ବେଙ୍ଗାଲୁରୁ: ୧୮ବର୍ଷର ପ୍ରତୀକ୍ଷା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଆଇପିଏଲ୍ ଟ୍ରଫି ଜିତିବାର ଐତିହାସିକ ସଫଳତା ଲାଭ କରିଥିଲା। ମାତ୍ର କିଛି ଘଣ୍ଟା ପରେ କିନ୍ତୁ ଏହି ଉତ୍ସାହ ଓ ଉନ୍ମାଦ ଭୟଙ୍କର ଅଘଟଣରେ ପରିଣତ ହୋଇଛି। ଏକ ହୃଦୟ ବିଦାରକ ଘଟଣାକ୍ରମେ ଆର୍ସିବିର ବିଜୟ ଉତ୍ସବ ଦେଖିବାକୁ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ରୁଣ୍ଡ ହୋଇଥିବା ହଜାର ହଜାର ପ୍ରଶଂସକ ହଠାତ୍ ଦଳାଚକଟାର ଶିକାର ହୋଇଛନ୍ତି। ଫଳରେ ଶ୍ବାସରୁଦ୍ଧ ହୋଇ ୧୧ଜଣ ନିରୀହ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଫଳରେ ବେଙ୍ଗାଲୁରୁ ଉତ୍ସବମୁଖର ହେବା ପରିବର୍ତ୍ତେ ଦୁଃଖରେ ବୁଡ଼ିଛି। ସୂଚନା ଅନୁସାରେ ଏହି ଘଟଣାରେ ବହୁ ଛୋଟପିଲା ଓ ମହିଳାଙ୍କ ସମେତ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ପ୍ରଶଂସକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି।
ତେବେ ସବୁଠାରୁ ଦୁଃଖଦ କଥା ହେଲା ବାହାରେ ଦଳାଚକଟାରେ ପ୍ରଶଂସକଙ୍କ ଜୀବନ ଯାଉଥିଲା ବେଳେ ଷ୍ଟାଡିୟମ୍ ଭିତରେ ବିଜୟ ଉତ୍ସବ ଜାରି ରହିଥିଲା। ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବିଜେପି ଏହି ବଡ଼ଧରଣର ଅଘଟଣ ଲାଗି କର୍ଣ୍ଣାଟକର କଂଗ୍ରେସ ସରକାରଙ୍କୁ ଦାୟୀ କରିଛି। କର୍ଣ୍ଣାଟକ ସରକାର ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ନକରିବା ଏବଂ ଭିଡ଼ ନିୟନ୍ତ୍ରଣ ନେଇ କୌଣସି ସୁଚିନ୍ତିତ ଯୋଜନା ନରହିବା ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଲା ବୋଲି ବିଜେପି ଅଭିଯୋଗ କରିଛି। ସିଦ୍ଧରମୈୟା ସରକାରକୁ ଭର୍ତ୍ସନା କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି। ସେପଟେ ଏଥିଲାଗି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। ଦୁର୍ଘଟଣା ପରେ ବିଜୟ ଉତ୍ସବକୁ କାଣ୍ଟଛାଣ୍ଟ କରାଯାଇଥିଲା ବୋଲି ସଫେଇ ଦେଇଛନ୍ତି ସେ। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଏତେ ସଂଖ୍ୟକ ପ୍ରଶଂସକ ଆସିବାର ଆଶା ନଥିଲା। ଷ୍ଟାଡିୟମ୍ କ୍ଷମତା ୩୫ହଜାର ଥିଲା ବେଳେ ୨ଲକ୍ଷ ପ୍ରଶଂସକ ବିଜୟ ଉତ୍ସବ ଦେଖିବାକୁ ଆସିଥିଲେ ବୋଲି କହିଛନ୍ତି।
ଦୋଷ ଝାଡ଼ିଲା ବିସିସିଆଇ
ଭୟଙ୍କର ଦଳାଚକଟାରେ ୧୩ଜଣ ପ୍ରଶଂସକଙ୍କ ଜୀବନ ଯିବା ପରେ ବିସିସିଆଇ ନିଜ ଉପରୁ ଦୋଷ ଝାଡ଼ିଛି। ଆର୍ସିବି ବିଜୟ ଉତ୍ସବର ଆୟୋଜନ ଯୋଜନା ବିହୀନ ଭଳି ମନେ ହୋଇଥିଲା। ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବାର ଦରକାର ଥିଲା ବୋଲି ବିସିସିଆଇ ସଂପାଦକ ଦେବଜିତ ସାଇକିଆ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏକ ସାକ୍ଷାତକାରରେ ସେ ମତ ପ୍ରକାଶ କରିଛନ୍ତି ଯେ, ଏହି ଉତ୍ସବ ଆୟୋଜନରେ ବିସିସିଆଇର କୌଣସି ଦୋଷ ନଥିଲା। ତେବେ ଭବିଷ୍ୟତରେ ଏଭଳି ଉତ୍ସବ ଆୟୋଜନ ଲାଗି ବୋର୍ଡ ନିର୍ଦ୍ଦେଶାବଳୀ ଜାରି କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ସବ ଆୟୋଜନରେ ବଡ଼ ଧରଣର ତ୍ରୁଟି ରହିଥିଲା ବୋଲି ସ୍ବୀକାର କରିଛନ୍ତି ସେ। ବିସିସିଆଇର ବରିଷ୍ଠ ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି, ଷ୍ଟାଡିୟମ୍ ବାହାରେ ଆଶାଠାରୁ ଅଧିକ ପ୍ରଶଂସକ ଜମା ହୋଇଥିଲେ। ସୁରକ୍ଷାକର୍ମୀ ସଂଖ୍ୟା କମ୍ ଥିଲା। ଭିଡ଼ ନିୟନ୍ତ୍ରଣର କୌଣସି ବ୍ୟବସ୍ଥା ନଥିଲା। ଯାହା ଫଳରେ ଏଭଳି ଏକ ଅଘଟଣ ଘଟିଲା।
