ଅଧିନାୟକ କୋହଲି କିଛି ଜିତି ନାହାନ୍ତି, ଆଇସିସି ଟ୍ରଫି ନଜିତିବା ପର୍ଯ୍ୟନ୍ତ ମହାନ ‌‌ହୋଇ ପାରିବେନି: ଗମ୍ଭୀର

ନୂଆଦିଲ୍ଲୀ: ବ୍ୟକ୍ତିଗତ ମାଇଲଖୁଣ୍ଟ କଥା ପଡ଼ିଲେ, ଭାରତୀୟ ଅଧିନାୟକ ବିରାଟ ‌କୋହଲି ଅନେକ କିଛି ହାସଲ କରି ସାରିଛନ୍ତି। ଦିନିକିଆରେ ସେ ୪୩ ଓ ଟେଷ୍ଟ୍‌ରେ ୨୭ ଶତକ ଅର୍ଜନ କରିଛନ୍ତି। ଦିନିକିଆରେ ୧୧,୦୦୦ରୁ ଅଧିକ ରନ୍ କରି ସାରିଥିବା କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତର୍ଜାତୀୟ ଶତକ କୀର୍ତ୍ତିମାନ ଦିନେ ନା ଦିନେ ଭାଙ୍ଗିବେ ବୋଲି କ୍ରିକେଟ୍ ପଣ୍ଡିତମାନେ ଭବିଷ୍ୟବାଣୀ କରନ୍ତି। ଆଧୁନିକ କ୍ରିକେଟ୍‌ର ଅନ୍ୟତମ ମହାନ ବ୍ୟାଟ୍ସମ୍ୟାନର ମାନ୍ୟତା ଲାଭକରିଥିବା କୋହଲି କିନ୍ତୁ ଏ ପର୍ଯ୍ୟନ୍ତ ଅଧିନା‌ୟକ ଭାବେ ଗୋଟିଏ ହେଲେ ବି ଆଇସିସି ଟ୍ରଫି ଜିତି ପାରି ନାହାନ୍ତି। ଏପରିକି ଦୀର୍ଘ ବର୍ଷ ହେବ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ନେତୃତ୍ବ ନେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୋହଲି ଏହି ଦଳକୁ ଆଇପିଏଲ୍ ବି‌ଜେତା କରି ପାରି ନାହାନ୍ତି। କୋହଲିଙ୍କୁ ନେଇ ହୋଇ ଆସୁଥିବା ଏହି ସମାଲୋଚନା ସହ ପୂର୍ବତନ ଭାରତୀୟ କ୍ରିକେଟର ତଥା କୋହଲିଙ୍କ ପୁରୁଣା ସାଥୀ ଗୌତମ ଗମ୍ଭୀର ଏକମତ ହୋଇଛନ୍ତି। ୩୧ ବର୍ଷୀୟ କୋହଲିଙ୍କ ପାଇଁ ଆଉ କୌଣସି ମାଇଲଖୁଣ୍ଟ ଛୁଇଁବା ବାକି ଅଛି? ବୋଲି ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ଗମ୍ଭୀର କହିଛନ୍ତି ‘‘ଦଳୀୟ କ୍ରୀଡ଼ାରେ ବହୁତ କିଛି ହାସଲ କରିବା ବାକି ଅଛି। ଆପଣ ନିଜ ପାଇଁ ଅଜସ୍ର ରନ୍ ସଂଗ୍ରହ କରି ପାରନ୍ତି, କ୍ରିକେଟ୍‌ରେ ବ୍ରାଏନ ଲାରାଙ୍କ ଭଳି ଖେଳାଳି ଅଛନ୍ତି ଯିଏ ପ୍ରଚୁର ରନ୍ କରିଛନ୍ତି।

