ରୋମାଞ୍ଚକର ମୋଡ଼ରେ କେପ୍‌ଟାଉନ୍ ଟେଷ୍ଟ୍: ପନ୍ତଙ୍କ ପରାକ୍ରମୀ ଶତକ, ଲକ୍ଷ୍ୟ ୨୧୨, ଦକ୍ଷିଣ ଆଫ୍ରିକା ୧୦୧/୨

ଦୁଇ ପାଳିର ୨୦ ୱିକେଟ୍ କ୍ୟାଚ୍‌ ଆଉଟ୍‌ରେ ହରାଇବାରେ ଭାରତ ପ୍ରଥମ

କେପଟାଉନ୍: ଆଶ୍ଚର୍ଯ୍ୟଜନକ ଭାବେ ଉଚ୍ଚନୀଚ ରହୁଥିବା ଅତ୍ୟନ୍ତ କଷ୍ଟକର ପିଚ୍‌ରେ ଅସାଧାରଣ ଏକାଗ୍ରତା, ଅସୀମ ଅନୁଶାସନ ଏବଂ ସାହସି ଓ ଶୃଙ୍ଖଳିତ ବ୍ୟାଟିଂର ଅପୂର୍ବ ପରାକାଷ୍ଠା ଦେଖାଇ ଭାରତୀୟ ୱିକେଟ୍ ରକ୍ଷକ ଋଷଭ ପନ୍ତ (୧୦୦*) କୀର୍ତ୍ତିମାନଭରା ଅପରାଜିତ ଶତକ ଅର୍ଜନ କରିବା ପରେ ଶୃଙ୍ଖଳା ନିର୍ଣ୍ଣାୟକ କେପ୍‌ଟାଉନ୍ ଟେଷ୍ଟ୍‌ ରୋମାଞ୍ଚକର ମୋଡ଼ରେ ରହିଛି। ୨୧୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଘରୋଇ ଦକ୍ଷିଣ ଆଫ୍ରିକା ୧୦୧ ରନ୍‌ରେ ଦୁଇଟି ୱିକେଟ୍ ହରାଇ ଦୃଢ଼ ସ୍ଥିତିରେ ରହିଥିଲା ବେଳେ ଦିନର ଶେଷ ବଲ୍‌ରେ ପ୍ରତିପକ୍ଷ ଅଧିନାୟକ ଡିନ୍ ଏଲଗାରଙ୍କୁ ଆଉଟ୍ କରି ଭାରତ ମ୍ୟାଚ୍‌କୁ ଫେରିଛି। ଦକ୍ଷିଣ ଆଫ୍ରିକା ବି ସେହି ୧୦୧/୨ରେ ଦିନର ଖେଳ‌ ଶେଷ କରିଛି। ବିପଜ୍ଜନକ ଏଲ୍‌ଗାରଙ୍କୁ ଯଶପ୍ରୀତ ବୁମ୍‌ରା ଆଉଟ୍ କରିଥିଲେ। ଅମ୍ପାୟାର ଅପିଲ ନାକଚ କରିବା ପରେ ରିଭ୍ୟୁରେ ସଫଳ ‌ହୋଇ ଭାରତ ତାଙ୍କ ୱିକେଟ୍ ପାଇଥିଲା। ମହମ୍ମଦ ସାମି ପ୍ରଥମ ୱିକେଟ୍ ଭାବେ ଏଦେନ ମର୍କରାମଙ୍କୁ କେଏଲ୍‌ ରାହୁଲଙ୍କ ହାତରେ କ୍ୟାଚ୍ କରାଇଥିଲେ। ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଆଉ ୧୧୧ ରନ୍‌ର ଦରକାର ଥିଲା ବେଳେ ଭାରତକୁ ମ୍ୟାଚ୍ ସହ ଶୃଙ୍ଖଳା ଜିତିବା ଲାଗି ଦରକାର ୮ ୱିକେଟ୍। କିଗାନ ପିଟରସନ୍ ୪୮ ରନ୍‌ରେ ଅପରାଜିତ ରହିବା ଅବଶ୍ୟ ଭାରତକୁ ଚିନ୍ତାରେ ପକାଇଛି। ସେହି ଦୃଷ୍ଟିରୁ ଶୁକ୍ରବାର ଚତୁର୍ଥ ଦିନର ଖେଳ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ‌ହେବାକୁ ଯାଉଛି।

