ଦୋହା: ଚଳିତ ଫିଫା ବିଶ୍ବକପ୍ରେ ସୋମବାର କାମେରୁନ ଓ ସର୍ବିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୩-୩ ଗୋଲ୍ରେ ଅମୀମାଂସିତ ରହିଥିଲା। ଫଳରେ ଉଭୟ ଦଳ ନିଜ ଭିତରେ ପଏଣ୍ଟ ବାଣ୍ଟିନେଇଛନ୍ତି। ଗ୍ରୁପ୍ ଜି’ର ଏହି ଅମୀମାଂସିତ ମ୍ୟାଚ୍ରୁ ଉଭୟ ଦଳ ଚଳିତ ବିଶ୍ବକପ୍ରେ ପଏଣ୍ଟ ଖାତା ଖୋଲିବା ସହ ଉଭୟ ଦଳଙ୍କ ନକ୍ଆଉଟ୍ ଆଶା ଉଜ୍ଜୀବିତ ରହିଛି। ପୂର୍ବରୁ କାମେରୁନ ୦-୧ ଗୋଲ୍ରେ ସ୍ବିଜରଲାଣ୍ଡଠୁ ଏବଂ ସର୍ବିଆ ୦-୨ ଗୋଲ୍ରେ ବ୍ରାଜିଲଠୁ ପରାସ୍ତ ହୋଇଥିଲା।
ଅଲ୍ ଜାନବ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ର ୨୯ତମ ମିନିଟ୍ରେ କାମେରୁନକୁ କର୍ଣ୍ଣର ମିଳିଥିଲା। ପିଏରେ କୁଣ୍ଡେଙ୍କ ଏହି କର୍ଣ୍ଣର ସଟ୍କୁ ଜିଅନ୍-ଚର୍ଲେସ କାଷ୍ଟେଲେଟୋ ସର୍ବିଆର ଗୋଲ୍ ପୋଷ୍ଟ୍କୁ ପଠାଇ ଦଳକୁ ୧-୦ରେ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏଥିସହ କାଷ୍ଟେଲେଟୋ ବରିଷ୍ଠ ବର୍ଗ ଅନ୍ତର୍ଜାତୀୟରେ ଗୋଲ୍ ଖାତା ଖୋଲିଥିଲେ। ପ୍ରଥମାର୍ଦ୍ଧର ଷ୍ଟପେଜ୍ ଟାଇମ୍ର ସର୍ବିଆ ୨ଟି ଗୋଲ୍ ଦେଇ ଅଗ୍ରଣୀ ନେବାକୁ ସକ୍ଷମ ହୋଇଥିଲା। ଷ୍ଟପେଜ୍ ଟାଇମ୍ର ପ୍ରଥମ ମିନିଟ୍ରେ ସର୍ବିଆକୁ ମିଳିଥିବା ଫ୍ରି-କିକ୍କୁ ଡୁସାନ ଟେଡିକ ମାରିଥିଲେ। ଏହାକୁ ସଫଳତା ସହ ଷ୍ଟ୍ରାହିଞ୍ଜା ପାଭଲୋଭିକ (୪୫+୧ ମିନିଟ୍) ହେଡର୍ରେ କାମେରୁନ୍ ଗୋଲ୍ ପୋଷ୍ଟକୁ ଛାଡ଼ି ଦେଇଥିଲେ।
ବରାବର କରିବାର ୨ ମିନିଟ୍ ପରେ ଆଣ୍ଡ୍ରିଜା ଜିଭକୋଭିକ୍ଙ୍କ ପାସ୍ରେ ମିଲିନକୋଭିକ-ସାଭିକ (୪୫+୩ ମିନିଟ୍) ଗୋଲ୍ ଦେଇ ସର୍ବିଆକୁ ୨-୧ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ଆଗୁଆ ଥିବା ସର୍ବିଆ ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଆକ୍ରଣାତ୍ମକ ଖେଳି କାମେରୁନକୁ ଚାପରେ ରଖିଥିଲା। ୫୩ ମିନିଟ୍ରେ ଜିଭକୋଭିକଙ୍କ ପାସ୍କୁ ଆଲେକ୍ଜାଣ୍ଡର ମିଟ୍ରୋଭିକ ଗୋଲ୍ରେ ପରିଣତ କରି ଦେଇଥିଲେ। ଏହି ଗୋଲ୍ ବଳରେ ସର୍ବିଆ ୩-୧ରେ ଆଗୁଆ ରହିଥିଲା। ଏହାର ୧୬ ମିନିଟ୍ ମଧ୍ୟରେ କାମେରୁନ ୨ଟି ଯାକ ଗୋଲ୍ ଶୁଝି ସ୍ଥିତି ବରାବର କରିଦେଇଥିଲା। ୬୩ତମ ମିନିଟ୍ରେ କାଷ୍ଟେଲେଟୋଙ୍କ ପାସ୍ରେ ଭିନ୍ସେଣ୍ଟ୍ ଆବୁବାକର ଗୋଟିଏ ଗୋଲ୍ ଦେଇଥିଲା ବେଳେ ଅନ୍ୟଟିରେ ସହଯୋଗ ରଖିଥିଲେ। ଆବୁବାକରଙ୍କ ପାସ୍କୁ ଏରିକ ଚୁପୋ-ମୋଣ୍ଟିକ୍ (୬୬ ମିନିଟ୍) ଦଳ ପକ୍ଷରୁ ତୃତୀୟ ଗୋଲ୍ ସ୍କୋର୍ କରିଥିଲେ।
କାମେରୁନ୍ ଛାଡ଼ିଲେ ଓନାନା
ମ୍ୟାଚ୍ ଅମୀମାଂସିତ ପରେ କାମେରୁନ୍ ଗୋଲରକ୍ଷକ ଆନ୍ଦ୍ରେ ଓନାନା ଦଳ ଛାଡ଼ିଛନ୍ତି। ତେବେ ବ୍ରାଜିଲ୍ ବିପକ୍ଷ ଶୁକ୍ରବାର ମ୍ୟାଚ୍ ବେଳକୁ ସେ ଦଳ ସହିତ ଉପଲବ୍ଧ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଦଳକୁ ଫେରିବାକୁ ହେଲେ ନିୟମକୁ ସମ୍ମାନ ଦେବାକୁ ହେବ ବୋଲି ପ୍ରଶିକ୍ଷକ ରିଗୋବର୍ଟ ସଙ୍ଗ ସୂଚନା ଦେଇଛନ୍ତି। ଓନାନା ସୁଇଜରଲାଣ୍ଡ ବିପକ୍ଷ ଚୂଡ଼ାନ୍ତ ଏକାଦଶରେ ଥିଲେ। କିନ୍ତୁ ତାଙ୍କୁ ଦ୍ବିତୀୟ ମ୍ୟାଚ୍ରୁ ବାଦ୍ ଦିଆଯାଇଥିଲା। ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ପ୍ରଶିକ୍ଷକଙ୍କ ଏଭଳି ନିଷ୍ପତ୍ତିକୁ ନେଇ ମ୍ୟାଚ୍ ପୂର୍ବରୁ ଓନାନା ଓ ସଙ୍ଗ୍ଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତେଣୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦୃଷ୍ଟିରୁ ତାଙ୍କୁ ବାଦ୍ ଦିଆଯାଇଥିବା ସଙ୍ଗ୍ ଏକ ସାକ୍ଷତକାରରେ କହିଛନ୍ତି।