ସେଞ୍ଚୁରିଅନ ଟେଷ୍ଟ: ଡିଭିଲିୟର୍ସଙ୍କ ଅର୍ଦ୍ଧଶତକ, ଦ.ଆଫ୍ରିକା ୧୧୮ ରନରେ ଆଗୁଆ

ସେଞ୍ଚୁରିଅନ: ଏଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟର ୩ୟ ଦିନ ଖେଳ ଶେଷସୁଦ୍ଧା ଘରୋଇ ଦକ୍ଷିଣ ଆଫ୍ରିକା ନିଜର ସ୍ଥିତି ସୁଦୃଢ କରିଛି । ତେବେ ବର୍ଷା ଓ ଖରାପ ଆଲୋକ କାରଣରୁ ଆଜିର ଖେଳ ଅଟକି ରହିଥିଲା । ସେ ସମୟ ସୁଦ୍ଧା ଦକ୍ଷିଣ ଆଫ୍ରିକା ଏବି ଡିଭିଲିୟର୍ସଙ୍କ ଚମତ୍କାର ଅର୍ଦ୍ଧଶତକ ସହ ନିଜର ସ୍ଥିତିକୁ ଦୃଢ କରିବା ସହ ୧୧୮ ରନରେ ଆଗୁଆ ରହିଛି । ଦକ୍ଷିଣ ଆଫ୍ରିକା ନିଜର ୨ୟ ଇନିଙ୍ଗସ ଆରମ୍ଭରୁ ୨ଟି ଓ୍ଵିକେଟ୍‌ ହରାଇବା ସହ ବିପଦରେ ପଡିଥିଲା । ଜସପ୍ରିତ ବୁମରା ଆରମ୍ଭରୁ ୩ ଓ୍ଵିକେଟ୍‌ ନେଇ ଘରୋଇ ଦଳକୁ ଝଟକା ଦେଇଥିଲେ । କିନ୍ତୁ ଡିଭିଲିୟର୍ସ ସତର୍କତାର ସହ ଖେଳିବା ସହ ୭୮ ବଲରେ ନିଜର ୫୦ ରନ ପୂରଣ କରିଥିଲେ । ତାଙ୍କ ସହ ଡିନ ଏଲଗାର ମଧ୍ୟ ୩୮ ରନ ସହ ଅପରାଜିତ ଅଛନ୍ତି ଓ ଦକ୍ଷିଣ ଆଫ୍ରିକାର ୨ ଓ୍ଵିକେଟରେ ୯୦ ରନ ହୋଇଛି ।

ଏହା ପୂର୍ବରୁ ଅଧିନାୟକ ବିରାଟ କୋହଲୀଙ୍କ ଲଢୁଆ ଶତକ ଫଳରେ ଭାରତୀୟ ଦଳ ଘରୋଇ ଦକ୍ଷିଣ ଆଫ୍ରିକାକୁ କଡ଼ା ଟକ୍କର ଦେଇଥିଲା ଓ ଦକ୍ଷିଣ ଆଫ୍ରିକାର ୩୩୫ ରନ ଜବାବରେ ୩୦୭ ରନରେ ଅଲଆଉଟ ହୋଇଯାଇଥିଲା । ଏହା ସହିତ ଭାରତ ୨୮ ରନରେ ପଛୁଆ ଥିଲା ।
ଆଜି ଭାରତ ଗତ କାଲିର ଅସମାପ୍ତ ୫ ଓ୍ଵିକେଟ୍‌ରେ ୧୮୩ ରନରୁ ଖେଳିବାକୁ ଆରମ୍ଭ କରିଥିଲା । ଅଧିନାୟକ କୋହଲି ଗତ କାଲିର ନିଜ ବ୍ୟକ୍ତିଗତ ୮୩ ରନରୁ ଆଗକୁ ଖେଳିବା ସହ ନିଜ କ୍ୟାରିୟରର ୨୧ତମ ଶତକ ପୂରଣ କରିଥିଲେ ।

ସମ୍ବନ୍ଧିତ ଖବର