କଟକ : ସୋମବାରଠୁ ଆରମ୍ଭ ହେଉଥିବା ଓଡ଼ିଶା ଟ୍ବେଣ୍ଟି-୨୦ କ୍ରିକେଟ୍ ଲିଗ୍ (ଓସିଏଲ୍) ପାଇଁ ବିଭିନ୍ନ ଦଳର ଅଧିନାୟକ ଓ ପ୍ରଶିକ୍ଷକଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ରଣଜୀ ଅଧିନାୟକ ଶୁଭ୍ରାଂଶୁ ସେନାପତି ଓ ନଟରାଜ ବେହେରା ଓଡ଼ିଶା ଟାଇଗର୍ସର ଅଧିନାୟକ ଓ ପ୍ରଶିକ୍ଷକଭାବେ ମନୋନୀତ ହୋଇଛନ୍ତି। ସେହିପରି ଓଡ଼ିଶା ଚିତାସ୍ ପାଇଁ ସୂର୍ଯ୍ୟକାନ୍ତ ପ୍ରଧାନ ଅଧିନାୟକ, ଅବକାଶ ଖଟୁଆ ପ୍ରଶିକ୍ଷକ, ଓଡ଼ିଶା ପାନ୍ଥର୍ସ ପାଇଁ ସନ୍ଦୀପ ପଟ୍ଟନାୟକ ଅଧିନାୟକ ଓ ବସନ୍ତ ମହାନ୍ତି ପ୍ରଶିକ୍ଷକ, ଓଡ଼ିଶା ପ୍ୟୁମାସ୍ ପାଇଁ ସ୍ବସ୍ତିକ ସାମଲ ଅଧିନାୟକ ଓ ଦେବଦତ୍ତ ଲେଙ୍କା ପ୍ରଶିକ୍ଷକ, ଓଡ଼ିଶା ଲାୟନ୍ସ ପାଇଁ ବିପ୍ଲବ ସାମନ୍ତରାୟ ଅଧିନାୟକ ଓ ସୁରେଶ କୁମାର ପ୍ରଶିକ୍ଷକ, ଓଡ଼ିଶା ଜାଗୁଆର୍ସ ପାଇଁ ଗୋବିନ୍ଦ ପୋଦ୍ଦାର ଅଧିନାୟକ ଓ ଦୀପକ ବେହେରା ପ୍ରଶିକ୍ଷକ ରହିଛନ୍ତି।
ପ୍ରତ୍ୟେକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳିଙ୍କୁ ୪ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିଙ୍କୁ ୨୦ ହଜାର ଟଙ୍କା ପୁରସ୍କାର ମିଳିବ। ସେହିପରି ପ୍ରତିଯୋଗିତାରେ ସର୍ବାଧିକ ରନ୍ ସଂଗ୍ରହକାରୀଙ୍କୁ ନାଲି ଟୋପି ଏବଂ ସର୍ବାଧିକ ୱିକେଟ୍ ନେଉଥିବା ଖେଳାଳିଙ୍କୁ ସବୁଜ ଟୋପି ପ୍ରଦାନ କରାଯିବ। ପ୍ରଥମ ଥର ପାଇଁ ଏହି ଲିଗ୍ରେ ଇମ୍ପାକ୍ଟ ପ୍ଲେୟାର ନିୟମକୁ ଲାଗୁ କରାଯାଇଥିବା ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓସିଏ ସିଇଓ ସୁବ୍ରତ ବେହେରା ଓ ଟିସିଏମ୍ ଅପରେସନ୍ ମ୍ୟାନେଜର କାବ୍ୟା କମଳଦୀପ ସୂଚନା ଦେଇଛନ୍ତି।