କ୍ୟାପ୍‌ ବିଜେତାଙ୍କୁ ମିଳୁନି ଆଇପିଏଲ୍‌ ଟ୍ରଫି

ଭୁବନେଶ୍ବର : କ୍ରିକେଟ୍‌ ଏକ ଦଳଗତ ଖେଳ ‌ହୋଇଥିବା ବେଳେ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ନିର୍ଣ୍ଣାୟକ ହୋଇଥାଏ। ଆଇପିଏଲ୍‌ରେ କିନ୍ତୁ ବିଗତ ୭ ବର୍ଷ ଧରି ଏକ ଅଜବ ଧାରା ଲାଗି ରହିଛି। ୨୦୧୭ ମସିହାଠାରୁ ସର୍ବାଧିକ ୱିକେଟଦଖଲ କରିବା ସହ ପର୍ପଲ୍ କ୍ୟାପ୍‌ ଜିତୁଥିବା ବୋଲର ଦୁର୍ଭାଗ୍ୟଜନକ ଭାବେ ଆଇପିଏଲ୍ ଟ୍ରଫି ତୋଳି ଧରିବାର ସ‌ୁଯୋଗ ପାଉନାହାନ୍ତି। ଦୁଇ ଦିନ ତଳେ ଶେଷ ହୋଇଥିବା ଷୋଡ଼ଶ ସଂସ୍କରଣରେ ମଧ୍ୟ ସମାନ କଥା ଘଟିଛି। ମହମ୍ମଦ ସାମି ୧୭ ମ୍ୟାଚ୍‌ରୁ ସର୍ବାଧିକ ୨୮ ୱିକେଟ୍ ଦଖଲ କରିଥିଲେ ଏବଂ ପର୍ପଲ କ୍ୟାପ୍‌ ମଧ୍ୟ ହାସଲ କରିଥିଲେ। କିନ୍ତୁ ‌ଟ୍ରଫି ଜିତିବାର ଗୌରବ ପାଇନଥିଲେ। ଶେଷ ଥର ପାଇଁ ୨୦୧୬ ମସିହାରେ ଭୁବନେଶ୍ବର କୁମାର ପର୍ପଲ୍ କ୍ୟାପ୍‌ (୧୪ ମ୍ୟାଚ୍‌ରୁ ୨୬ ୱିକେଟ୍‌) ନେବା ସହ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲ୍ ଟ୍ରଫି ଜିତିଥିଲେ।

ଅରେଞ୍ଜ୍ କ୍ୟାପ୍‌ ବିଜେତା ମଧ୍ୟ ବିଗତ ଦୁଇ ସଂସ୍କରଣରେ ଟ୍ରଫି ଜିତିପାରିନାହାନ୍ତି। ଶେଷ ଥର ପାଇଁ ୨୦୨୧ରେ ଅରେଞ୍ଜ୍ କ୍ୟାପ୍ ବିଜେତା ଋତୁରାଜ ଗାଏକ୍ବାଡ୍‌ (୧୬ ମ୍ୟାଚ୍‌ରୁ ୬୩୫ ରନ୍‌) ଚେନ୍ନାଇ ସୁପର୍ କିଙ୍ଗ୍ସକୁ ବିଜେତା କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ମୋଟ ଉପରେ ମାତ୍ର ୨ ଜଣ ଅରେଞ୍ଜ୍ କ୍ୟାପ୍‌ଧାରୀ (ରବିନ୍ ଉଥପ୍ପା, ୨୦୧୪, କେକେଆର୍‌ ଏବଂ ଋତୁରାଜ ଗାଏକ୍ବାଡ୍‌, ୨୦୨୧, ସିଏସ୍‌କେ) ସେହିବର୍ଷ ଟ୍ରଫି ଜିତିବାର ଗୌରବ ପାଇଛନ୍ତି। ସେହିଭଳି ମାତ୍ର ୩ ଜଣ ବୋଲର୍‌ ପର୍ପଲ କ୍ୟାପ୍‌ ସହିତ ଟ୍ରଫି ଜିତିବାର ସୌଭାଗ୍ୟ ପାଇଛନ୍ତି।‌ ସେମାନେ ହେଲେ ସୋହେଲ ତନଭୀର (ରାଜସ୍ଥାନ, ୨୦୦୮), ଆର୍‌ପି ସିଂହ (ଡେକାନ୍‌, ୨୦୦୯) ଏବଂ ଭୁବନେଶ୍ବର କୁମାର (ହାଇଦ୍ରାବାଦ, ୨୦୧୬)। ଅର୍ଥାତ୍‌ ୧୪ ଜଣ ବ୍ୟାଟର୍‌ ଏବଂ ୧୩ ଜଣ ବୋଲର୍‌ ଆଇପିଏଲ୍‌ର ସମ୍ମାନ ଜନକ ଟୋପି ଜିତିବା ବେଳେ ସେହି ସଂସ୍କରଣରେ ମୁକୁଟ ଜିତିବାରେ ସଫଳ ହୋଇନାହାନ୍ତି।

ଅନ୍ୟପକ୍ଷରେ ୪ ଥର ଏଭଳି ଘଟିଛି ଯେ ଗୋଟିଏ ଦଳ ଉଭୟ ବ୍ୟକ୍ତିଗତ ଟୋପି ଜିତିଥିଲେ ମଧ୍ୟ ସେହିବର୍ଷ ସମ୍ପୃକ୍ତ ଖେଳାଳି ଯୋଡ଼ିଙ୍କ ଦଳ ଟ୍ରଫି ଜିତିପାରିନାହିଁ। ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜେତା ‌ହୋଇଥିବା ବେଳେ ସିଏସ୍‌କେର ମାଇକେଲ୍ ହସି-ଡ୍ବାନ ବ୍ରାଭୋ, ୨୦୧୭ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜେତା ହୋଇଥିବା ବେଳେ ହାଇଦ୍ରାବାଦର ଡେଭିଡ୍ ୱାର୍ଣ୍ଣର-ଭୁବନେଶ୍ବର କୁମାର, ୨୦୨୨ରେ ଗୁଜରାଟ ଟାଇଟନ୍ସ ଟ୍ରଫି ଜିତିଥିବା ବେଳେ ରାଜସ୍ଥାନ ରୟାଲ୍ସର ଜୋସ୍ ବଟ୍ଟଲର-ୟୁଝବେନ୍ଦ୍ର ଚହଲ ଏବଂ ୨୦୨୩ରେ ସିଏସ୍‌କେ ରେକର୍ଡ ସମକକ୍ଷ ପଞ୍ଚମ ଟ୍ରଫି ଜିତିଥିବା ବେଳେ ଗୁଜରାଟର ଶୁବମନ ଗିଲ୍-ମହମ୍ମଦ ସାମି ବ୍ୟକ୍ତିଗତ ଟୋପି ଜିତିଥିଲେ ମଧ୍ୟ ନିରାଶ ହୋଇଥିଲେ।

ସମ୍ବନ୍ଧିତ ଖବର