ସିବିଏସ୍‌ଇ ଜାତୀୟ ଦୌଡ଼କୁଦ: ଆଂଶିକାଙ୍କୁ ସଟ୍‌ପୁଟ୍‌ ସ୍ୱର୍ଣ୍ଣ

ଭୁବନେଶ୍ୱର: ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳଙ୍କ ସୁପୁତ୍ରୀ ଆଂଶିକା ରାଉତରାୟ ନିଜ ନାମରେ ପୁଣି ଏକ ସଫଳତାର ଫର୍ଦ ଯୋଡ଼ିଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଆଂଶିକା ଦୁଇଟି ପଦକ ଜିତିବାର ଗୌରବ ବହନ କରିଛନ୍ତି। ଚଳିତ ମାସ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜୟଓ୍ଵାଡାରେ ଆୟୋଜିତ ୩୩ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍‌ ବର୍ଗ ସଟ୍‌ପୁଟ୍‌ରେ କାଂସ୍ୟ (୧୦.୯୩ ମିଟର) ପଦକ ଜିତିଥିବା ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଛାତ୍ରୀ ଆଂଶିକା ଛତିଶଗଡ଼ର ରାୟପୁରଠାରେ ଗତ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ୨୨ତମ ସିବିଏସ୍‌ଇ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ବୁଧବାର ୧୪ ବର୍ଷ ବାଳିକା ବର୍ଗର ସଟ୍‌ପୁଟ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଆଂଶିକା ୧୦.୩୯ ମିଟର ସଟ୍‌ପୁଟ୍‌ ଫିଙ୍ଗି ପ୍ରଥମ ସ୍ଥାନ ପାଇଥିଲା ବେଳେ ବ୍ରାଇଟ୍‌ଲାଣ୍ଡ୍‌ ବାଳିକା ସେକେଣ୍ଡାରୀ ସ୍କୁଲ୍‌ ସୌମ୍ୟା ଓ୍ଵାଇ (୧୦.୦୪ ମିଟର) ଏବଂ ମଡର୍ନ ପବ୍ଲିକ୍‌ ସ୍କୁଲ୍‌ର ଈଶା ଟୋମାର୍‌ (୯.୮୨ ମିଟର) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ସହ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି। ବୁଧବାର ପଦକ ପ୍ରଦାନ ଉତ୍ସବରେ ଅନୁରାଧା ବିଶ୍ୱାଳ ମଧ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର