ଇମ୍ରାନଙ୍କ ଫଟୋକୁ ଢାଙ୍କିଲା ସିସିଆଇ

ମୁମ୍ବାଇ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନଙ୍କ ହତ୍ୟାର ନିଆରା ପ୍ରତିବାଦ କରିଛି କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ (ସିସିଆଇ)। ମୁମ୍ବାଇର ବ୍ରାବର୍ନ ଷ୍ଟାଡିୟମ୍‌ ପରିସରରେ ବିଶ୍ବର ସବୁ ମହାନ କ୍ରିକେଟରଙ୍କ ଫଟୋ ସ୍ଥାନ ପାଇଛି। ଶନିବାର କିନ୍ତୁ ୧୯୯୨ ମସିହାର ବିଶ୍ବକପ୍‌ ବିଜେତା ପାକିସ୍ତାନ ଅଧିନାୟକ ତଥା ବର୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋକୁ ଢାଙ୍କି ଦିଆଯାଇଛି। ତାଙ୍କର ଦୁଇଟି ଫଟୋକୁ ମଧ୍ୟ କାଢ଼ି ଦିଆଯାଇଛି। ପାକିସ୍ତାନ ସୁପର ଲିଗ୍ (ପିଏସଏଲ୍‌)ର ପ୍ରସାରଣ କରୁଥିବା ଟିଭି ଚାନେଲ ଡି ସ୍ପୋର୍ଟକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଇମ୍ରାନ୍‌ ଖାଁଙ୍କ ନେତୃତ୍ବରେ ପାକିସ୍ତାନ ୧୯୮୯ ମସିହାରେ ବ୍ରାବର୍ନ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ନେହେରୁ କପ୍‌ର ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଇମ୍ରାନ୍ ମଧ୍ୟ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେଥିପାଇଁ ଇମ୍ରାନଙ୍କ ଫଟୋ ବ୍ରାବର୍ନ ଷ୍ଟାଡିୟମ୍‌ରେ ସ୍ଥାନ ପାଇଥିଲା। ସିସିଆଇ ମଧ୍ୟ ବିସିସିଆଇ ଅନୁବନ୍ଧିତ। ଏଠାରେ ଏକାଧିକ ଟେଷ୍ଟ୍‌ ମ୍ୟାଚ୍‌ ମଧ୍ୟ ଖେଳାଯାଇଛି। ଇମ୍ରାନ୍‌ ୧୯୮୭ରେ ଭାରତ ବିପକ୍ଷରେ ଏଠାରେ ମ୍ୟାଚ୍‌ ଖେଳିଥିଲେ।

ସମ୍ବନ୍ଧିତ ଖବର