ଅଲିମ୍ପିକ୍ସ ଉତ୍ସାହ: ଶୁକ୍ରବାରଠୁ କଳିଙ୍ଗରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍

ଭାରତକୁ କଡ଼ା ଟକ୍କର ଦେବୁ: ଡେନିସ୍

ଭୁବନେଶ୍ବର: ପୂର୍ବ ଭାରତର ହକି କୁରୁକ୍ଷେତ୍ର ‘କଳିଙ୍ଗ ଷ୍ଟାଡିୟମ’ରେ ପ୍ରଥମ ଥର ଖେଳାଯିବ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ। ଉଭୟ ମହିଳା ଏବଂ ପୁରୁଷ ବର୍ଗରେ ଖେଳାଯିବ ଏହି ପ୍ରତୀକ୍ଷିତ ପ୍ରତିଯୋଗିତା। ନଭେମ୍ବର ୧ ଏବଂ ୨ ତାରିଖରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ପୁରୁଷ ଦଳ ରୁଷିଆ ଏବଂ ମହିଳା ଆମେରିକାର ମୁକାବିଲା କରିବେ। ଦୁଇ ଦିନରେ ଲଗାତାର ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବା ପରେ ସର୍ବାଧିକ ପଏଣ୍ଟ୍‌ ଅର୍ଜନ କରିଥିବା ଦଳ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ୍‌ ହାସଲ କରିବ। ଏଥିଲାଗି ଚାରିଟି ଯାକ ଦଳ ଭୁବନେଶ୍ବର ପହଞ୍ଚି ସାରିଛନ୍ତି। ଭାରତୀୟ ପୁରୁଷ ଏବଂ ମହିଳା ଦଳର ପ୍ରଶିକ୍ଷଣ ଶିବିର ଏଠାରେ ଚାଲୁଛି। ଆମେରିକା ପୂର୍ବରୁ ପହଞ୍ଚି ସାରିଥିଲା ବେଳେ ରୁଷିଆ ଦୀପାବଳି ଅବସରରେ ଅର୍ଥାତ୍ ରବିବାର ଭୁବନେଶ୍ବର ପହଞ୍ଚିଥିଲା। ଏହି ପ୍ରତୀକ୍ଷିତ ପ୍ରତିଯୋଗିତା ଲାଗି ରାଜଧାନୀ ଭୁବନେଶ୍ବର ସମେତ ସମଗ୍ର ଓଡ଼ିଶାର ହକିପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ଆମେରିକା ଦଳ ଅଭ୍ୟାସ ଆରମ୍ଭ କରି ସାରିଥିଲା ବେଳେ ରୁଷିଆ ମଧ୍ୟ ଭଲ ପ୍ରସ୍ତୁତି କରିଥିବା ଦାବି କରିଛି। ଭାରତୀୟ ପୁରୁଷ ଦଳ ବିଶ୍ବ ମାନ୍ୟତାର ପଞ୍ଚମ ସ୍ଥାନରେ ରହିଥିଲା ବେଳେ ପ୍ରତିପକ୍ଷ ରୁଷିଆ ୨୭ତମ ସ୍ଥାନରେ ଅଛି। ସେପଟେ ଭାରତୀୟ ମହିଳା ଦଳ ନବମ ମାନ୍ୟତା ଲାଭ କରିଥିଲା ବେଳେ ଆମେରିକା ତ୍ରୟୋଦଶ ସ୍ଥାନରେ ରହିଛି।

