ସେଞ୍ଚୁରିଅନ : ପ୍ରଥମ ଦୁଇ ଦିନ ଭଳି ସେଞ୍ଚୁରିଅନ ଟେଷ୍ଟ୍ର ତୃତୀୟ ଦିନ ସମ୍ମାନ ବି କୌଣସି ଗୋଟିଏ ଦଳର ଖାତାକୁ ଯାଇନି। ବିରାଟ କୋହଲି (୧୫୩ ରନ୍, ୨୧୭ ବଲ୍, ୧୫ ଚୌକା) ଏବଂ ଅଦିନିିଆ ବର୍ଷା ପାଇଁ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ପାଖରେ ଏବେ ସୁଯୋଗ ରହିଛି। ତେବେ ଦ୍ୱିତୀୟ ପାଳିରେ ୮୭ ରନ୍ର ଅବିଭାଜିତ ତୃତୀୟ ଓ୍ଵିକେଟ୍ ଭାଗୀଦରି ପାଇଁ ଘରୋଇ ଦକ୍ଷିଣ ଆଫ୍ରିକା ପଲ୍ଲା ଆଂଶିକ ଭାରି ହୋଇ ହୋଇଯାଇଛି।
ବିରାଟଙ୍କ କୀର୍ତ୍ତିମାନ ଭରା ଦେଢ଼ ଶହ ରନ୍ ସହ ଦ୍ୱିତୀୟ ପାଳିରେ ଯସପ୍ରୀତ ବୁମରାଙ୍କ ଯୁଗଳ ଝଟ୍କା ପାଇଁ ଭାରତ ଏକଦା ଦୃଢ଼ ସ୍ଥିତିରେ ଥିଲା। ତେବେ ଓ୍ଵିକେଟ୍ ରକ୍ଷକ ପାର୍ଥିବ ପଟେଲ ବିପଜ୍ଜନକ ଏବି ଡିଭିଲିୟର୍ସଙ୍କ ସହଜ କ୍ୟାଚ୍ ହାତଛଡ଼ା କରିବା ପରେ ଦକ୍ଷିଣ ଆଫ୍ରିକା ସଫଳ ପ୍ରତ୍ୟାବର୍ତନ କରିଥିଲା। ପ୍ରଥମ ପାଳିରେ ୨୮ ରନ୍ରେ ପଛୁଆ ରହିବା ପରେ ଡିଭିଲିୟର୍ସଙ୍କୁ ଅର୍ଧଶତକୀୟ ପାଳି ଖେଳିବାର ସୁଯୋଗ ଦେଇ ଭାରତ ଘରୋଇ ଦଳକୁ ଘେରିବାର ସୁଯୋଗ ହାତଛଡ଼ା କରିଥିଲା। ଦକ୍ଷିଣ ଆଫ୍ରିକା ୩ ରନ୍ରେ ୨ ଓ୍ଵିକେଟ୍ ହରାଇବାର ଜବରଦସ୍ତ ଝଟ୍କାରୁ ମୁକୁଳି ୯୦/୨ରେ ଦିନ ଶେଷ କରିଥିଲା। ଫଳରେ ହାତରେ ୮ ଓ୍ଵିକେଟ୍ ଥାଇ ମୋଟ ଉପରେ ୧୧୮ ରନ୍ରେ ଆଗୁଆ ହୋଇ ଯାଇଥିଲା। ସୋମବାର ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳିର ୨୩.୫ ଓଭର ଅର୍ଥାତ୍ ସ୍ଥାନୀୟ ସମୟ ୩ଟା ୨୦ରେ ବର୍ଷା ହୋଇ ପାଖା ପାଖି ଘଣ୍ଟାଏ ପରେ ଛାଡ଼ିଥିଲା। ତେବେ ଆଉ ମାତ୍ର ୫.୧ ଓଭର ପରେ ଆଲୋକ ଅଭାବରୁ ଅମ୍ପାୟାର ଖେଳ ବନ୍ଦ ସଂକେତ ଦେବାକୁ ବାଧ୍ୟ ହୋଇଥିଲେ। ସେଥିପାଇଁ ଚତୁର୍ଥ ଏବଂ ପଞ୍ଚମ ଦିନରେ ନିର୍ଧାରିତ ୯୦ ଓଭର ପରିବର୍ତେ ୯୮ ଓଭର ଲେଖାଏଁ ଖେଳ ହେବ।
