ସେଞ୍ଚୁରିଅନ୍‌ ଟେଷ୍ଟ୍‍ରେ ‘କର ବା ମର’

ସେଞ୍ଚୁରିଅନ୍‌: କେପ୍‌ ଟାଉନ୍‌ରେ କାନ କଟିଯାଇଥିଲା ଭାରତର। ସେଞ୍ଚୁରିଅନ୍‌ରେ ଶନିବାରଠାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟ୍‍ ନିଶ୍ଚିତ ଭାରତ ପାଇଁ କର ବା ମର ସ୍ଥିତି ଆଣିଛି। ଖେଳାଳି ଚୟନ ଦ୍ୱନ୍ଦ୍ୱ ହେଉ ଅବା ବ୍ୟାଟିଂ ବିଫଳତାର ପ୍ରଶ୍ନ ସବୁକିଛିର ଆଉ ଏକ ପରୀକ୍ଷା ହେବ ସେଞ୍ଚୁରିଅନ୍‌ରେ। ଦକ୍ଷିଣ ଆଫ୍ରିକା କେପ୍‌ ଟାଉନ୍‌ରେ ୭୨ ରନ୍‌ ବିଜୟ ସହିତ ୧-୦ରେ ଆଗୁଆ ରହିଥିବାରୁ ଭାରତ ପାଇଁ ବଡ଼ ଆହ୍ଵାନ ରହିବ। ବିଶେଷ କରି ଭାରତ ଲଗାତାର ୯ ଟେଷ୍ଟ୍‍ ଶୃଙ୍ଖଳା ଜିତି କୀର୍ତିମାନ କରିଥିବାରୁ ଏହାକୁ ଆଗକୁ ନେବ ନା ଅଟକିଯିବ କ୍ରିକେଟ୍‌ପ୍ରେମୀ ଅପେକ୍ଷାରତ। ଭାରତ ୨୦୧୮-୧୯ ଋତୁରେ ବିଦେଶରେ ଖେଳିବାକୁ ଥିବା ୧୨ ଟେଷ୍ଟ୍‍ରୁ ଦ୍ୱିତୀୟଟି ଶନିବାରଠୁ ଆରମ୍ଭ ହେବ। ଚଳିତ ଶୃଙ୍ଖଳାରେ ବଞ୍ଚି ରହିବା ପାଇଁ ଏଠାରେ କିଛି ଖାସ୍‌ କରିବାର ଆବଶ୍ୟକତା ମଧ୍ୟ ରହିଛି କୋହଲି ସେନା ଆଗରେ।

ଭାରତ ଶୃଙ୍ଖଳାକୁ ୦-୨ରେ ହାରିଲେ ମଧ୍ୟ କୋହଲି ବାହିନୀର ଏକ ନମ୍ବର ଟେଷ୍ଟ୍‍ ମାନ୍ୟତା ପ୍ରତି ବପଦ ରହିବ ନାହିଁ। କିନ୍ତୁ ଦଳକୁ ପୁଣି ଆତ୍ମଚିନ୍ତନ କରିବାର ଆହ୍ଵାନ ଆସିଯିବ। ଦ୍ୱିତୀୟ ଟେଷ୍ଟ୍‍ ଆରମ୍ଭର ୨୪ ଘଣ୍ଟା ପୂର୍ବରୁ ଭାରତୀୟ ଶିବିର ଖେଳାଳି ଚୟନକୁ ନେଇ ଅନିଶ୍ଚିତତା ଭିତରେ ରହିଛି। ସୁପର ସ୍ପୋର୍ଟସ ପାର୍କରେ ଭାରତୀୟ ଖେଳାଳିମାନେ ମାତ୍ର ୪ ଘଣ୍ଟାର ଆଭ୍ୟାସ କରିଛନ୍ତି ଶୁକ୍ରବାର। ଯେଉଁ ଯେଉଁ କ୍ଷେତ୍ରରେ ଦୁର୍ବଳତା ପଦାରେ ପଡ଼ିଛି ସେ ସବୁ ଅଭ୍ୟାସ ବେଳେ ପ୍ରତିଫଳିତ ହୋଇଥିଲା। ଚେତେଶ୍ୱର ପୂଜାରା ପ୍ରଥମ ସ୍ଲିପ୍‌ରେ କ୍ୟାଚ୍‌ ଅଭ୍ୟାସ କରିଛନ୍ତି। ବିରାଟ କୋହଲି ଏବଂ ରୋହିତ ଶର୍ମା ଜମାଣିଆ ବ୍ୟାଟିଂ ଅଭ୍ୟାସ କରିଥିଲେ ନେଟ୍‌ସରେ। ଅଜିଙ୍କ୍ୟ ରାହାଣେ କିନ୍ତୁ ଅଭ୍ୟାସ ଅଧିବେଶନରେ କେବଳ ନିରବ ଦର୍ଶକ ସାଜିଥିଲେ। ଶେଷ ଭାଗରେ ସହକାରୀ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗରଙ୍କ ସହ କିଛି ଥ୍ରୋ ଅଭ୍ୟାସ କରିଥିଲେ ରାହାଣେ ଓ ଧାଓ୍ଵନ। ଉଭୟ କିନ୍ତୁ ଫାଷ୍ଟ ବୋଲିଂର ସମ୍ମୁଖୀନ ହୋଇନଥିଲେ। ପାର୍ଶ୍ୱ ନେଟ୍‌ସରେ ଲୋକେଶ ରାହୁଲ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା ନିଜ ବ୍ୟାଟିଂକୁ ଶାଣିତ କରିଥିଲେ। ହାର୍ଦିକ ପାଣ୍ଡ୍ୟା ଏବଂ ରିଦ୍ଧିମାନ ସାହା ମଧ୍ୟ ୫ ଜଣିଆ ବ୍ୟାଟିଂ ଅଭ୍ୟାସରେ ସାମିଲ ଥିଲେ। ଟେଷ୍ଟ୍‍ ଶୃଙ୍ଖଳା ପୂର୍ବରୁ ଅଭ୍ୟାସ ମ୍ୟାଚ୍‌କୁ ଗୁରୁତ୍ୱ ଦେଇ ନ ଥିବା ଭାରତୀୟ ଦଳ କେପ୍‌ ଟାଉନ୍‌ରେ ଦ୍ୱିତୀୟ ପାଳିରେ ୧୩୫ରେ ସୀମିତ ରହିବାର ଦଣ୍ଡ ଭୋଗିଥିଲା।

ଶିଖର ଧାଓ୍ଵନଙ୍କ ବଦଳରେ ଲୋକେଶ ରାହୁଲଙ୍କ ଖେଳାଯିବା କଥା ସ୍ପଷ୍ଟ ହୋଇ ସାରିଛି। କାରଣ ସେମାନଙ୍କ ବିଦେଶ ପରିସଂଖ୍ୟାନ ହିଁ ରାହୁଲଙ୍କୁ ଆଗରୋ ରଖିଛି। ୨୦୧୩-୧୪ରେ ସର୍ବାଧିକ ୨୯ ରନ୍‌ କରି ପାରିଥିବା ଧାଓ୍ଵନଙ୍କ ହାରାହାରି ୧୮.୦୦ ଥିଲା। କିନ୍ତୁ କେପ୍‌ ଟାଉନ୍‌ର ଉଭୟ ପାଳିରେ ତାଙ୍କ ସଟ୍‌ ଚୟନ ହିଁ ଏବେ ତାଙ୍କୁ ବାହାରେ ବସିିବାକୁ ବାଧ୍ୟ କରୁଛି। କିନ୍ତୁ ବୈଷୟିକ ଦୃଷ୍ଟିରୁ ଉନ୍ନତ ଥିବା ରାହୁଲ ସେଥି ପାଇଁ ଅଧିକ ନିର୍ଭର୍ରଯୋଗ୍ୟ ହୋଇଛନ୍ତି। ରୋହିତ ଶର୍ମା ଏବଂ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରୁ କାହାକୁ ବାଛିବେ କୋହଲି ମଧ୍ୟ ସ୍ପଷ୍ଟ କରିନାହାନ୍ତି। କିନ୍ତୁ ଏ ଦୁହିଁଙ୍କ ମଧ୍ୟରେ କେବଳ ବର୍ତମାନର ଫର୍ମ ନିର୍ଣ୍ଣାୟକ ହେବ ବୋଲି ଆଭାସ ଦେଇଥିବାରୁ ରୋହିତ ପୁଣି ଥରେ ସୁଯୋଗ ପାଇବା ପ୍ରାୟ ନିଶ୍ଚିତ। ପିଚ୍‌ କିନ୍ତୁ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍‌ସ ତୁଳନାରେ ଭିନ୍ନ ରହିଛି। ଅଳ୍ପ ଘାସ ଥିବାରୁ ବ୍ୟାଟସମ୍ୟାନ୍‌ଙ୍କ ପାଇଁ କିଛି ସୁଯୋଗ ରହିବ। କିନ୍ତୁ ପ୍ରଥମ ଟେଷ୍ଟ୍‍ ଭଳି ପିଚ୍‌ ରହିବ ବୋଲି ଧାରଣା ଦିଆଯାଇଥିବାରୁ ଭାରତ ସ୍ପିନରଙ୍କୁ ବାଦ୍‌ ଦେବା ବିଚାର କରୁଛି। କିନ୍ତୁ ମ୍ୟାଚ୍‌ ଆଗେଇବା ସହିତ ସ୍ପିନର୍‌ଙ୍କ ଗୁରୁତ୍ୱ ବଢ଼ିବ। ଅନ୍ୟପକ୍ଷରେ ଉମେଶ ଯାଦବ ମଧ୍ୟ ଗୁରୁୁବାର ଭଲ ଅଭ୍ୟାସ କରିଥିଲେ। କିନ୍ତୁ ଭାରତ ଯଦି ବୋଲିଂ ବାହିନୀରେ ପରିବର୍ତନ କରିବ ନାହିଁ ତେବେ ମିଳିତ ଭାବେ ୧୧୫ ଟେଷ୍ଟ୍‍ ଖେଳିଥିବା ଉମେଶ ଯାଦବ ଓ ଈଶାନ୍ତ ଶର୍ମା ପୁଣି ବଞ୍ଚିତ ହେବେ। ଘରୋଇ ଦଳ ଆହତ ଡେଲ୍‌ ଷ୍ଟେନ୍‌ଙ୍କ ବଦଳରେ ଯୁବ ତାରକା ଲୁଙ୍ଗି ଏନ୍‌ଗିଡ଼ିଙ୍କୁ ନିଜ ପଡ଼ିଆରେ ପଦାର୍ପଣ ସୁଯୋଗ ଦେଇ ପାରେ। କିନ୍ତୁ ଅଲରାଉଣ୍ଡର୍‌ କ୍ରିସ୍‌ ମୋରିସ୍‌ଙ୍କ ସାମିଲ କଲେ ଦକ୍ଷିଣ ଆଫ୍ରିକା ନିଶ୍ଚିତ ଉଭୟ ବ୍ୟାଟିଂ ଓ ବୋଲିଂରେ ଅଧିକ ଶକ୍ତିଶାଳୀ ହୋଇପାରିବ।

ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ମୁରଲୀ ବିଜୟ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ରିଦ୍ଧିମାନ ସାହା (ଓ୍ଵିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଆର୍‌ ଅଶ୍ୱିନ୍‌, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା, ପାର୍ଥିବ ପଟେଲ୍‌।

ଦକ୍ଷିଣ ଆଫ୍ରିକା: ଫାପ ଡୁ ପ୍ଲେସିସ୍‌ (ଅଧିନାୟକ), ଡିନ୍‌ ଏଲଗାର, ଅଦେନ ମର୍କରାମ, ହାସିମ୍‌ ଆମଲା, ତେମ୍ବା ବାଭୁମା, ଥିଅନ୍‌ ଡି’ ବ୍ରୁଇନ୍‌, କ୍ୟୁଣ୍ଟନ୍‌ ଡି’କକ୍‌ (ଓ୍ଵିକେଟରକ୍ଷକ), କେଶବ ମହାରାଜ, ମର୍ନି ମର୍କେଲ, କ୍ରିସ୍‌ ମୋରିସ୍‌, ଭେର୍ନନ ଫିଲାଣ୍ଡର୍‌, କାଗିସୋ ରବାଦା, ଆନ୍ଦିଲେ ଫେଲୁକ୍ୱାୟୋ, ଲୁଙ୍ଗୀ ଏନ୍‌ଗିଡି, ଡୁଆନ୍‌ ଓଲିଭର୍‌।

ସୁପର ସ୍ପୋର୍ଟସରେ ୨୯ ଶତକ
ସେଞ୍ଚୁରିଅନରେ ବ୍ୟାଟିଂ କଷ୍ଟକର ବୋଲି କୁହାଯାଉଥିଲେ ମଧ୍ୟ ରନ୍‌ ସଂଗ୍ରହ ଅସମ୍ଭବ ନୁହେଁ। ଏଠାରେ ୨୨ ଟେଷ୍ଟ୍‍ରୁ ଦେଖିବାକୁ ମିଳିଛି ୨୯ ଶତକ। ଏହା ମଧ୍ୟରେ ୨ଟି ରହିଛି ଦ୍ୱିଶତକ। ଦକ୍ଷିଣ ଆଫ୍ରିକା ଏହାର ପିଚ୍‌ କଥା ଭଲ ଭାବେ ଜାଣିଛି, କିନ୍ତୁ ଭାରତକୁ ଶୃଙ୍ଖଳାରେ ବଞ୍ଚିବାକୁ ହେଲେ ପରବର୍ତୀ ୫ ଦିନ କଠୋର ପରିଶ୍ରମ କରିବାକୁ ହେବ। ଭାରତ ପକ୍ଷରୁ ଚେତେଶ୍ୱର ପୂଜାରା ଏବଂ ଦକ୍ଷିଣ ଆଫ୍ରିକା ପକ୍ଷରୁ ମର୍ନି ମର୍କେଲଙ୍କ ପ୍ରଦର୍ଶନ ନିର୍ଣ୍ଣୟକ ହେବ। ସୁପରସ୍ପୋର୍ଟସ ପାର୍କ ଦକ୍ଷିଣ ଆଫ୍ରିକାର ସବୁଠାରୁ ସଫଳତମ ପଡ଼ିଆ। ୨୨ ଟେଷ୍ଟ୍‍ରୁ ଘରୋଇ ଦଳ ୧୭ ଜିତିଛି। ୨୦୦୦ରେ ଇଂଲଣ୍ଡ ଏବଂ ୨୦୧୪ରେ ଅଷ୍ଟ୍ରେଲିଆଠାରୁ ଦୁଇଟି ମ୍ୟାଚ୍‌ ହାରିଛି। ଭାରତ ଥରେ ମାତ୍ର ଏଠାରେ ଖେଳି ୨୦୧୦-୧୧ ଋତୁରେ ପାଳି ବ୍ୟବଧାନରେ ହାରିଥିଲା। ଅବଶ୍ୟ ସଚିନ ତେନ୍ଦୁଲକରଙ୍କ ୫୦ତମ ଟେଷ୍ଟ୍‍ ଶତକର ମୁକ ସାକ୍ଷୀ ରଖିଛି। ମହମ୍ମଦ ସାମି ଆଉ ଗୋଟିଏ ଓ୍ଵିକେଟ୍‌ ନେଲେ ୧୦୦ ପୂରଣ କରିବେ।

