ନୂଆଦିଲ୍ଲୀ: ମହିଳା କୁସ୍ତିବିତ୍‌ଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣାରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ସରଣସିଂହଙ୍କ ବିରୋଧରେ ଦିଆଯାଇଥିବା ଏତଲା ପଞ୍ଜୀକରଣ କରାଯାଉନଥିବାରୁ ଏସଂକ୍ରାନ୍ତରେ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ୍‌କୁ ନୋଟିସ୍‌ କରିଛନ୍ତି। ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବାରୁ ଭାରତର ଶୀର୍ଷସ୍ତରର କୁସ୍ତିବିତ୍‌ଙ୍କ ସହ ବାଳିକା କ୍ରୀଡ଼ାବିତ୍‌ମାନେ ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍‌ର ଦ୍ବାରସ୍ଥ ହୋଇଥିଲେ। ହେଲେ ଅଭିଯୁକ୍ତ ଜଣେ କ୍ଷମତାଶାଳୀ ତଥା ସାଂସଦ ହୋଇଥିବାରୁ ପୁଲିସ୍‌ ତାଙ୍କ ବିରୋଧରେ ଏତଲା ରୁଜୁ କରୁନଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ଦିଲ୍ଲୀର ଯନ୍ତରମନ୍ତରଠାରେ ପୁଣି ଥରେ କୁସ୍ତିବିତ୍‌ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି।

Advertisment

ଏଥିସହିତ ନ୍ୟାୟ ପାଇଁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ‌ ଖଣ୍ଡପୀଠ ନିକଟରେ ପୋଲିସ୍‌ର ନିଷ୍କ୍ରିୟତାକୁ ଦର୍ଶାଇଥିଲେ। ଯାହାକୁ ଆଧାର କରି ଅଭିଯୋଗ ହୋଇଛି, ଯଦି ସେଥିରେ ପୁଲିସ୍‌ ଚୁପ୍‌ ‌ରହୁଛି, ତାହେଲେ ଏହି ମାମଲାରେ ସଂପୃକ୍ତ ‌ପୁଲିସ୍‌ କର୍ମଚାରୀ ମଧ୍ୟ ଅଭିଯୁକ୍ତ ହେବେ ବୋଲି ଶିବଲ କହିଥିଲେ। ପରେ ଏହି ପିଟିସନ୍‌କୁ କୋର୍ଟ ଗ୍ରହଣ କରିବା ସହ ଅଭିଯୋଗଗୁଡ଼ିକ ଗୁରୁତର ବୋଲି ହୃଦ୍‌ବୋଧ କରିଥିଲେ। ତେଣୁ ଦିଲ୍ଲୀ ପୁଲିସ୍‌କୁ ନୋଟିସ୍‌ କରାଯିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର କରାଯିବାକୁ ଦିନ ଧାର୍ଯ୍ୟ ହୋଇଛି।