ଭାରତକୁ କଡ଼ା ଟକ୍କର ଦେବୁ: ଡେନିସ୍
ଭାରତ ବିପକ୍ଷ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଲାଗି ରୁଷିଆ ପୁରୁଷ ହକି ଦଳ ରବିବାର ଭୁବନେଶ୍ବର ପହଞ୍ଚିଥିଲା। ଭାରତରେ ପୁନର୍ବାର ଖେଳିବାକୁ ନେଇ ଏହି ଦେଶର ଅଧିନାୟକ ଡେନିସ୍ ଶ୍ଚିପାଚେଭ ବେଶ୍ ଉତ୍ସାହିତ ଅଛନ୍ତି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେ କହିଛନ୍ତି ଯେ ଭାରତକୁ ଫେରି ଆମେ ଉଲ୍ଲସିତ। ଗତ ଥର ଆମେ ଏଠାରେ ଖେଳିଲା ବେଳେ ପ୍ରଶଂସକଙ୍କ ହକି ପ୍ରେମ ଆମକୁ ଅବିଭୂତ କରିଥିଲା। ଜୁନରେ ଅସହ୍ୟ ଗରମ ଥିଲା। ଏବେ କିନ୍ତୁ ଶିତଳ ପାଗ ଥିବାରୁ ଆମ ଭଲ ପ୍ରଦର୍ଶନ କରିବୁ ବୋଲି ଆଶା କରୁଛୁ। ସୂଚନାଯୋଗ୍ୟ ଯେ ଗତ ଜୁନ୍‌ରେ ରୁଷିଆ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ସିରିଜ୍ ଫାଇନାଲ୍ ଖେଳିଥିଲା। ସେତେବେଳେ ଭାରତ ୧୦-୦ ଗୋଲ୍‌ରେ ଏହି ଦଳକୁ ପରାସ୍ତ କରିଥିଲା। ଭାରତୀୟ ହକି ଦଳକୁ ନେଇ ଡେନିସ୍ କହିଥିଲେ ଭାରତ ଏକ ବହୁତ ଭଲ ଦଳ। ଆମଠାରୁ ଉଚ୍ଚ ମାନ୍ୟତା ଦଳ। ହକିରେ ଆମେ ଏବିବି ଏକ ବିକାଶଶୀଳ ଦଳ। ତଥାପି ଆମେ ଭଲ ପ୍ରଦର୍ଶନ କରିବୁ ବୋଲି ଆତ୍ମବିଶ୍ବାସ ଅଛି। ଆମେ ବହୁତ ଭଲ ପ୍ରସ୍ତୁତି କରିଛୁ। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଭାରତ କଡ଼ା ଟକ୍କର ଦେବୁ ବୋଲି ଆଶା ରହିଛି।

ଟୋକିଓ ଟିକେଟ୍‌ ପାଇଲାନି ପାକିସ୍ତାନ
ତିନି ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପାକିସ୍ତାନ (୧୯୬୦, ୧୯୬୮, ୧୯୮୪) ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। ନେଦରଲାଣ୍ଡ ବିପକ୍ଷ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାର ପ୍ରଥମ ଲଢ଼େଇକୁ ୪-୪ ଗୋଲ୍‌ରେ ଅମୀମାଂସିତ ରଖିଥିବା ପାକିସ୍ତାନ ରବିବାରର ଦ୍ବିତୀୟ ଲଢ଼େଇରେ ୧-୬ ଗୋଲ୍‌ରେ ପରାଜିତ ହେବା ପରେ ଆସନ୍ତାବର୍ଷର ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ୍‌ ହାସଲରୁ ବଞ୍ଚିତ ହୋଇଛି। ଅନ୍ୟପକ୍ଷରେ ନେଦରଲାଣ୍ଡ ଦୁଇ ମ୍ୟାଚ୍‌କୁ ମିଶାଇ ୧୦-୫ ଗୋଲ୍‌ରେ ଆଗୁଆ ରହି ଅଲିମ୍ପିକ୍ସ ଖେଳିବା ଲାଗି ସ୍ଥାନ ସୁରକ୍ଷିତ କରି ନେଇଛି। ରବିବାରର ଦ୍ବିତୀୟ ମୁକାବିଲାରେ ନେଦରଲାଣ୍ଡ ଦଳ ପ୍ରଥମାର୍ଧରେ ହିଁ ୪-୦ରେ ଆଗୁଆ ହୋଇ ଯାଇଥିଲା। ଦ୍ବିତୀୟାର୍ଧରେ ଏହି ଦଳ ଆଉ ଦୁଇଟି ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ପାଇଁ ଏକମାତ୍ର ସାନ୍ତ୍ବନାମୂଳକ ଗୋଲ୍ ରିଜୱାନ ଅଲ୍ଲୀ ଦେଇଥିଲେ।

ସମ୍ବନ୍ଧିତ ଖବର