ମୋହାଲି ଟେଷ୍ଟ୍ : କ୍ୟାରିୟରର ଶ୍ରେଷ୍ଠ ଇନିଂସ ଖେଳିଲେ ଜାଦେଜା, ପ୍ରଥମ ଇନିଂସରେ ଭାରତର ବିଶାଳ ସ୍କୋର

ମୋହାଲି : ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍ ମ୍ୟାଚର ୨ୟ ଦିନରେ ଭାରତ ନିଜର ପ୍ରଥମ ଇନିଂସରେ ୮ ଓ୍ବିକେଟରେ ୫୭୪ ରନ କରି ନିଜର ପାଳି ଘୋଷଣା କରିଛି । ଏହାର ଜବାବରେ ଶ୍ରୀଲଙ୍କା ସର୍ବଶେଷ ସୂଚନା ଅନୁସାରେ ୨୪ ଓଭରରେ ଗୋଟିଏ ଓ୍ବିକେଟ ହରାଇ ୬୦ ରନ କରିଛି ।

ଭାରତ ଏହି ବିଶାଳ ସ୍କୋର ଛିଡ଼ା କରିବା ପାଇଁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଅବଦାନ ଦେଇଛନ୍ତି ରବୀନ୍ଦ୍ର ଜାଦେଜା । ଅପରାଜିତ ୧୭୫ ରନ କରିଥିବା ଜାଦେଜା ନିଜ କ୍ୟାରିୟରର ସବୁଠାରୁ ବଡ଼ ଇନିଂସ ଖେଳିଛନ୍ତି । ସେହିପରି ଭାରତୀୟ ଇନିଂସରେ ଋଷଭ ପନ୍ତ୍ ୨ୟ ସର୍ବାଧିକ ସ୍କୋର ୯୬ ରନ କରି ଆଉଟ ହୋଇଥିଲେ । ଅନ୍ୟପକ୍ଷରେ ରବିଚନ୍ଦ୍ରନ ଅଶ୍ବୀନ ୬୦ ରନ, ହନୁମା ବିହାରି ୫୮ ରନ କରିଥିଲେ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଭାରତର ଦୁଇ ଓପନର  ମୟଙ୍କ ଅଗ୍ରଓ୍ବାଲ ଓ ରୋହିତ ଶର୍ମା ଦଳ ପାଇଁ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ରୋହିତ ୨୯ ଓ ମୟଙ୍କ ୩୩ ରନ କରିଥିଲେ । ସେହିପରି ୧୦୦ତମ ଟେଷ୍ଟ ଖେଳୁଥିବା ବିରାଟ କୋହଲି ୪୫ ରନ କରି ଆଉଟ ହୋଇଥିଲେ । ତେବେ ଏହା ସହିତ ସେ ଟେଷ୍ଟରେ ୮୦୦୦ ରନ ପୂରଣ କରିଛନ୍ତି ।

 

 

ସମ୍ବନ୍ଧିତ ଖବର