କୋହଲିଙ୍କ ବିବାହ ପରର ପ୍ରଥମ ଶତକ ପାଇଁ ଭାରତ ସୋମବାର ଦକ୍ଷିଣ ଆଫ୍ରିକାର ପ୍ରଥମ ପାଳି ୩୩୫ ରନ୍କୁ ଟପିବାର ଆଶା ସଂଚାର ହୋଇଥିଲା। ତେବେ ଘରୋଇ ଦଳ ଭାରତ ଲାଞ୍ଜକୁ ଲମ୍ବିବା ପୂର୍ବରୁ କାଟି ଦେଇଥିଲା। ଫଳରେ କୋହଲି ବାହିନୀ ୩୦୭ ରନ୍ରେ ଅଟକି ଯାଇଥିଲା। ଦ୍ୱିତୀୟ ପାଳିର ଦ୍ୱିତୀୟ ଓଭରରେ ଯସପ୍ରୀତ ବୁମରା ଏଦେନ ମର୍କରାମ ଏବଂ ହାସିମ ଆମଲାଙ୍କୁ ଷଷ୍ଠ ଓଭରରେ ପାଭିଲିୟନ ଫେରାଇ ଭାରତକୁ ଉତ୍ସାହିତ କରିଥିଲେ। ହେଲେ ଏବି ଡିଭିଲିୟର୍ସ (୫୦*) ଏବଂ ଡିନ୍ ଏଲଗାର (୩୬*)ଙ୍କ ଭାଗୀଦାରିକୁ ଭାଙ୍ଗି ନପାରି କୋହଲି ବାହିନୀ ଦକ୍ଷିଣ ଆଫ୍ରିକାକୁ ଫେରିବାର ସୁଯୋଗ ଦେଇଥିଲା।
ଦକ୍ଷିଣ ଆଫ୍ରିକାଠାରୁ ୧୫୨ ରନ୍ ପଛରେ ଥାଇ ସୋମବାରର ଖେଳ ଆରମ୍ଭ କରିଥିବା ଭାରତ ଆଉ ୧୨୪ ରନ୍ ଯୋଡ଼ି ଶେଷ ୫ ଓ୍ଵିକେଟ୍ ହରାଇଥିଲା। ମଧ୍ୟାହ୍ନ ଭୋଜନ ବିରତିର ଅଷ୍ଟମ ଓଭରରେ କୋହଲି ଶେଷ ବ୍ୟାଟ୍ସମ୍ୟାନ ଭାବେ ଆଉଟ୍ ହୋଇଥିଲେ। କେବଳ ବୋଲର ବୁମରା ସାଙ୍ଗରେ ଥିବାରୁ ଦ୍ରୁତ ରନ୍ ସଂଗ୍ରହ ଉଦ୍ୟମରେ ମନି ମର୍କେଲଙ୍କ ବଲ୍ରେ ସେ ଲଙ୍ଗ ଅନ୍ ଅଞ୍ଚଳରେ ଧରା ପଡ଼ିଥିଲେ। ଏହା ପୂର୍ବରୁ ସୋମବାର ଖେଳର ଷଷ୍ଠ ଓଭରରେ କୋହଲି ନିଜ ୨୧ତମ ଏବଂ ଅଧିନାୟକ ଭାବେ ଚର୍ତୁଦଶ ଶତକ ହାସଲ କରି ନେଇଥିଲେ। ଲୁଙ୍ଗି ଏନ୍ଗିଡ଼ିଙ୍କ ପ୍ରଥମ ବଲ୍କୁ ହାଲ୍କା ହାତରେ ମିଡଓ୍ଵିକେଟ୍ ଅଞ୍ଚଳକୁ ଖେଳି ୨ ରନ୍ ଝାମ୍ପି ନେବା ସହ କୋହଲି ଦକ୍ଷିଣ ଆଫ୍ରିକାରେ ଶତକ ଅର୍ଜନ କରିବାରେ ସଚିନ ତେନ୍ଦୁଲକରଙ୍କ ପରେ ପ୍ରଥମ ଭାରତୀୟ ଅଧିନାୟକ ହୋଇଥିଲେ। ପାଖାପାଖି ପାଞ୍ଚ ଫୁଟ ଉପରକୁ ଲମ୍ଫ ମାରି ଏବଂ ବ୍ୟାଟ୍କୁ ଜୋରରେ ହଲାଇ ସେ ଏହି ପ୍ରତୀକ୍ଷିତ ଶତକକୁ ମନଭରି ଉପଭୋଗ କରିଥିଲେ।
ଭାରତ ଆଜି ସଂଗ୍ରହ କରିଥିବା ରନ୍ର ସିଂହଭାଗ କୋହଲି ଏବଂ ଆର ଅଶ୍ୱିନ (୩୮ ରନ୍, ୫୪ ବଲ୍, ୭ ଚୌକା)ଙ୍କ ମଧ୍ୟରେ ହୋଇଥିବା ୭୧ ରନ୍ର ସପ୍ତମ ଓ୍ଵିକେଟ୍ ଭାଗୀଦାରିରୁ ଆସିଥିଲା। ଦିନର ସପ୍ତମ ଓଭରରେ ହାର୍ଦିକ ପାଣ୍ଡ୍ୟା ( ୧୫)ନିଜ ଦାୟିତ୍ୱହୀନତା ପାଇଁ ରନ୍ ଆଉଟ୍ ହେବା ପରେ ଅଶ୍ୱିନ କ୍ରିଜ୍କୁ ଆସିଥିଲେ। ବ୍ୟାଟିଂ ପାଇଁ ସ୍ଥିତି ଅନୁକୂଳ ନଥିଲେ ମଧ୍ୟ ଢେର କିଛି ସମୟ ପାଇଁ ସେ ଘରୋଇ ବୋଲରଙ୍କୁ ନୟାନ୍ତ କରିଥିଲେ। କୋହଲି-ଅଶ୍ୱିନ ୫ ରନ୍ ହାରରେ ରନ୍ କରିବା ସହ ଦକ୍ଷିଣ ଆଫ୍ରିକା ସେତେବେଳେ ଢେର ମାନସିକ ଚାପରେ ଥିଲା। ହେଲେ ଦ୍ୱିତୀୟ ନୂଆ ବଲ୍ରେ ମର୍କେଲ ଅଶ୍ୱିନଙ୍କୁ ଆଉଟ୍ କରି ଯୋଡ଼ିକୁ ବିପଜ୍ଜନକ ହେବା ପୂର୍ବରୁ ଭାଙ୍ଗି ଦେଇଥିଲେ। ତଥାପି କୋହଲି ଶେଷ ତିନି ବ୍ୟାଟ୍ସମ୍ୟ ସହ ମିଶି ୨୬ ରନ୍ ସଂଗ୍ରହ କରିଥିଲେ। ଏହା ପୂର୍ବରୁ ସେ ଦେଢ଼ ଶହ ରନ୍ ପୂରଣ କରି ସାରିଥିଲେ। ଦେଢ଼ ଶହ ରନ୍ ଛୁଇବା ମାତ୍ରେ ବେକରେ ପକାଇଥିବା ବିବାହ ମୁଦିଙ୍କୁ ଚୁମ୍ବନ ଦେଇ ଖୁସି ମନାଇଥିଲେ। ବିବାହ ପରେ ଏହା ତାଙ୍କର ପ୍ରଥମ ବଡ଼ ପାଳି ହୋଇଥିବାରୁ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ସମ୍ଭବତଃ ଏହାକୁ ଉତ୍ସର୍ଗ କରିଥିଲେ। କୋହଲି ଭାରତ ପାଳିର ମେରୁଦଣ୍ଡ ଥିଲା ବେଳେ ଅଶ୍ୱିନ ମଧ୍ୟ ନିଜ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। କିଗାସୋ ରବାଦା, ମର୍କେଲ ଏବଂ ଲୁଙ୍ଗି ଏନ୍ଗିଡିଙ୍କ ବାଉନ୍ସର ବର୍ଷାକୁ ଚତୁରତାର ସହ ପ୍ରତିହତ କରି ସେ ଭାରତୀୟ ପାଳିର ତୃତୀୟ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ଆଉଟ୍ ହେବା ପରେ କୋହଲି ଜଣେ ଭଲ ସାଥୀ ପାଇ ନଥିଲେ। ଫଳରେ ଭାରତ ପାଳି ୯୨.୧ ଓଭରରେ ୩୦୭ ରନ୍ରେ ସୀମିତ ହୋଇ ଯାଇଥିଲା। ଭାରତ ପାଳିରେ ଗୋଟିଏ ହେଲେ ବି ଅର୍ଧଶତକ ନଥିଲା ବେଳେ କୋହଲି ଏକମାତ୍ର ଶତକ ହାସଲକାରୀ ହୋଇଥିଲେ।