ଫୁଟ୍‌ବଲ୍‌ ବିକାଶ ଲାଗି ଲୋଡ଼ା‌ ପ୍ରଶିକ୍ଷଣ ଶିବିର

ଓଡ଼ିଶାର ଅଗ୍ରଣୀ କ୍ରୀଡ଼ା ସଂଗଠନ ୟୁନିଟ୍-୬ ଆଥଲେଟିକ୍ ଆସୋସିଏସନ୍ ରାଜ୍ୟରେ ଫୁଟବଲ୍ ବିକାଶ ଲାଗି ବିଗତ ୩୦ ବର୍ଷ ହେବ ପ୍ରୟାସ ଜାରି ରଖିଛି। ତୃଣମୂଳ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଓ ପ୍ରଶିକ୍ଷଣ ଶିବିର ଆୟୋଜନ କରି ରାଜଧାନୀ ଭୁବନେଶ୍ବରରେ ଫୁଟବଲ୍ ପାଇଁ ସ୍ବତନ୍ତ୍ର ମାହୋଲ ସୃଷ୍ଟି କରିଛି। ପ୍ରତିବର୍ଷ କିଛି କନିଷ୍ଠ ସ୍ତରୀୟ ଖେଳାଳିଙ୍କୁ ଟାଟା ଫୁଟବଲ୍ ଏକାଡେମି (ଟିଏଫଏ)ରେ ପ୍ରଶିକ୍ଷଣ ନେବା ଲାଗି ପଠାଉଛି। ଓଡ଼ିଶା ଖେଳାଳିମାନେ ମହିଳା ଫୁଟବଲରେ ବେଶ୍ ନାଁ କରିଥିବାରୁ ମହିଳା ଫୁଟବଲ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରି ଆସୁଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କ୍ଲବ୍ ପକ୍ଷରୁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଫନି ପାଇଁ ଏହି ଶିବିର କିଛି ଦିନ ସ୍ଥଗିତ ରହିବା ପରେ ପୁଣି ଥରେ ଆରମ୍ଭ ହୋଇଛି। ଏହି ଶିବିର ଚଳିତ ମାସ ଶେଷ ଭାଗ ପର୍ଯ୍ୟନ୍ତ ଚାଲିବ। ଏଥିରେ ତିନିଟି ବର୍ଗ ଯଥା ୭ରୁ ୧୩ ବର୍ଷ, ୧୪ରୁ ୧୭ ବର୍ଷ ଏବଂ ୧୮ ବର୍ଷରୁ ୨୨ ବର୍ଷର ଖେଳାଳି ଅଂଶ ଗ୍ରହଣ କରୁଛନ୍ତି। ପ୍ରଶିକ୍ଷାର୍ଥୀମାନଙ୍କୁ ବିନା ମୂଲ୍ୟରେ ଖେଳ ଉପକରଣ ଏବଂ ଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ଶିବିରରୁ ହିଁ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରି କ୍ଲବ୍ ଟିଏଫଏକୁ ପଠାଇ ଆସୁଛି। ଶେଖ୍ ମୁସ୍ତାକିନ, ପଙ୍କଜ ସୋନା, ଶେଖ୍ ବିଲାଲ, ଶେଖ୍ ରୋହିତ, ରଜତ ନାଗ, ପ୍ରଶାନ୍ତ ନାୟକ ପ୍ରମୁଖ ଏହି ପ୍ରଶିକ୍ଷଣ ଶିବିରରୁ ବାହାରି ଦେଶର ବହୁ ନାମକରା କ୍ଲବ୍ ଏବଂ ରାଜ୍ୟ ଦଳର ପ୍ରତିନିଧିତ୍ବ କରିଛନ୍ତି। ୧୨୦ ଜଣ କନିଷ୍ଠ ଖେଳାଳିଙ୍କୁ ନେଇ ଆୟୋଜିତ ହେଉଥିବା ଚଳିତ ବର୍ଷର ଶିବିରକୁ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ସନ୍ତୋଷ ଟ୍ରଫି ଚୟନକର୍ତା ପ୍ରଫୁଲ୍ଲ କୁମାର ମିଶ୍ର ପରିଚାଳନା କରୁଛନ୍ତି। ଏଏଫସି ଲାଇସେନ୍ସପ୍ରାପ୍ତ ସୁଶାନ୍ତ ମିଶ୍ର, ସଞ୍ଜୀବ ପାଟସାହାଣୀ, ସରୋଜ ମହାରଣା, ମହେଶ୍ବର ସିଂହ, ବରୁଣ ମାଝୀ, ସୁଦୀପ ଦାସ, ଟୁନା ଖାନ୍ ବିଭିନ୍ନ ଦାୟିତ୍ବରେ ଅଛନ୍ତି। ସାରା ଓଡ଼ିଶାର ଅଗ୍ରଣୀ ଫୁଟବଲ୍ କ୍ଲବ୍ ବରିଷ୍ଠ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ହେଲେ ତୃଣମୂଳ ସ୍ତରରେ ଫୁଟ୍‌ବଲ୍‌ର ବିକାଶ ଲାଗି ପ୍ରଶିକ୍ଷଣ ଶିବିରର ଢେର ମହତ୍ବ ରହିଛି। ଏହା ପ୍ରତିଭା ଚିହ୍ନଟର ବଳିଷ୍ଠ ମା‌ଧ୍ୟମ। ଫୁଟବଲ୍ ଏମିତି ଏକ ଖେଳ ଯେଉଁଥିରେ ଯେତେ‌ କମ୍ ବୟସରୁ ବିଜ୍ଞାନ ସମ୍ମତ ପ୍ରଶିକ୍ଷଣ ଆରମ୍ଭ କରିବ, ସେତେ ଭଲ। ରାଜ୍ୟ ସରକାର ଏବଂ କ୍ରୀଡ଼ା ନିର୍ଦେଶାଳୟ ଏହି ଦିଗକୁ ଅଧିକ ଧ୍ୟାନ ଦେଲେ ଓଡ଼ିଶା ଫୁଟବଲ୍ ଆହୁରି ଆଗକୁ ଯାଇ ପାରିବ। ଇଣ୍ଡିଆନ୍ ଆରୋଜ୍ ଭଳି ଦଳ କଳିଙ୍ଗ ଷ୍ଟାଡିୟମକୁ ନିଜ ଘରୋଇ ପଡ଼ିଆ କରିବା ଓଡ଼ିଶା ଫୁଟ୍‌ବଲ୍ ପାଇଁ ଭଲ। ହେଲେ ଏହି ଦଳରେ ଯେମିତି କିଛି ଓଡ଼ିଆ ଖେଳାଳି ରହିବେ, ସେ ବ୍ୟବସ୍ଥା କରାଗଲେ ଆହୁରି ଭଲ ହୁଅନ୍ତା। ଏହିଭଳି ଦଳରେ କିଛି ଓଡ଼ିଆ ଖେଳାଳି ରହିଲେ କନିଷ୍ଠ ସ୍ତରୀୟ ଖେଳାଳିଙ୍କ ଉତ୍ସାହ ବଢ଼ନ୍ତା। ସେମାନେ ନିଜ ଆଦର୍ଶ ଓ ଲକ୍ଷ୍ୟ ପାଇ ଯାଆନ୍ତେ। ପ୍ରତିଯୋଗିତା ଆୟୋଜନ ବେଳେ ଯେମିତି ପ୍ରଚାର ପ୍ରସାର ହେବା କଥା, ତାହା ହେଉନାହିଁ। ଷ୍ଟାଡିୟମ୍ ଖାଲି ପଡ଼ୁଛି। ଭୁବନେଶ୍ବରରେ ୮ଟି ଏ’ ଡିଭିଜନ୍, ୨୪ଟି ବି’ ଡିଭିଜନ୍ ଏବଂ ପାଖା ପାଖି ୩୦ ବିଦ୍ୟାଳୟ ସ୍ତରୀୟ ଦଳ ଅଛନ୍ତି। ଏହି ଦଳଗୁଡ଼ିକ ଭଲ କରିବା ଲାଗି ପୂର୍ବତନ ଖେଳାଳିଙ୍କ ସହାୟତା ନିଆଯାଇ ପାରନ୍ତା। ପ୍ରଚାର ପ୍ରସାର ମାଧ୍ୟମରେ ଫୁଟବଲ୍ ପ୍ରଶଂସକଙ୍କ ସଂଖ୍ୟା ବଢ଼ି ପାରନ୍ତା। ଯାହା ଦ୍ବାରା କୁନି କୁନି ପିଲାମାନେ ଫୁଟବଲ୍ ପ୍ରତି ଅଧିକ ଆକର୍ଷିତ ହୁଅନ୍ତେ। ସେହିଭଳି ସାରା ରାଜ୍ୟରେ ଫୁଟବଲ୍ କ୍ଲିନିକ୍ ଏବଂ ସମୟ ସମୟରେ ପ୍ରଶିକ୍ଷଣ ଶିବିର ଆୟୋଜନ ଏହି କ୍ଷେତ୍ରରେ ନିଶ୍ଚିତ ଭାବେ ବଳିଷ୍ଠ ପଦକ୍ଷେପ ହୋଇ ପାରନ୍ତି।

ସମ୍ବନ୍ଧିତ ଖବର