ବେଙ୍ଗାଲୁରୁ: ରଜତ ପଟିଦାରଙ୍କ ବେଳ ଭଲ ଚାଲିଛି। ସାଢ଼େ ୩ ମାସ ତଳେ ଆର୍ସିବିକୁ ସର୍ବପ୍ରଥମ ଆଇପିଏଲ୍ ମୁକୁଟ ଦେଇଥିବା ପଟିଦାର ଆଉ ଏକ ଘରୋଇ କ୍ରିକେଟ୍ ଟ୍ରଫି ବିଜୟକୁ ନିଶ୍ଚିତ କରିଛନ୍ତି। ତାଙ୍କ ନେତୃତ୍ବାଧୀନ କେନ୍ଦ୍ରାଞ୍ଚଳ ୨୦୨୫-୨୬ ଋତୁର ପ୍ରଥମ ଘରୋଇ ପ୍ରତିଯୋଗିତା ଦଲିପ ଟ୍ରଫି ଜିତିବାର ଦ୍ବାରଦେଶରେ ପହଞ୍ଚିଯାଇଛି। କେନ୍ଦ୍ରାଞ୍ଚଳ ସମ୍ମୁଖରେ ମାତ୍ର ୬୫ ରନ୍ର ବିଜୟ ଲକ୍ଷ୍ୟ ରହିଛି। ସୋମବାର ପଞ୍ଚମ ଦିନରେ ଏହି ଲକ୍ଷ୍ୟକୁ କେନ୍ଦ୍ରାଞ୍ଚଳ ସହଜରେ ହାସଲ କରିନେବ ବୋଲି ବିଶ୍ବାସ ରହିଛି।
ପ୍ରଥମ ପାଳିରେ ଦକ୍ଷିଣାଞ୍ଚଳର ୧୪୯ ରନ୍ ଜବାବରେ କେନ୍ଦ୍ରାଞ୍ଚଳ ୫୧୧ ରନ୍ କରିଥିଲା। ରବିବାର ପୂର୍ବଦିନର ସ୍କୋର୍ ୧୨୯/୨ରୁ ପୁନଃ ଖେଳିଥିବା ଦକ୍ଷିଣାଞ୍ଚଳ ଦ୍ବିତୀୟ ପାଳିରେ ୪୨୬ ରନ୍ କରି ସମସ୍ତ ୱିକେଟ୍ ହରାଇବାରୁ କେନ୍ଦ୍ରାଞ୍ଚଳ ବିଜୟ ପଥ ସୁଗମ ରହିଛି। ପଟିଦାରଙ୍କ ଦଳର ଦୁଇ ସ୍ପିନର ବାମହାତୀ କୁମାର କାର୍ତ୍ତିକେୟ (୪/୫୨ ଓ ୪/୧୧୦) ଏବଂ ଅଫ୍ସ୍ପିନର୍ ସାରାଂଶ ଜୈନ (୫/୪୯ ଓ ୩/୧୩୦) ଉଭୟ ପାଳିରେ ୮ ଲେଖାଏଁ ୱିକେଟ୍ ଅକ୍ତିଆର କରିବା ନିର୍ଣ୍ଣାୟକ ହୋଇଛି। ରବିବାର ପଶ୍ଚିମାଞ୍ଚଳର ଦ୍ବିତୀୟ ପାଳିରେ ଅଙ୍କିତ ଶର୍ମା (୯୯) ଓ ସି ଆନ୍ଦ୍ରେ ସିଦ୍ଧାର୍ଥ (୮୪*) ଶତକରୁ ବଞ୍ଚିତ ରହିଥିଲେ।