ସିବିଏସଇର ଅନ୍ତଃରାଜ୍ୟ ଖୋ-ଖୋ:ଭୁବନେଶ୍ୱର ସାଇ ବିଜେତା

ବ୍ରହ୍ମପୁର: ଗୋଷାଣି ନୂଆଗାଁ ସ୍ଥିତ ଡିଏଭି ପବ୍ଲିକ୍‌ ସ୍କୁଲ ପରିସରରେ ସିବିଏସଇ ପୂର୍ବାଞ୍ଚଳ ଅନ୍ତଃରାଜ୍ୟ ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା, ଛତିଶଗଡ଼, ଆସାମ ଓ ପଶ୍ଚିମବଙ୍ଗର ୧୯ଟି ବିଦ୍ୟାଳୟର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୧୭ ବର୍ଷରୁ କମ୍‌ ବାଳକ ବର୍ଗରେ ଛତିଶଗଡ଼ ବିମିତାରାର ଏଲୋନ୍‌ ପବ୍ଲିକ୍‌ ସ୍କୁଲ ବିଜେତା ହୋଇଛି। ଫାଇନାଲରେ ଭୁବନେଶ୍ୱରର କଳିଙ୍ଗନଗର ଡିଏଭି ପବ୍ଲିକ୍‌ ସ୍କୁଲକୁ ୨୩-୧୯ ପଏଣ୍ଟରେ ପରାସ୍ତ କରିଥିଲା। ବାଳିକା ବର୍ଗ ଫାଇନାଲରେ ପଶ୍ଚିମବଙ୍ଗର ହଳଦିଆ ସେଣ୍ଟ ଜାଭିଅର୍ସକୁ ୧୪-୮ ପଏଣ୍ଟରେ ପରାସ୍ତ କରି ଛତିଶଗଡ଼ ପବ୍ଲିକ୍‌ ସ୍କୁଲ (ରାଇପୁର) ବିଜେତା ହୋଇଥିଲା।
୧୯ ବର୍ଷରୁ କମ୍‌ ବାଳକ ବର୍ଗରେ ଝାରସୁଗୁଡ଼ାର ସେଭେନ୍‌ ହିଲ୍ସ ରେସିଡେନନ୍ସିଆଲ ସ୍କୁଲ ନିଜର ସମସ୍ତ ମ୍ୟାଚକୁ ଜିତିବା ସହ ସର୍ବାଧିକ ୬ ପଏଣ୍ଟ ହାସଲ କରି ବିଜେତା ହୋଇଥିଲା। ବିକାଶ ଦ କନ୍‌ସେପ୍ଟ ସ୍କୁଲ ୪ ପଏଣ୍ଟ ହାସଲ କରି ଉପ ବିଜେତା ହୋଇଥିଲା। ବାଳିକା ବର୍ଗରେ ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ ସମସ୍ତ ମ୍ୟାଚ ଜିତି ସର୍ବାଧିକ ୬ପଏଣ୍ଟ ହାସଲ କରି ବିଜେତା ହୋଇଥିଲା। ଝାରସୁଗୁଡ଼ାର ସେଭେନ୍‌ ହିଲ୍ସ ୪ ପଏଣ୍ଟ ସହ ଉପବିଜେତା ହୋଇଥିଲା। ପ୍ରତିଯୋଗିତାର ମୁଖ୍ୟ ରେଫରି ରବୀନ୍ଦ୍ର ନାରାୟଣ ପ୍ରଧାନ ଥିବା ବେଳେ ୨୨ ଜଣ ସହଯୋଗ କରିଥିଲେ। ପ୍ରତି ବିଭାଗର ବିଜେତା ଦଳ ନଭେମ୍ବରରେ ହେବାକୁ ଥିବା ଜାତୀୟ ସିବିଏସ୍‌ଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର