ ବର୍ଷ ସେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ପଦକ ବିଜୟୀ ଦଳରେ ଥିଲେ। ଅଲିମ୍ପିକ୍ସ ଓ ବିଶ୍ବକପ୍ ଭଳି ପଦକ କିନ୍ତୁ ତାଙ୍କ ପାଇଁ ଦୁଃସ୍ବପ୍ନ ଭଳି ହୋଇଛି। ୨୦୦୪, ୨୦୦୮ ଏବଂ ୨୦୧୨ ତିନିଟି ଅଲିମ୍ପିକ୍ସରେ ଖେଳିଥିଲେ ମଧ୍ୟ ଲଣ୍ଡନରେ ଚତୁର୍ଥ ହେବା ତାଙ୍କ ହାତପାହାନ୍ତାରୁ ପଦକ ଖସାଇ ନେଇଥିଲା।

ସମ୍ବନ୍ଧିତ ଖବର