‌ଜାତିଆଣ ଭେଦଭାବ ବିରୋଧରେ ଏକାଠି ହେଲେ

ପଡ଼ିଆରେ ପଶିଲେ ବିକ୍ଷୋଭକାରୀ

ସିଡ୍‌ନି କ୍ରିକେଟ୍ ପଡ଼ିଆରୁ ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ଖେଳାଳିମାନେ ଏକତ୍ର ବର୍ଣ୍ଣବୈଷମ୍ୟ ଓ ଜାତିଆଣ ଭେଦଭାବ ବିରୋଧୀ ବାର୍ତ୍ତା ଦେଇଥିଲେ। ଖାଲି ପାଦରେ ଗୋଲାକାର ଆକୃତିର ସାଂକେତିକ ଚିତ୍ର ଚାରିପଟେ ବର୍ଗାକାରରେ ଠିଆ ହୋଇ ସେମାନେ ଅଷ୍ଟ୍ରେଲିଆର ମୂଳ ଅଧିବାସୀଙ୍କ ସଂସ୍କୃତିକୁ ବି ସମ୍ମାନ ଜଣାଇଥିଲେ। ବର୍ଣ୍ଣବୈଷମ୍ୟ ବିରୋଧ ଅଭିଯାନକୁ ଅନେକ ଅନ୍ତର୍ଜାତୀୟ କ୍ରିକେଟ୍ ଦଳ ଆଣ୍ଠୁ ମାଡ଼ି ବସି ସମର୍ଥନ ଜଣାଇଥିଲା ବେଳେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଖାଲିପାଦରେ ବର୍ଗାକାର ଫଳକ ଚାରିପଟେ ଛିଡ଼ା ହୋଇ ଏହି ନିଆରା ଅଭିଯାନ‌ରେ ସାମିଲ ହୋଇଆସୁଛି। ଆଜି ଏଥିରେ ଭାରତୀୟ ଦଳ ସାମିଲ ହୋଇଥିଲା। ଏହା ପୂର୍ବରୁ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ମଧ୍ୟ ଗତ ସେପ୍ଟେମ୍ବର ମାସରେ ଖେଳିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଏଭଳି ନିଆରା ବିରୋଧ ପ୍ରଦର୍ଶନ କରିଥିଲା।

ପଡ଼ିଆରେ ପଶିଲେ ବିକ୍ଷୋଭକାରୀ
ଶୁକ୍ରବାରର ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ବେଳେ ଦୁଇ ଜଣ ବିକ୍ଷୋଭକାରୀ ପଡ଼ିଆ ଭିତରକୁ ଅଚାନକ ପଶିଯାଇଥିଲେ। ସୁରକ୍ଷା ବଳୟ ଭେଦ କରି ଏହି ଦୁଇ ଜଣ ପଡ଼ିଆକୁ ପଶିଯାଇଥିଲା ବେଳେ ସେମାନଙ୍କୁ ତୁରନ୍ତ ବାହାରକୁ ଅଣାଯାଇଥିଲା। ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅଷ୍ଟ୍ରେଲିଆରେ ଭାରତର ଅଦାନି ଗ୍ରୁପ୍‌ର କୋଇଲା ପ୍ରକଳ୍ପକୁ ବିରୋଧ କରି ପ୍ଲାକାର୍ଡ ଧରିଥିବା ଦେଖାଯାଇଥିଲା। ନଭ୍‌ଦୀପ ସୈନି ଷ‌ଷ୍ଠ ଓଭର ବୋଲିଂ କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ବିକ୍ଷୋଭକାରୀ ଜଣକ ପିଚ୍‌ ପାଖାପାଖି ପହଞ୍ଚି ଯାଇଥିଲେ। ତେବେ କିଛିଟା ଗଡ଼ବଡ଼ ହେବା ପୂର୍ବରୁ ଉଭୟ ବିକ୍ଷୋଭକାରୀଙ୍କୁ ସୁରକ୍ଷାକର୍ମୀ ଘଉଡ଼ାଇ ଦେଇଥିଲେ।

ସମ୍ବନ୍ଧିତ ଖବର