ବ୍ୟାଟସମ୍ୟାନ୍‌ଙ୍କ ପାଇଁ ସୁଯୋଗ
କେପ୍‌ ଟାଉନ୍‌ ବିଫଳତା ଏବେ ଅତୀତ ହୋଇଯାଇଛି। ନୂଆ ଆରମ୍ଭ କରିବା ଅପେକ୍ଷାରେ ଥିବା ଭାରତୀୟ ଦଳର ବ୍ୟାଟସମ୍ୟାନ୍‌ଙ୍କ ପାଇଁ ସେଞ୍ଚୁରିଅନ୍‌ରେ ସୁଯୋଗ ରହିବ। ପ୍ରଥମ ଟେଷ୍ଟ୍‍ ୯ ଅଧିବେଶନ ଭିତରେ ଶେଷ ହୋଇଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ପ୍ରଶିକ୍ଷକ ଓଟିିସ୍‌ ଗିବ୍‌ସନ୍‌ ସେଞ୍ଚୁରିଅନ୍‌ ଓ ଓ୍ଵଣ୍ଡରର୍ସରେ ଅନୁରୂପ ଆଶା କରିଥିଲେ। ସବୁ ଟେଷ୍ଟ୍‍ ଏଭଳି ୩ ଦିନ ଭିତରେ ସରିଲେ ଭଲ କଥା ବୋଲି ସେ କହିଥିଲେ। କିନ୍ତୁ ସେଞ୍ଚୁରିଅନ୍‌ ପିଚ୍‌ ସେଭଳି ଥିବା ଅନୁମାନ କରାଯାଉନାହିଁ। କେପ୍‌ ଟାଉନ୍‌ ଭଳି ଘାସୁଆ ନାହିଁ ସେଞ୍ଚୁରିଅନ୍‌ ପିଚ୍‌। ଦ୍ରୁତ ବୋଲରଙ୍କ ସାମାନ୍ୟ କମ୍‌ ଗତି ମିଳିବ ବୋଲି କୁହାଯାଉଛି। ପାରମ୍ପାରିକ ଭାବେ ସେଞ୍ଚୁରିଅନ୍‌ ଟେଷ୍ଟ୍‍ ବ୍ୟାଟସମ୍ୟାନ୍‌ଙ୍କ ସପକ୍ଷରେ ରହିଥାଏ ବୋଲି ମଧ୍ୟ ପ୍ରାରମ୍ଭିକ ଖେଳାଳି ମର୍କରାମ କହିଛନ୍ତି। ବ୍ୟାଟସମ୍ୟାନ୍‌ ନିଶ୍ଚିତ ଲଢ଼ୁଆ ସ୍କୋର୍‌ ଛିଡ଼ା କରିବେ। ସବୁ ଆକଳନରୁ ଏହା ସୂଚନା ଦେଉଛି ସେ ପ୍ରଥମ ଟେଷ୍ଟ ଭଳି ଏଠାରେ ଏତେ ଶୀଘ୍ର ମାଚ୍‌ ଶେଷ ହେବ ନାହିଁ। କିନ୍ତୁ ଦକ୍ଷିଣ ଆଫ୍ରିକା ବୋଲିଂ ବାହିନୀକୁ ଯେଭଳି ପିଚ୍‌ ମିଳିଲେ ବି ସେମାନେ ସର୍ବାଧିକ ଫାଇଦା ଉଠାଇବା ଆଶଙ୍କା ରହିଛି। ୫ ଦିନ ଭିତରେ ବର୍ଷାର ପୂର୍ବାନୁମାନ ନାହିଁ।

ସମ୍ବନ୍ଧିତ ଖବର