ଗୁରୁବାର ଭାରତ ୫୭/୨ରୁ ଖେଳ ଆରମ୍ଭ କରିଥିଲା। ହେଲେ ଗୋଟିଏ ରନ୍ ଭିତରେ ଚେତେଶ୍ବର ପୂଜାରା (୯) ଓ ଅଜିଙ୍କ୍ୟ ରାହାଣେ (୧)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଏହା ପରେ ଅଧିନାୟକ ବିରାଟ କୋହଲି (୨୯) ଓ ପନ୍ତ ପାଳି ଗଢ଼ିବା ଆରମ୍ଭ କରିଥି‌ଲେ। ଉଭୟ ଅସୀମ ଧୈର୍ଯ୍ୟର ସହ ଖେଳି ପଞ୍ଚମ ୱିକେଟ୍‌ରେ ମହତ୍ବପୂର୍ଣ୍ଣ ୯୬ ରନ୍ ଯୋଡ଼ିଥିଲେ। ମଧ୍ୟାହ୍ନ ଭୋଜନ ବିରତି ବେଳକୁ ୪ ୱିକେଟ୍ ବିନିମୟରେ ୧୩୦ ରନ୍ କରି ଏକପ୍ରକାର ଭଲ ସ୍ଥିତିରେ ଥିଲା ଭାରତ। ତେବେ ବିରତି ପରେ ଦକ୍ଷିଣ ଆଫ୍ରିକା ଚମତ୍କାର ଢଙ୍ଗରେ ମ୍ୟାଚ୍‌କୁ ଫେରିଥିଲା। ଲୁଙ୍ଗି ଏନ୍‌ଗିଡ଼ି ଚତୁରତାର ସହ କୋହଲିଙ୍କୁ ଏଲ୍‌ଗାରଙ୍କ ହାତରେ କ୍ୟାଚ୍ କରାଇବା ପରେ ଭାରତର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ପନ୍ତ ଏକାଧିକ ଦର୍ଶନୀୟ ସଟ୍ ଖେଳିଥିଲେ ମଧ୍ୟ ନିମ୍ନକ୍ରମ ବ୍ୟାଟର୍‌ଙ୍କ ଅସହଯୋଗ ପାଇଁ ଭାରତ ପାଳି ୨୧୧ ରନ୍‌ରେ ଶେଷ ହୋଇଯାଇଥିଲା। ମାତ୍ର ୪୭ ରନ୍‌ରେ ହିଁ ଭାରତର ୬ ୱିକେଟ୍‌ର ପତନ ହୋଇଥିଲା। ଫଳରେ ପନ୍ତଙ୍କ ପରାକ୍ରମୀ ଶତକ ସତ୍ତ୍ବେ ଭାରତର ଦ୍ବିତୀୟ ପାଳି ୧୯୮ ରନ୍‌ରେ ଶେଷ ହୋଇଯାଇଥିଲା। ତେବେ ପ୍ରଥମ ପାଳିର ୧୩ ରନ୍‌ର ଅଗ୍ରଣୀକୁ ମିଶାଇ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୧୨ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଭାରତର ଉଭୟ ପାଳିର ୨୦ ଜଣ ଯାକ ବ୍ୟାଟର୍‌ କ୍ୟାଚ୍ ଆଉଟ୍ ହୋଇଥିଲେ। ଆଉ ଏଭଳି ଘଟଣା ଟେଷ୍ଟ୍ କ୍ରିକେଟ୍‌ରେ ପ୍ରଥମ ଥର ପାଇଁ ଘଟିଥିଲା।

ସମ୍ବନ୍ଧିତ ଖବର