କର୍କଟ ବିଜେତା ବ୍ୟାଡ୍‌ମିଣ୍ଟନ କିଙ୍ଗ୍‌ଙ୍କ ଅବସର

କୁଆଲାଲୁମ୍ପୁର: ମାରାତ୍ମକ କର୍କଟ ସହ ବର୍ଷାଧିକ ସମୟ ଧରି ଯୁଦ୍ଧ କରିବା ପରେ ବ୍ୟାଡ୍‌ମିଣ୍ଟନ ସମ୍ରାଟ୍‌ ଭାବେ ଆଖ୍ୟା ପାଇଥିବା ମାଲେସିଆର ଲି ଚୋଙ୍ଗ୍‌ ୱି ଶେଷରେ ଅବସର ଘୋଷଣା କରିଛନ୍ତି। ଗୁରୁବାର ଏହି ଘୋଷଣା ସହ ଲି’ଙ୍କ ଜାଜୁଲ୍ୟମାନ ବ୍ୟାଡ୍‌ମିଣ୍ଟନ ଜୀବନର ଅନ୍ତ ଘଟିଛି। ବ୍ୟାଡ୍‌ମିଣ୍ଟନ କ୍ରୀଡ଼ାରେ ସେ ଅନେକ ଟ୍ରଫି କରାୟତ କରିଥିଲେ ମଧ୍ୟ ବିଶ୍ବ ଟ୍ରଫି କିମ୍ବା ଅଲିମ୍ପିକ୍‌ ସ୍ବର୍ଣ୍ଣ ତାଙ୍କ ପାଇଁ ସ୍ବପ୍ନ ହୋଇ ରହିଗଲା। ଏହି ମାଲେସୀୟ ତାରକା ଏକ ସମୟରେ ୩୪୮ ସପ୍ତାହ ଧରି ବିଶ୍ବ ମାନ୍ୟତାର ଶୀର୍ଷରେ ଅବସ୍ଥାନ କରିଥିଲେ। ସେହି ସମୟ ମଧ୍ୟରେ ସେ ୬ ଥର ବିଶ୍ବ ପ୍ରତିଯୋଗିତା ଓ ଅଲିମ୍ପିକ୍‌ ଫାଇନାଲ୍‌ ପ୍ରବେଶ କରିଥିଲେ ମଧ୍ୟ ସବୁଥର ପରାଜୟ ପାଇଥିଲେ। ତେଣୁ ୩ ଥର ସେ ଅଲିମ୍ପିକ୍‌ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଶେଷ ଥର ପାଇଁ ସେ ୨୦୧୬ ରିଓ ଅଲିମ୍ପିକ୍ସରେ ଭାଗ ନେଇଥିଲେ। ସେହି ଅଲିମ୍ପିକ୍ସର ଉତ୍କଣ୍ଠାପୁର୍ଣ୍ଣ ଫାଇନାଲ୍‌ରେ ଚୀନ୍‌ ତାରକା ଚେନ୍‌ ଲଙ୍ଗ୍‌ଙ୍କ ନିକଟରୁ ହାରି ସ୍ବର୍ଣ୍ଣ ପଦକରୁ ପୁଣି ବଞ୍ଚିତ ହୋଇଥିଲେ। କର୍କଟ ରୋଗ ତାଙ୍କୁ ଆଉ କ୍ରୀଡ଼ାକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ସୁଯୋଗ ଦେଇନଥିଲା। ଅବସର ଘୋଷଣା ତାଙ୍କୁ ଖୁବ୍‌ ମର୍ମାହତ କରିଥିବା ଲି କହିଥିଲେ। ମୁଁ ପ୍ରକୃତରେ ବ୍ୟାଡ୍‌ମିଣ୍ଟନ ଖେଳକୁ ଭଲ ପାଏ। ହେଲେ ଏହା ଏକ କଡ଼ା ଆହ୍ବାନପୂର୍ଣ୍ଣ ଖେଳ। ସେହି ଖେଳରେ ତିଷ୍ଠି ରହିବା ପାଇଁ ଶକ୍ତି ଓ ସାମର୍ଥ୍ୟ ଥିବା ଦରକାର। କର୍କଟ ମୋ ଠୁ ଶକ୍ତି ଛଡ଼ାଇ ନେଇଛି। ତଥାପି ୧୯ ବର୍ଷ ଧରି ଦେଶ ପାଇଁ ଏହି ଖେଳରେ ତିଷ୍ଠି ରହିବାର ସୁଯୋଗ ପାଇଥିବାରୁ ମାଲେସିଆକୁ ଧନ୍ୟବାଦ ଜଣାଉଛି ବୋଲି ୩୬ ବର୍ଷ ବୟସ୍କ ଲି ଗୁରୁବାର କହିଥିଲେ।

ସମ୍ବନ୍ଧିତ ଖବର