ଭୁବନେଶ୍ବର: ଭାରତ-ଇଂଲଣ୍ଡ ଦିନିକିଆରେ ଘଟିଥିବା ଫ୍ଲଡ୍ ଲାଇଟ୍ ବିଭ୍ରାଟର ମାତ୍ର ୭ ଦିନ ପରେ ବାରବାଟୀ ଷ୍ଟାଡିୟମ୍କୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ଫେରିବାକୁ ଯାଉଛି। ଓସିଏକୁ କ୍ରୀଡ଼ା ବିଭାଗ ଜାରି କରିଥିବା କାରଣ ଦର୍ଶାଅ ନୋଟିସ୍ର ବାଦ ବିବାଦ ଭିତରେ ଚଳଚ୍ଚିତ୍ର ଅଭିନେତା ଏବଂ ଏହି ଶିଳ୍ପ ସହ ଜଡ଼ିତ ଥିବା ତାରକାଙ୍କୁ ନେଇ ଆୟୋଜିତ ହେଉଥିବା ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍)ର ଦୁଇଟି ମ୍ୟାଚ୍ ଏଠାରେ ଆୟୋଜିତ ହେବ। ଉଭୟ ମ୍ୟାଚ୍ ଚଳିତ ଫେବ୍ରୁଆରି ୧୬ ତାରିଖରେ ଖେଳାଯିବା। ଅପରାହ୍ଣ ୨ଟାରୁ ପ୍ରଥମ ମ୍ୟାଚ୍ରେ ପଞ୍ଜାବ ଦଳକୁ ଭେଟିବ ଭୋଜପୁରୀ ଏବଂ ସଂଧ୍ୟାରେ ଦ୍ବିତୀୟ ମ୍ୟାଚ୍ ବେଙ୍ଗଲ ଟାଇଗର୍ସ-ମୁମ୍ବାଇ ମଧ୍ୟରେ ଖେଳାଯିବ। ଏହା ପୂର୍ବରୁ ଓଲିଉଡ୍ ଅଭିନେତା ଏବଂ ଓଡ଼ିଶା କ୍ରିକେଟର୍ଙ୍କ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯିବ। ଓଲିଉଡ୍ ଦଳର ନେତୃତ୍ବ ରାଜ୍ୟର ଲୋକପ୍ରିୟ ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେବେ। କ୍ରିକେଟର୍ଙ୍କ ଦଳର ଅଧିନାୟକ ଦାୟିତ୍ବ ପୂର୍ବତନ ରଣଜୀ ଖେଳାଳି ଜିତୁ ଶତପଥୀ ତୁଲାଇବେ।
ସିସିଏଲ୍ର ଟିକେଟ୍ କ୍ରିକେଟ୍ପ୍ରେମୀ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ କିଣି ପାରିବେ। ବାରବାଟୀ ଷ୍ଟାଡିୟମ୍ରେ ମଙ୍ଗଳବାରଠାରୁ ଅଫ୍ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା ବେଳେ www.ticketgenie.in ୱେବସାଇଟ୍କୁ ଯାଇ ଅନ୍ଲାଇନ୍ରେ ଟିକେଟ୍ କିଣିହେବ। ଟିକେଟର ମୂଲ୍ୟ ୧୦୦ ଟଙ୍କାରୁ ୨,୦୦୦ ଟଙ୍କା ଭିତରେ ରହିଛି। ଏହି ଲିଗ୍ କ୍ରିକେଟ୍, ଗ୍ଲାମର୍ ଓ ମନୋରଞ୍ଜନର ମକ୍ଟେଲ୍ ହୋଇଥିଲା ବେଳେ ଦର୍ଶକମାନେ ଏହାକୁ ନିଶ୍ଚିତ ଭାବେ ହୃଦୟଖୋଲା ଭଲ ପାଇବା ଦେବେ ବୋଲି ଆୟୋଜକ ଆଶା ରଖିଛନ୍ତି। ବାରବାଟୀକୁ ବେଙ୍ଗଲ ଟାଇଗର୍ସ ଦଳ ନିଜ ଘରୋଇ ପଡ଼ିଆ ବାଛିବା ମଧ୍ୟ ରାଜ୍ୟ ଚଳଚ୍ଚିତ୍ର ଓ କ୍ରିକେଟ୍ ଜଗତ ପାଇଁ ଆଉ ଏକ ଖୁସି ଖବର ହୋଇଛି। ସେହିଭଳି ୧୬ ତାରିଖ ଦିନ ବାରବାଟୀରେ ବଲିଉଡ୍, ଭୋଜପୁରୀ, ପଞ୍ଜାବୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତର ତାରକାଙ୍କ ଭିଡ଼ ଜମିବ ବୋଲି ସୂଚନା ଦେଇଛନ୍ତି।
ସେମାନଙ୍କ ମଧ୍ୟରେ ରହିଛନ୍ତି, ଅଭିନେତା ଅର୍ଜୁନ କାପୁର, ସୋନୁ ସୁଦ୍, ମିକା ସିଂହ, ଆୟୁଷ୍ମାନ୍ ଖୁରାନା, ରିତେଶ ଦେଶମୁଖ, ଜାନ୍ଭୀ କାପୁର ପ୍ରମୁଖ।
ବୁଧବାର ଏଥିନେଇ ଏକ ସ୍ଥାନୀୟ ହୋଟେଲ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଲିଉଡ୍ ପ୍ରାଯୋଜକ ତଥା ବେଙ୍ଗଲ ଟାଇଗର୍ସ ଦଳର ମାଲିକ ବୋନି କାପୁର, ତାଙ୍କ ପୁଅ ଅର୍ଜୁନ କାପୁର, ୟୁଜେନିକ୍ସ ହେୟାର ସାଇନ୍ସର ଡ. ପ୍ରଦୀପ ସେଠୀ, ଡ. ଆରିକା ବଂଶଲ, ସଂଯୋଜକ ଅଜୟ ଅଗ୍ରୱାଲ୍, ମୁଖ୍ୟ ଆବାହକ ସତ୍ୟବ୍ରତ ମିନକେତନ, ପରାମର୍ଶଦାତା ଗୋଲକ ମହାପାତ୍ର, ଆବାହକ ବାସୁଦେବ ଭଟ୍ଟ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, କ୍ରିକେଟର୍ ଜିତୁ ଶତପଥୀ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ଆଗାମୀ ସମୟରେ ଓଡ଼ିଶାରେ ଚଳଚ୍ଚିତ୍ର ଶିଳ୍ପର ବିକାଶ ସହ ଓଡ଼ିଆରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ସେ ଆଗ୍ରହୀ ବୋଲି ବୋନି କାପୁର କହିଥିଲେ। ଆଜି ମଧ୍ୟ ଏହି ସଂପର୍କରେ ବୋନି ଓ ଅର୍ଜୁନ କାପୁର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁଙ୍କୁ ଭେଟିଥିଲେ