ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଚଳିତ ୨୦୨୨-୨୩ ଋତୁ ପାଇଁ ମହିଳା କ୍ରିକେଟର୍‌ଙ୍କ କେନ୍ଦ୍ରୀୟ ଚୁକ୍ତି ତାଲିକା ଘୋଷଣା କରିଛି। ଏହି ଚୁକ୍ତିର ମିଆଦ ‌ଅକ୍ଟୋବରରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଥିଲା ବେଳେ ବିସିସିଆଇ ବିଳମ୍ବରେ ଗୁରୁବାର ଘୋଷଣା କରିଛି। ମୋଟ ୧୭ ଜଣ ଖେଳାଳିଙ୍କୁ ୩ଟି କ୍ୟାଟେଗୋରୀରେ ସ୍ଥାନିତ କରାଯାଇଛି। ସେମାନଙ୍କ ମଧ୍ୟରୁ ଯୁବ ୱିକେଟ୍‌କିପର ବ୍ୟାଟର୍‌ ରିଚା ଘୋଷ ଏବଂ ଜେମିମା ରଦ୍ରିଗ୍ବେଜଙ୍କୁ ପଦୋନ୍ନତି ଦିଆଯାଇଥିଲା ବେଳେ ଶିଖା ପାଣ୍ଡେ ଓ ତାନିୟା ଭାଟିଆ ତାଲିକାରୁ ବାଦ୍‌ ପଡ଼ିଛନ୍ତି। କ୍ୟାଟେଗୋରୀ-ଏ’ରେ ସ୍ଥାନ ପାଇଥିବା ପ୍ରତ୍ୟେକ ଖେଳାଳି ମ୍ୟାଚ୍‌ ଫି ବାବଦରେ ୫୦ ଲକ୍ଷ, କ୍ୟାଟେଗୋରୀ-ବି’ ଖେଳାଳିମାନେ ୩୦ ଲକ୍ଷ ଏବଂ କ୍ୟାଟେଗୋରୀ-ସି ଖେଳାଳିମାନେ ୧୦ ଲକ୍ଷ ଲେଖାଏଁ ପାଇବେ।

Advertisment

ବିସିସିଆଇ ୩ ଜଣ ଖେଳାଳିଙ୍କୁ ‘ଏ’ରେ ସାମିଲ କରିଥିଲା ବେଳେ ‘ବି’ରେ ୫ ଏବଂ ‘ସି’ରେ ୯ ଜଣଙ୍କୁ ସ୍ଥାନ ଦେଇଛି। ‘ଏ’ରେ ସ୍ଥାନ ପାଇଥିବା ୩ ଜଣଯାକ ପୂର୍ବଭଳି ଅପରିବର୍ତିତ ରହିଥିଲା ବେଳେ ସ୍ପିନର ରାଜେଶ୍ବରୀ ଗାଏକ୍ବାଡ ‘ବି’କୁ ଖସିଛନ୍ତି। ସେହିପରି ଗତବର୍ଷ ‘ଏ’ରେ ସାମିଲ ଥିବା ଲେଗ୍‌ ସ୍ପିନର ପୂନମ ଯାଦବ ଏଥର ଚୁକ୍ତି ତାଲିକାରୁ ପୂରା ବାଦ୍‌ ପଡ଼ିଛନ୍ତି। ଅନ୍ୟପକ୍ଷରେ ଗତ ଋତୁରେ ‘ସି’ରେ ସାମିଲ ଥିବା ରିଚା ଓ ଜେମିମା ନୂଆ ଚୁକ୍ତି ତଲିକାରେ ‘ବି’କୁ ଉଠିଛନ୍ତି। ହେଲେ ଗତଥର ‘ବି’ରେ ରହିଥିବା ଅଲ୍‌ରାଉଣ୍ଡର ପୂଜା ବସ୍ତ୍ରକାର ଏଥର ’ସି’କୁ ଖସିଯାଇଛନ୍ତି।

ପୂର୍ଣ୍ଣାଙ୍ଗ ଚୁକ୍ତି ତାଲିକା: ହର୍ମନପ୍ରୀତ୍‌ କୌର, ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମା (କ୍ୟାଟେଗୋରୀ-ଏ)। ରେଣୁକା ଠାକୁର, ଜେମିମା ରଦ୍ରିଗ୍ବେଜ, ଶାଫଳି ବର୍ମା, ରିଚା ଘୋଷ, ରାଜେଶ୍ବରୀ ଗାଏକ୍ବାଡ (କ୍ୟାଟେଗୋରୀ-ବି)। ମେଘନା ସିଂହ, ଦେବିକା ବୈଦ୍ୟ, ଏସ୍‌ ମେଘନା, ଅଞ୍ଜଳି ଶର୍ବଣୀ, ପୁଜା ବସ୍ତ୍ରକାର, ସ୍ନେହ ରାଣା, ରାଧା ୟାଦବ, ହର୍ଲିନ୍‌ ଦେଓଲ, ୟାସ୍ତିକା ଭାଟିଆ (କ୍ୟାଟେଗୋରୀ-ବି)।