କ୍ୟାପିଟାଲ୍‌ କିଙ୍ଗ୍‌ସ ଜିତିଲା ଓଟିପିଏଲ୍ ଟ୍ରଫି

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ଓଡ଼ିଶା ଟେନିସ୍ ପ୍ରିମି୍ୟର୍ ଲିଗ୍‌ (ଓଟିପିଏଲ୍‌)ର ତୃତୀୟ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲରେ ଅଣଓଡ଼ିଆ ଖେଳାଳିଙ୍କୁ ନେଇ ଗଠିତ କ୍ୟାପିଟାଲ କିଙ୍ଗ୍ସ ୨୩-୨୧ରେ ଭଦ୍ରକ ଭିକ୍ଟର୍ସକୁ ପରାସ୍ତ କରିଥିଲା। ପ୍ରଥମ ୩ ମୁକାବିଲାକୁ (୬-୧, ୬-୫, ୬-୧) ଜିତି ନେଇଥିଲେ ମଧ୍ୟ ଶେଷ ୨ଟିକୁ ଭଦ୍ରକ ଜିତିଥିଲା। ଶେଷ ମ୍ୟାଚ୍‌ଟିରେ ମାତ୍ର ଗୋଟିଏ ପଏଣ୍ଟ୍ ପାଇଁ ଭଦ୍ରକ ଟାଇରୁ ବଞ୍ଚିତ ହୋଇଥିଲା। ପଞ୍ଚମ ତଥା ଶେଷରେ ଖେଳାଯାଇଥିବା ଦ୍ବିତୀୟ ପୁରୁଷ ଏକକରେ ସୁରଜ ପ୍ରବୋଧ ୮-୫ରେ ୟାଶ ପ୍ରବୋଧଙ୍କୁ ପରାସ୍ତ କରିଥିଲେ ମଧ୍ୟ ଅଳ୍ପକେ ସୁପର ଟାଇବ୍ରେକର ସ‌ୁଯୋଗ ହାତେଇ ପାରିନଥିଲେ। ପୂର୍ବରୁ ପ୍ରଥମ ପୁରୁଷ ଏକକରେ କ୍ୟାପିଟାଲ୍ସର ଆଲେକ୍ସ ସୋଲାଙ୍କୀ ୬-୧ରେ ଭଦ୍ରକର କୁମାର ଅନୁରାଗ ସରଣଙ୍କୁ, ମହିଳା ଏକକରେ ଦକ୍ଷତା ପଟେଲ୍‌ ୬-୫ରେ ଋତୁପର୍ଣ୍ଣା ଚୌଧୁରୀଙ୍କୁ, ପୁରୁଷ ଯୁଗଳରେର ଆଲେକ୍ସ ସୋଲାଙ୍କୀ-ୟାଶ ଯାଦବ ୬-୧ରେ ଅଜୟ ନିଶଙ୍କ-କୁମାର ଅନୁରାଗ ଶରଣଙ୍କୁ ପରାସ୍ତ କରିଥିଲେ। ମିଶ୍ରିତ ଯୁଗଳରେ କିନ୍ତୁ ଭଦ୍ରକ ଯୋଡ଼ି ଋତୁପର୍ଣ୍ଣା ଚୌଧୁରୀ-ସୁରଜ ପ୍ରବୋଧ ୬-୦ରେ ଦକ୍ଷତା ପଟେଲ୍‌ ଓ ସଚିନ ପାଟିଲଙ୍କୁ ହରାଇ ଚମତ୍କାର ପ୍ରତ୍ୟାବର୍ତନ କରିଥିଲେ। କିନ୍ତୁ ହାତରୁ ସ‌ୁଯୋଗ ଖସିଯାଇଥିବା‌ରୁ ସୁରଜଙ୍କ ଟାଇବ୍ରେକ୍ ବିଜୟ ବି ଦଳକୁ ଟ୍ରଫି ବିଜୟଠାରୁ ଦୂରେଇ ରଖିଥିଲା। ‘ଟ୍ରଫି ବିଜୟର ଅଂଶୀଦାର ହୋଇଥିବାରୁ ମୁଁ ଖୁବ୍ ଆନନ୍ଦିତ। ଓଡ଼ିଶାରେ ମୁଁ ଆଗରୁ ଖେଳିଛି। ଓଟିପିଏଲ୍‌ ନିଶ୍ଚିତ ଏକ ଭିନ୍ନଧରଣର ପ୍ରତିଯୋଗିତା ଏବଂ ଯୁବ ଖେଳାଳିଙ୍କ ପାଇଁ ପର୍ଯ୍ୟାପ୍ତ ସ‌ୁଯୋଗ ଦେଉଛି’ ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ ନିର୍ଣ୍ଣାୟକ ଶେଷ ପୁରୁଷ ଏକକ ଖେଳିଥିବା କ୍ୟାପିଟାଲ କିଙ୍ଗ୍ସର ଇନ୍ଦୋର ପ୍ରତିଭା ୟଶ ଯାଦବ। ପ୍ରଥମ ଦୁଇ ବର୍ଷ କେନ୍ଦ୍ରାପଡ଼ା ଜିତିଥିବାବେଳେ ପ୍ରଥମ ଥର ପାଇଁ କ୍ୟାପିଟାଲ କିଙ୍ଗ୍ସ ବିଜେତା ମୁକୁଟ ହା‌ସଲ କରିଛି।

ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରା, ପୂର୍ବତନ ଟେନିସ ଖେଳାଳି ସ୍ବିକୃତି ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ, ବ୍ରାଣ୍ଡ୍ ଆମ୍ବାସାଡର୍‌ ଅଭିନେତା ସବ୍ୟସାଚୀ ମିଶ୍ର, ଆମ୍ବେଦକର ଫାଉଣ୍ଡେସନ୍‌ ନିର୍ଦେଶକ ଡକ୍ଟର ଦେବେନ୍ଦ୍ର ପ୍ରସାଦ ମାଝୀ, ଆୟୋଜକ ନୀଳାଚଳ ସ୍ପୋର୍ଟସ ଫାଉଣ୍ଡେସନ୍‌ର ମୁଖ୍ୟ ତଥା ପ୍ରତିଯୋଗିତା ନ‌ିର୍ଦେଶକ ଦିଲୀପ ମହାନ୍ତି ଏବଂ ବିଜେତା କ୍ୟାପିଟାଲ୍‌ କିଙ୍ଗ୍ସର ମାଲିକ ମୟୂରେଶ ଦାଶ ଓ ବନ୍ଦନା ଶର୍ମା ଉପସ୍ଥିତ ଥିଲେ। ଏହି ଅବସରରେ ଦୁଇ ଜଣ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପ୍ରିୟାଂଶୀ ପାଣିଗ୍ରାହୀ ଏବଂ ସମ୍ପ୍ରିତ ଶର୍ମାଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର