ଭୁବନେଶ୍ବର: ଭାରତୀୟ ହକିକୁ ଶୁକ୍ରବାର ୧୦୦ ପୂରିଛି। ଶତବାର୍ଷିକୀ ଉତ୍ସବ ପାଳନ ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍‌ଠାରେ ଆରମ୍ଭ ହୋଇଛି। ଏହି ଐତିହାସିକ ମୁହୂର୍ତ୍ତରେ ହକି ଇଣ୍ଡିଆ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଓ କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀମାନେ ଏକାଠି ହୋଇଥିଲେ। ୧୯୨୫ ମସିହାରୁ ଆରମ୍ଭ ହୋଇଥିବା ଭାରତୀୟ ହକିର ଗୌରବକୁ ସଂଗୀତ ମାଧ୍ୟମରେ ଏହି ଉତ୍ସବରେ ପ୍ରଦର୍ଶନ କରାଯାଇଥିଲା। ଏଥିସହ କ୍ରୀଡ଼ାମନ୍ତ୍ରୀଙ୍କ ଏକାଦଶ ଓ ହକି ଇଣ୍ଡିଆ ଏକାଦଶ ମଧ୍ୟରେ ଏକ ୩୦ ମିନିଟିଆ ପ୍ରଦର୍ଶନ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ନେତୃତ୍ବାଧୀନ କ୍ରୀଡ଼ାମନ୍ତ୍ରୀ ଏକାଦଶ ୩-୧‌ ଗୋଲ୍‌ରେ ଦିଲୀପ ତିର୍କି ନେତୃତ୍ବାଧୀନ ହକି ଇଣ୍ଡିଆ ଏକାଦଶକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ପ୍ରଥମ ଥର ଲାଗି ଉଭୟ ପୁରୁଷ ଓ ମହିଳା ଖେଳାଳି ଏକାଠି ଖେଳିଥିଲେ। ଏହି ଅବସରରେ ହକି ଇଣ୍ଡିଆ କିଂବଦନ୍ତି ଗୁରବକ୍ସ ସିଂହ, ହରବିନ୍ଦର ସିଂହ, ଅଜିତ ପାଲ ସିଂହ, ଅଶୋକ କୁମାର, ବିପି ଗୋବିନ୍ଦ, ଅସ୍‌ଲାମ୍‌ ଶେର୍‌ ଖାନ୍‌, ଜାଫର ଇକ୍‌ବାଲ, ବ୍ରିଗେଡିୟର ହରଚରଣ ସିଂହ, ବିନୀତ କୁମାର, ରୋମିଓ ଜେମ୍ସ, ଅସୁନ୍ତା ଲାକ୍ରା ଓ ସୁଭଦ୍ରା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲା। ଏହି ଅବସରରେ  ‘୧୦୦ ଇୟର୍ସ ଅଫ୍‌ ଇଣ୍ଡିଆନ୍‌ ହକି ଅନ୍‌ ଦ ଜର୍ନି ଥ୍ରୁ ଦ ଏଜେସ୍‌’ ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଥିଲା। 

Advertisment

କଳିଙ୍ଗ ଷ୍ଟାଡିୟମ୍‌ରେ ଦୀପ, ସୁନିତା, ଲିଲିମା ସମ୍ବର୍ଦ୍ଧିତ

ଭାରତୀୟ ହକିର ଶତବାର୍ଷିକୀ ପୂର୍ତ୍ତି ଭୁବନେଶ୍ବରସ୍ଥିତ କଳିଙ୍ଗ ‌ଷ୍ଟାଡିୟମ୍‌ରେ ମଧ୍ୟ ପାଳିତ ହୋଇଛି। ଅଲିମ୍ପିଆନ୍‌ ଦୀପ ଗ୍ରେସ୍‌ ଏକ୍କା, ସୁନିତା ଲାକ୍ରା ଓ ଲିଲିମା ମିଞ୍ଜଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ବିଜୟ କୁମାର ସ୍ବାଇଁ ଏହି ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପୁରୁଷ ଓ ମହିଳାରେ ପ୍ରଦର୍ଶନୀ ମ୍ୟାଚ୍‌ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ଉଭୟ ପୁରୁଷ ଓ ମହିଳାରେ ଯଥାକ୍ରମେ ଭୁବନେଶ୍ବର ଦୌଡ଼କୁଦ ସଂଘ ଓ ରାଉରକେଲା କ୍ରୀଡ଼ା ଛାତ୍ରାବାସ ସହ ମ୍ୟାଚ୍‌ ଖେଳିଥିଲା। ଅତିଥି ଭାବେ କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ ଏବଂ ନିର୍ଦେଶକ ୟେଦୁଲା ବିଜୟ ପ୍ରମୁଖ ଉପସ୍ଥିତ ଥିଲେ।