କେପ୍ଟାଉନ୍: ଯଶପ୍ରୀତ ବୁମ୍ରା (୫/୪୨)ଙ୍କ ପରାକ୍ରମୀ ପାଞ୍ଚ ୱିକେଟ୍ ସଫଳତା ବଳରେ ଶୃଙ୍ଖଳା ନିର୍ଣ୍ଣାୟକ କେପ୍ଟାଉନ୍ ଟେଷ୍ଟ୍ରେ ଭାରତ ୧୩ ରନ୍ର ପ୍ରଥମ ପାଳି ଅଗ୍ରଣୀ ଲାଭ କରିଛି। ଛୋଟ ହେଲେ ବି ପ୍ରଥମ ପାଳିରେ ଆଗୁଆ ରହି ଘରୋଇ ଦକ୍ଷିଣ ଆଫ୍ରିକା ଉପରେ ମନସ୍ତାତ୍ତ୍ବିକ ଚାପ ସୃଷ୍ଟି କରିପାରିଛି। ବୁମ୍ରାଙ୍କ ସହ ମହମ୍ମଦ ସାମି, ଶାର୍ଦୁଳ ଠାକୁର ଏବଂ ଶୃଙ୍ଖଳାରେ ପ୍ରଥମ ଥର ପାଇଁ ଖେଳୁଥିବା ଅଭିଜ୍ଞ ଉମେଶ ଯାଦବ ମଧ୍ୟ ଦକ୍ଷିଣ ଆଫ୍ରିକା ବ୍ୟାଟର୍ଙ୍କୁ ନିୟମିତ ଭାବେ ଅଡ଼ୁଆରେ ପକାଇଥିଲେ। ଯାହା ଫଳରେ ଭାରତର ୨୨୩ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ୨୧୦ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ତେବେ ଦ୍ବିତୀୟ ଦିନ ଖେଳ ଶେଷ ଆଡ଼କୁ ଦ୍ବିତୀୟ ପାଳି ଆରମ୍ଭ କରିଥିବା ଭାରତର ଦୁଇ ଓପନରଙ୍କୁ ପ୍ୟାଭିଲିୟନ ଫେରାଇ ଦକ୍ଷିଣ ଆଫ୍ରିକା ଭ୍ରମଣକାରୀ ଭାରତ ଉପରେ ପାଲଟା ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ମୟଙ୍କ ଅଗ୍ରୱାଲ (୭) ଓ କେଏଲ୍ ରାହୁଲ (୧୦)ଙ୍କ ବହୁମୂଲ୍ୟ ୱିକେଟ୍କୁ ୫.୫ ଓଭର ଭିତରେ ବାଣ୍ଟି ନେଇ କାଗିସୋ ରବାଦା ଓ ମାର୍କୋ ଜାନସେନ ଘରୋଇ ଦକ୍ଷିଣ ଆଫ୍ରିକା ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ହେଲେ ଏହି ଖୁସି କ୍ଷଣ ସ୍ଥାୟୀ ଥିଲା। ଏହି ଦୁଇ ଜଣଙ୍କ ଅଗ୍ନିବର୍ଷୀ ସ୍ପେଲ୍ ସତ୍ତ୍ବେ ଅଧିନାୟକ ବିରାଟ କୋହଲି (୧୪) ଓ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା (୯) ଅପରାଜିତ ରହି ସ୍ଥିତି ସୁଧାରି ନେଇଥିଲେ। ସେଥିପାଇଁ ଷ୍ଟମ୍ପ୍ସ ଅପସାରଣ ବେଳକୁ ୨ ୱିକେଟ୍ରେ ୫୭ ରନ୍ କରି ମୋଟ ଉପରେ ୭୦ ରନ୍ରେ ଆଗୁଆ ରହିଥିଲା ଭାରତ। ପ୍ରଥମ ଭଳି ଦ୍ବିତୀୟ ଦିନରେ ମଧ୍ୟ ୧୧ ୱିକେଟର ପତନ ଘଟିଥିଲା।
ମଙ୍ଗଳବାର ୧୭/୧ର ସ୍କୋରରୁ ଖେଳ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକାକୁ ଦ୍ବିତୀୟ ବଲ୍ରେ ହିଁ ବୁମ୍ରା ଦିନର ପ୍ରଥମ ଝଟ୍କା ଦେଇଥିଲେ। ଏଦେନ ମର୍କରାମ (୮)ଙ୍କୁ ଏକ ଶାଣିତ ଇନସୁଇଂଗରରେ କ୍ଲିନ୍ ବୋଲ୍ଡ କରି ଦକ୍ଷିଣ ଆଫ୍ରିକା ଶିବିରରେ ଆତଙ୍କ ଖେଳାଇ ଦେଇଥିଲେ। ରାତ୍ର ଜଗୁଆଳି କେଶବ ମହାରାଜ (୨୫) ବିପଜ୍ଜନକ ହେବା ପୂର୍ବରୁ ଉମେଶ ତାଙ୍କୁ ନିଜର ପ୍ରଥମ ଶିକାର କରି ନେଇଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ପାଳିର ଏକମାତ୍ର ଅର୍ଦ୍ଧଶତକ ହାସଲକାରୀ କିଗାନ ପିଟରସନ୍ (୭୨) ଓ ରାସି ଭାନଡେର ଦୁସେନ (୨୧) ସାହସର ସହ ଖେଳିବା ପରେ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ୧୦୦ ରନ୍ରେ ୩ ୱିକେଟ୍ ହରାଇ ଦକ୍ଷିଣ ଆଫ୍ରିକା ଏକପ୍ରକାର ସୁରକ୍ଷିତ ସ୍ଥିତିରେ ଥିଲା। ବିରତି ପରେ ଦୁସେନଙ୍କୁ କୋହଲିଙ୍କ ହାତରେ ଧରାଇ ଉମେଶ ଯୋଡ଼ି ଭାଙ୍ଗିଥିଲେ। ତେବେ ସେପର୍ଯ୍ୟନ୍ତ ୱିକେଟ୍ ଶୂନ୍ୟ ରହିଥିବା ମହମ୍ମଦ ସାମି ଗୋଟିଏ ଓଭରରେ ଦୁଇଟି ଝଟ୍କା ଦେଇ ଭାରତକୁ ମ୍ୟାଚ୍ରୁ ଫେରାଇ ଆଣିଥିଲେ। ଫର୍ମରେ ଥିବା ତେମ୍ବା ବଭୁମା (୨୮)ଙ୍କୁ କୋହଲିଙ୍କ ହାତରେ କ୍ୟାଚ୍ କରାଇବାର ମାତ୍ର ଗୋଟିଏ ବଲ୍ ପରେ ପ୍ରତିପକ୍ଷ ୱିକେଟ୍ ରକ୍ଷକ କାଇଲ ଭେରିନେଙ୍କୁ ଋଷଭ ପନ୍ତଙ୍କ ହାତରେ କ୍ୟାଚ୍ କରାଇ ସେ ହିଁ ଖେଳର ମୋଡ଼ ବଦଳାଇ ଦେଇଥିଲେ। ଫଳରେ ଚା’ପାନ ବରତି ବେଳକୁ ୧୭୬ ରନ୍ରେ ୭ ୱିକେଟ୍ ହରାଇ ସଂଘର୍ଷ କରିବା ଆରମ୍ଭ କରିଥିଲା। ଦକ୍ଷିଣ ଆଫ୍ରିକାର ପରବର୍ତ୍ତୀ ୩ ୱିକେଟ୍ ବୁମ୍ରା ପୋଛିନେବା ପରେ ଘରୋଇ ଦଳ ଅଗ୍ରଣୀ ହାସଲ କରିବାର ସୁଯୋଗରୁ ବଞ୍ଚିତ ହୋଇଥିଲା। ଲୁଙ୍ଗି ଏନ୍ଗିଡ଼ିକୁ ଲେନ୍ଥ ବଲ୍ରେ ଆଉଟ୍ କରି ୪ ବର୍ଷ ତଳେ ଯେଉଁ ପଡ଼ିଆରେ ଟେଷ୍ଟ୍ ପଦାର୍ପଣ କରିଥିଲେ ସେହିଠାରେ ସପ୍ତମ ଥର ପାଇଁ ୫ ୱିକେଟ୍ ସଫଳତା ଲାଭ କରିଥିଲେ ବୁମ୍ରା।
ଟେଷ୍ଟ୍ କ୍ୟାଚ୍ରେ କୋହଲିଙ୍କ ଶତକ
ଭାରତୀୟ ଅଧିନାୟକ ବିରାଟ କୋହଲି ଟେଷ୍ଟ୍ କ୍ୟାଚ୍ ନେବାରେ ଶତକ ପୂରଣ କରିଛନ୍ତି। ବୁଧବାର ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ସେ ୨ଟି କ୍ୟାଚ୍ ନେଇଥିଲେ। ପ୍ରଥମେ ଉମେଶ ଯାଦବଙ୍କ ବୋଲିଂରେ ରାସି ଭାନ୍ ଦେର୍ ଦୁସେନ ଏବଂ ପରେ ମହମ୍ମଦ ସାମିଙ୍କ ବୋଲିଂରେ ତେମ୍ବା ବଭୂମାଙ୍କୁ ଆଉଟ୍ କରି ସେ ୧୦୦ତମ କ୍ୟାଚ୍ ଧରିବାର ମାଇଲଖୁଣ୍ଟ ଛୁଇଁଥିଲେ। ଜଣେ ୱିକେଟ୍ରକ୍ଷକ ନହୋଇ ୧୦୦ କ୍ୟାଚ୍ ଧରିବାରେ କୋହଲି ଷଷ୍ଠ ଭାରତୀୟ କ୍ଷେତ୍ରରକ୍ଷକ ବିବେଚିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/5hsf4h65fs4hf65hhffhfh.jpg)