ଜ୍ୟାକ୍ କାଲିସଙ୍କ ଭଳି ଖେଳାଳି ମଧ୍ୟ ଗୋଟିଏ ହେଲେ ବି ବିଶ୍ବକପ୍ ଜିତି ନାହାନ୍ତି। ସତ କହିବାକୁ ଗଲେ ଜଣେ ଅଧିନାୟକ ଭାବେ ବିରାଟ କୋହଲି ଆଜି ପର୍ଯ୍ୟନ୍ତ କିଛି ବି ଜିତି ନାହାନ୍ତି। ତାଙ୍କୁ ଏବେବି ବହୁତ କିଛି ହାସଲ କରିବାର ଅଛି। ସେ ବ୍ୟକ୍ତିଗତ ଭାବେ ରନ୍‌ର ପାହାଡ଼ ସୃଷ୍ଟି କରି ପାରନ୍ତି, ହେଲେ ମୋ ପାଇଁ ଏକ ଦଳଗତ ଖେଳରେ, ଆପଣ ସେହି ବିଶ୍ବସ୍ତରୀୟ ଟ୍ରଫିଗୁଡ଼ିକ ଯଦି ନଜିତିବେ, ତାହାଲେ ଆପଣଙ୍କୁ କେ‌ବେବି ଜଣେ ମହାନ ଖେଳାଳି କିମ୍ବା ଅଧିନାୟକର ପରିଚୟ ମିଳିବିନି। ଏହା ଛଡ଼ା ଆପଣଙ୍କ ଖେଳ ଜୀବନ ଏକପ୍ରକାର ଅସପୂର୍ଣ୍ଣ’’। ସେହିଭଳି ଦଳଗତ ସଫଳତା ପାଇଁ କୋହଲିଙ୍କୁ ପରାମର୍ଶ ଦେବାକୁ ଯାଇ ୩୮ ବର୍ଷୀୟ ଗମ୍ଭୀର ମତ ରଖିଛନ୍ତି ଯେ କୋହଲିଙ୍କୁ ମନେ ରଖିବାକୁ ହେବ ଯେ ତାଙ୍କ ଦଳର ସବୁ ଖେଳାଳି ଭିନ୍ନ ଭିନ୍ନ ବ୍ୟକ୍ତିତ୍ବର ଅଧିକାରୀ। ସେମାନଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ ଉପଯୋଗ କରିବା ଉଚିତ। କୋହଲିଙ୍କ ଭଳି ଦକ୍ଷତା ହୁଏତ ଅନ୍ୟ ଖେଳାଳିଙ୍କ ପାଖରେ ନଥାଇ ପା‌ରେ। ଖେଳାଳିମାନଙ୍କୁ ସେମାନଙ୍କ ସ୍ବାଭାବିକ ସ୍ଥିତିରେ ଗ୍ରହଣ କରିବା ଅଧିନାୟକ ଭାବେ ତାଙ୍କର ସବୁଠାରୁ ବଡ଼ ଗୁଣ ହେବା କଥା। କୌଣସି ଖେଳାଳିଙ୍କୁ ଅନ୍ୟ ଖେଳାଳିଙ୍କ ସହ ତୁଳନା କରାଯିବା ଠିକ୍ ନୁହେଁ। ସମସ୍ତଙ୍କର ଦକ୍ଷତା ଓ ଦୁର୍ବଳତା, ଦୁଇଟି ଦିଗ ରହିଛି। ମହମ୍ମଦ ସାମି କେବେବି ଯଶପ୍ରୀତ ବୁମରା ହୋଇ ପାରିବେନି, ସେହିଭଳି ‌କେଏଲ୍ ରାହୁଲ କୌଣସି ପରିସ୍ଥିତିରେ ବିରାଟ କୋହଲି ହୋଇ ପାରିବେନି। ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ ସମସ୍ତେ ଅଲଗା ଅଲଗା ଗୁଣର ଅଧିକାରୀ। ଏମାନଙ୍କ ପ୍ରତିଭା କୋହଲିଙ୍କ ପ୍ରତିଭା ସହ ସମାନ ହୋଇ ନପାରେ। ହେଲେ ସେମାନଙ୍କ ପ୍ରତିଭାକୁ କିଭଳି ଭାବେ ପୂର୍ଣ୍ଣ ଉପଯୋଗ କରିହେବ, ସେ ବାଟ କୋହଲି ବାହାର କରିବା ଦରକାର। ବଡ଼ ପ୍ରତିଯୋଗିତା ଜିତିବା ଲାଗି ଏହାହିଁ ଏକମାତ୍ର ବାଟ ହୋଇପାରେ।

ସମ୍ବନ୍ଧିତ ଖବର