ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମିତ ରୋହିତ ଶର୍ମାଙ୍କ ବିକଳ୍ପ ଭାବେ ପ୍ରାରମ୍ଭିକ ବ୍ୟାଟର୍ ମୟଙ୍କ ଅଗ୍ରୱାଲଙ୍କୁ ଡାକିଛି ବିସିସିଆଇ। ରୋହିତ ଶର୍ମା ଜୁଲାଇ ପହିଲାରୁ ଏଜବାଷ୍ଟନ୍ରେ ଖେଳାଯିବାକୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ଖେଳିବା ନେଇ ସନ୍ଦେହ ରହିଛି। ଲିସେଷ୍ଟର୍ସାୟାର୍ ବିପକ୍ଷ ୪ ଦିନିଆ ଅଭ୍ୟାସ ମ୍ୟାଚ୍ରେ ରୋହିତ କେବଳ ପ୍ରଥମ ଦିନ ଭାଗ ନେଇଥିଲେ। ଆଣ୍ଟିଜେନ୍ ଟେଷ୍ଟ୍ରେ କୋଭିଡ୍ ସଂକ୍ରମିତ ଥିବା ଜଣାପଡ଼ିବାରୁ ଏବେ ସଙ୍ଗରୋଧରେ ରହିଛନ୍ତି। ପୂର୍ବରୁ ୧୫ ଜଣିଆ ଟେଷ୍ଟ ଦଳରୁ ମୟଙ୍କ ବଞ୍ଚିତ ହୋଇଥିଲେ। କେଏଲ୍ ରାହୁଲ ଆହତ ହେବା ଏବଂ ରୋହିତ ସଂକ୍ରମିତ ହେବା ଏବେ ତାଙ୍କ ପାଇଁ ସୁଯୋଗ ଆଣିଛି। ମୟଙ୍କଙ୍କୁ ତୁରନ୍ତ ବ୍ରିଟେନ୍ ଗସ୍ତ କରି ଭାରତୀୟ ଦଳ ସହ ଯୋଗଦେବାକୁ କୁହାଯାଇଛି। ଇଂଲଣ୍ଡ ବିପକ୍ଷ ଏହି ଏକମାତ୍ର ଟେଷ୍ଟ ଗତବର୍ଷର ଅସମ୍ପୂର୍ଣ୍ଣ ଶୃଙ୍ଖଳାର ଅଂଶବିଶେଷ। ୫ ମ୍ୟାଚ୍ ଶୃଙ୍ଖଳାର ଏହା ଶେଷ ଟେଷ୍ଟ। ଶୃଙ୍ଖଳାରେ ଭାରତ ଏବେ ୨-୧ରେ ଆଗୁଆ ରହିଛି। ଅଗ୍ରୱାଲ୍ ୨୧ ଟେଷ୍ଟ ଖେଳି ୪୧.୩୩ ହାରରେ ୧୪୮୮ ରନ୍ ସଂଗ୍ରହ କରିଛନ୍ତି। ସେ ଖେଳିଥିବା ଶ୍ରୀଲଙ୍କା ବିପକ୍ଷ ଘରୋଇ ଶୃଙ୍ଖଳାରେ ମାତ୍ର ୫୯ ରନ୍ (୩୩, ୪, ୨୨) ରନ୍ କରିଥିଲେ। ଆଇପିଏଲ୍ରେ ମଧ୍ୟ ପଞ୍ଜାବ କିଙ୍ଗ୍ସର ନେତୃତ୍ବ ନେଇ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରି ୧୩ ମ୍ୟାଚ୍ରୁ ୧୯୬ ରନ୍ କରିଥିଲେ। ପଞ୍ଜାବ ଷଷ୍ଠ ହୋଇଥିଲା।
ଲିସେଷ୍ଟର୍: ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଏକମାତ୍ର ଟେଷ୍ଟ ଲାଗି ଭାରତୀୟ ଦଳର ପ୍ରସ୍ତୁତିକୁ ନେଇ ସନ୍ତୋଷ ପ୍ରକଟ କରିଛନ୍ତି ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼। ଲିସେଷ୍ଟର୍ସାୟାର୍ ବିପକ୍ଷ ୪ ଦିନିଆ ଅଭ୍ୟାସ ମ୍ୟାଚ୍ ଅମୀମାଂସିତ ରହିଥିବାବେଳେ ଏଥିରେ ଶ୍ରେୟସ ଆୟର, ବିରାଟ କୋହଲି, ଶୁବମନ ଗିଲ୍, ଋଷଭ ପନ୍ତ୍ ଓ ରବୀନ୍ଦ୍ର ଜାଦେଜା ଅର୍ଦ୍ଧଶତକ ହାସଲ କରିଥିଲେ। ଟେଷ୍ଟ ମ୍ୟାଚ୍ ପ୍ରସ୍ତୁତି ଲାଗି ଆବଶ୍ୟକ ସବୁକିଛି ଆମେ କରିଛୁ। ଚଳିତ ସପ୍ତାହରେ ହୋଇଥିବା ପ୍ରସ୍ତୁତି ଭଲ ବିତିଛି। ବାସ୍ତବରେ କୌଣସି ଶୃଙ୍ଖଳାରେ ଗୋଟିଏ ମ୍ୟାଚ୍ ଖେଳିବାକୁ ଥିଲେ ଯଥେଷ୍ଟ ସମୟ ମିଳେ ନାହିଁ। ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରୁ ଏକାଠି ଲଢ଼ିବାର ଆବଶ୍ୟକତା ରହିଛି। ଏଜବାଷ୍ଟନ୍ ପରିବେଶ ନିଶ୍ଚିତ ଆହ୍ବାନ ରହିବ। ବିରାଟ କୋହଲି ନିଶ୍ଚିତ ଏହି ଶୃଙ୍ଖଳାରେ ଫର୍ମକୁ ଫେରିବେ ବୋଲି ଆଶା କରିଛନ୍ତି ମହମ୍ମଦ କୈଫ। ଗତବର୍ଷର ଏହି ଶୃଙ୍ଖଳା କୋଭିଡ୍ ପାଇଁ ସ୍ଥଗିତ ରହିବାବେଳକୁ ଭାରତ ୫ ମ୍ୟାଚ୍ ଶୃଙ୍ଖଳାରେ ୨-୧ରେ ଆଗୁଆ ଥିଲା। ସେହି ଦୃଷ୍ଟିରୁ ଶୃଙ୍ଖଳା ଜିତିବା ଲାଗି ଭାରତକୁ ଏଜବାଷ୍ଟନ୍ରେ ବିଜୟ କିମ୍ବା ଅମୀମାଂସିତ ଲୋଡ଼ା।