୧୫ ମିନିଟ୍ରେ ଖେଳାଳିଙ୍କ ସମ୍ଭାଷଣ ଶେଷ
ଦଳାଚକଟା ଓ ଘୋର ଅବ୍ୟବସ୍ଥା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ପାଖାପାଖି ଘଣ୍ଟାକ ପାଇଁ ଆୟୋଜିତ ହେବାକୁ ଥିବା ବିଜୟ ଉତ୍ସବ ମାତ୍ର ୨୦ ମିନିଟ୍ରେ ଶେଷ ହୋଇଥିଲା। ବିରାଟ କୋହଲିଙ୍କ ସମେତ ଖେଳାଳି ଓ ଅଧିକାରୀଙ୍କ ସମ୍ଭାଷଣ ମାତ୍ର ୧୦ ମିନିଟ୍ରେ ଶେଷ ହୋଇଥିଲା। ତେବେ ଚିନ୍ନାସ୍ବାମୀ ଷ୍ଟାଡିୟମ୍ କିନ୍ତୁ ପ୍ରବଳ ବର୍ଷା ସତ୍ତ୍ବେ ପୂରା ଭରି ରହିଥିଲା। ପ୍ରଶଂସକମାନେ ହଜାର ହଜାର ସଂଖ୍ୟାରେ ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ରହି ଆର୍ସିବି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ତେବେ ଦଳଚକଟା ପାଇଁ ଏହି ଉତ୍ସବ ପୂରା ଫିକା ପଡ଼ି ଯାଇଥିଲା। ଖେଳାଳିଙ୍କ ମୁହଁରୁ ମଧ୍ୟ ଉତ୍ସାହ ପୂରା ଉଭେଇ ଯାଇଥିଲା। ଖେଳାଳିଙ୍କୁ ଦଳୀୟ ହୋଟେଲକୁ ନେବା ଲାଗି ମଧ୍ୟ ବେଙ୍ଗାଲୁରୁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା।
ଖୋଲା ବସ୍ ଶୋଭାଯାତ୍ରା ବାତିଲ
ପୂର୍ବରୁ ଆରସିବି ଖେଳାଳିମାନେ ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବ୍ୟକ୍ତିଗତ ଭାବେ ସ୍ବାଗତ କରିଥିଲେ। ହଜାର ହଜାର ପ୍ରଶଂସକମଧ୍ୟ ନିଜ ପ୍ରିୟ ଖେଳାଳିଙ୍କ ଟିକିଏ ଝଲକ ପାଇବାକୁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ। ଖେଳାଳିମାନେ ଦଳୀୟ ହୋଟେଲକୁ ଯିବା ବାଟରେ ପ୍ରଶଂସକମାନେ ଗଛ ଓ ପାଖ ବିଲ୍ଡିଂ ଆଦିରେ ଚଢ଼ି ନାଚୁଥିବା ଦେଖିବାକୁ ମିଳିଥିଲା। ହୋଟେଲରେ କିଛି ସମୟ ବିଶ୍ରାମ ନେବା ପରେ କର୍ଣ୍ଣାଟକ ବିଧାନସୌଧ ଯାଇ ଆର୍ସିବି ଖେଳାଳିମାନେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କୁ ଭେଟିଥିଲେ। ସେଠାରୁ ଏକ ଖୋଲା ବସ୍ରେ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଶୋଭାଯାତ୍ରା କରିବାର ଥିଲେ ମଧ୍ୟ ଟ୍ରାଫିକ୍ ସମସ୍ୟା ଓ ଆବଶ୍ୟକ ଅନୁମତି ଅଭାବରୁ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରି ଦିଆଯାଇଥିଲା।
ସମର୍ଥକଙ୍କୁ ଟ୍ରଫି ଉତ୍ସର୍ଗ କଲେ କୋହଲି, ପଟିଦାର
ଚିନ୍ନାସ୍ବାମୀ ଷ୍ଟାଡିୟମ୍ ଭିତରେ ଆୟୋଜିତ ବିଜୟ ଉତ୍ସବରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଅଧିନାୟକ ରଜତ ପଟିଦାର ପ୍ରଶଂସକଙ୍କୁ ଟ୍ରଫି ଉତ୍ସର୍ଗ କରିଥିଲେ। ଏହି ଟ୍ରଫି ପାଇଁ ଆମକୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି କୋହଲି କନ୍ନଡ଼ ଭାଷାରେ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ। କହିଥଲେ, ଏହି ଟ୍ରଫି ଆପଣଙ୍କର। ଗତ ୧୭ବର୍ଷ ହେବ ଆପଣ ଆମ ସୁଖଦୁଃଖର ସାଥୀ ହୋଇ ରହିଛନ୍ତି। ପଟିଦାର ମଧ୍ୟ ବେଙ୍ଗାଲୁରୁ କ୍ରିକେଟ୍ପ୍ରେମୀଙ୍କୁ ସଲାମ କରିବା ସହ ସେମାନଙ୍କ ପାଇଁ ଆଗକୁ ଆହୁରି ଭଲ କରିବାକୁ ଚେଷ୍ଟା କରିବେ ବୋଲି ମତ ରଖିଥିଲେ। କୋହଲି ମଧ୍ୟ ଦଳର ଦୁଇ ପୂର୍ବତନ ଖେଳାଳି କ୍ରିସ୍ ଗେଲ୍ ଓ ଏବି ଡିଭିଲିୟର୍ସଙ୍କୁ ପ୍ରଶଂସା କରିଥିଲେ।