ମନ୍ଥର ବୋଲିଂ ପାଇଁ ନିଲମ୍ବିତ ହେ‌ବେନି ଅଧିନାୟକ

ବଦଳ ଖେଳାଳିକୁ ଅନୁମୋଦନ

ଲଣ୍ଡନ୍‌: ବିଭିନ୍ନ ଦେଶର କ୍ରିକେଟ୍ ଅଧିନାୟକଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ସ୍ଲୋ ଓଭର ରେଟ୍ ତଥା ମନ୍ଥର ବୋଲିଂ ପାଇଁ ଆଉ ଅଧିନାୟକଙ୍କୁ ନିଲମ୍ବିତ ହେବାକୁ ପଡ଼ିବ ନାହିଁ। କିନ୍ତୁ ଏଭଳି ଦଣ୍ଡ ପାଇଁ ଦଳର ପଏଣ୍ଟ୍‌ କଟାଯିବ ଏବଂ ସମସ୍ତ ଖେଳାଳିଙ୍କୁ ଜରିମାନା କରାଯିବ। ଅଗଷ୍ଟ ପହିଲାରୁ ଆରମ୍ଭ ହେଉଥିବା ଆସେସ୍ ଶୃଙ୍ଖଳାରୁ ଏହା ଲାଗୁ ହେବ ବୋଲି ଆଇସିସି ନିଷ୍ପତ୍ତି ନେଇଛି। ପୂର୍ବରୁ ଆଇସିସି କ୍ରିକେଟ୍ ସମିତି ଏଭଳି ପ୍ରସ୍ତାବକୁ ସୁପାରିସ୍ କରିଥିଲା। ଆସେସ ଶୃଙ୍ଖଳାରୁ ଆଇସିସି‌ ଟେଷ୍ଟ୍ ପ୍ରତିଯୋଗିତା (୨୦୧୯-୨୦୨୧) ଆରମ୍ଭ ହେଉଛି। ଏହି ଅବଧିରେ ନିର୍ଧାରିତ ସମୟ ମଧ୍ୟରେ ଯେ‌ତିକି କମ୍ ବୋଲିଂ ହେବ ଓଭର ପିଛା ୨ ପଏଣ୍ଟ୍ କଟାଯିବ ବୋଲି ଆଇସିସି ଏକ ବିବୃତ୍ତିରେ ଦର୍ଶାଇଛି। ତେବେ ସବୁଠାରୁ ବଡ଼ ଉଚ୍ଛେଦ ହୋଇଛି ‘ଅଧିନାୟକଙ୍କ ନିଲମ୍ବନ’ ଦଣ୍ଡ। ମନ୍ଥର ବୋଲିଂ ହେଲେ ଏଣିକି ଆଉ ଅଧିନାୟକଙ୍କ ଉପରେ ନିଲମ୍ବନ ଦଣ୍ଡ ଝୁଲିବ ନାହିଁ। ସମସ୍ତ ଖେଳାଳି ସମାନ ଭାବେ ଦାୟୀ ରହିବେ ଏବଂ ଅଧିନାୟକଙ୍କ ସହିତ ସମାନ ଭାବେ ଦଣ୍ଡିତ ହେବେ। ପୂର୍ବ ନିୟମ ଅନୁସାରେ ବର୍ଷକ ଭିତରେ ଗୋଟିଏ ଦେଶ ଦୁଇ ଥର ମନ୍ଥର ବୋଲିଂ ହାରର ଶିକାର ‌ହେଲେ ସମ୍ପୃକ୍ତ ଅଧିନାୟକ ନିଲମ୍ବିତ ହେଉଥିଲେ।

ବଦଳ ଖେଳାଳିକୁ ଅନୁମୋଦନ
ଲଣ୍ଡନ୍‌ରେ ଅନୁଷ୍ଠିତ ‌ଆଇସିସିର ବୋର୍ଡ ତଥା ପରିଷଦ‌ ବୈଠକରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ପୁରୁଷ ଏବଂ ମହିଳା ଖେଳାଳିମାନେ ଅନ୍ତର୍ଜାତୀୟ ମ୍ୟାଚ୍‌ ବେଳେ ଆଘାତପ୍ରାପ୍ତ ହେଲେ ସେମାନଙ୍କ ବଦଳ ଖେଳାଳିଙ୍କୁ ଖେଳିବା ସୁଯୋଗ ମିଳିବ। ଯିଏକି କେବଳ କ୍ଷେତ୍ରରକ୍ଷଣ ନୁହେଁ, ବ୍ୟାଟିଂ ଓ ବୋଲିଂ ବି କରିପାରିବେ। କିନ୍ତୁ ବଦଳ ଖେଳାଳିକୁ ଅନୁମୋଦନ କରିବା ପୂର୍ବରୁ ଏକ ଡାକ୍ତରୀ ଦଳ ପ୍ରଥମେ ନିଷ୍ପତ୍ତି ନେବେ ଏବଂ ଆଘାତପ୍ରାପ୍ତ ଖେଳାଳିଙ୍କ ଭଳି ଠିକଣା ବିକଳ୍ପର ବଦଳ ଖେଳାଳି ହୋଇଥିବା କଥାକୁ ମ୍ୟାଚ୍‌ ରେଫରି ପରଖିବେ’ ବୋଲି ଆଇସିସି ଏକ ବିବୃତିରେ ଦର୍ଶାଇଛି। ୨୦୧୭ ମସିହା ପରଠାରୁ କ୍ରିକେଟ୍ ପଡ଼ିଆରେ ଗୁରୁତର ଆଘାତ ପାଉଥିବା ଖେଳାଳିଙ୍କ ଲାଗି ବଦଳ ଖେଳାଳିଙ୍କ ଅନୁମୋଦନକୁ ପରୀକ୍ଷାମୂଳକ ଭାବେ ଆଇସିସି ଲାଗୁ କରିଥିଲା। ଯାହାକି ଅଷ୍ଟ୍ରେଲିଆର ଘରୋଇ କ୍ରିକେଟ୍ ପ୍ରତିଯୋଗିତା ସେଫିଲ୍‌ଡ ସିଲ୍‌ଡ ନିୟମରେ ଲାଗୁ ହୋଇଥିଲା। ୨୦୧୪ ମସିହାରେ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଫିଲିପ୍ ହ୍ୟୁଗ୍ସ ଏକ ଘରୋଇ ମ୍ୟାଚ୍‌ରେ ସିନ୍ ଆବୋଟଙ୍କ ବାଉଁସରରେ ଆଘାତପ୍ରାପ୍ତ ହୋଇ ପ୍ରାଣ ହରାଇବା ପରେ ଆଇସିସି ଏହି ପ୍ରସଙ୍ଗକୁ ଗୁରୁତର ସହ ଚିନ୍ତା କରିଆସୁଥିଲା।

ସମ୍ବନ୍ଧିତ ଖବର