କାର୍ଡିଫ, ୨୮ା୫: ଶେଷ ଅଭ୍ୟାସ ମ୍ୟାଚ୍ରେ ଲୋକେଶ ରାହୁଲ ଏବଂ ମହେନ୍ଦ୍ର ସିଂହ ଧୋନି ଶତକ ହାସଲ କରି ବିଶ୍ବକପ୍ ପୂର୍ବରୁ ନିଜ ନିଜ ଆତ୍ମବିଶ୍ବାସକୁ ଉଚ୍ଚା ରଖିଛନ୍ତି। ମଙ୍ଗଳବାର ବାଂଲାଦେଶ ବିପକ୍ଷରେ ଏହି ଦୁଇ ଡାହାଣହାତୀ ବ୍ୟାଟସମ୍ୟାନ୍ ଜମାଣିଆ ଶତକ ହାସଲ କରିବାରୁ ଭାରତ ୩୫୯ ରନ୍ ସ୍କୋର୍ କରି ନେଇଥିଲା। ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା (୧୯, ୪୨ ବଲ) ଏବଂ ଶିଖର ଧାୱନ (୧, ୯ ବଲ୍) ବିଫଳ ହେବା ପରେ ଅଧିନାୟକ ବିରାଟ କୋହଲି (୪୭, ୪୬ ବଲ୍, ୫ ଚୌକା) ଭଲ ବ୍ୟାଟିଂ କରି ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ୫ ନମ୍ବରରେ ଆସି ବିଜୟ ଶଙ୍କର (୨, ୭ ବଲ୍) ମଧ୍ୟ ବିଫଳ ହୋଇଥିଲେ। ତେବେ ବହୁ ଆଲୋଚିତ ୪ ନମ୍ବରରେ ଖେଳିଥିବା ଲୋକେଶ ରାହୁଲ (୧୦୮, ୯୯ ବଲ୍, ୧୨ ଚୌକା, ୪ ଛକା) ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୧୧୩, ୭୮ ବଲ୍, ୮ ଚୌକା, ୭ ଛକା) ଅଲଗା ଅଲଗା ଢଙ୍ଗରେ ଖେଳି ନିଜ ନିଜ ଶତକ ପୂର୍ଣ୍ଣ କରିଥିଲେ। ହାର୍ଦିକ ପାଣ୍ଡ୍ୟା (୨୧, ୧୧ ବଲ, ୨ ଚୌକା, ୧ ଛକା), ଦୀନେଶ କାର୍ତିକ (୭*, ୫ ବଲ୍, ୧ ଚୌକା) ଏବଂ ରବୀନ୍ଦ୍ର ଜାଦେଜା (୧୧*, ୪ ବଲ୍, ୧ ଚୌକା, ୧ ଛକା) ସାମୟିକ ଅଭ୍ୟାସ ସୁଯୋଗ ପାଇଥିଲେ। ବାଂଲାଦେଶ ପକ୍ଷରୁ ରୁବେଲ ହାସନ୍, ସକିବ୍ ଅଲ୍ ହାସନ୍ ୨ଟି ଲେଖାଏଁ ଏବଂ ମୁସ୍ତାଫିଜୁର ରହମାନ, ମହମ୍ମଦ ସଇଫୁଦିନ୍, ସବିର୍ ରହମାନ୍ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
ଜବାବରେ ବାଂଲାଦେଶ ଭଲ ଆରମ୍ଭ କରିଥିଲା। ଯଶପ୍ରୀତ୍ ବୁମରା ଲଗାତାର ବଲ୍ରେ ସୌମ୍ୟ ସରକାର ଏବଂ ସକିବ୍ ଅଲ୍ ହାସନଙ୍କୁ ଆଉଟ୍ କରିବାରୁ ଏହି ଏସୀୟ ପ୍ରତିଦ୍ବନ୍ଦ୍ବୀ ୪୯/୨ରେ ପହଞ୍ଚିଥିଲା। ଏହି ସମୟରେ ଲିଟନ୍ ଦାସ ଏବଂ ମୁସଫିକର ରହିମ୍ ତୃତୀୟ ୱିକେଟ୍ ପାଇଁ ୨୧.୩ ଓଭରରେ ୧୨୦ ରନ୍ ଯୋଡ଼ିବାରୁ ବାଂଲାଦେଶ ପ୍ରତ୍ୟାବର୍ତନ କରିଥିଲା। ୟୁଜବେନ୍ଦ୍ର ଚହଲ ମଧ୍ୟ ଲଗାତାର ବଲ୍ରେ ଲିଟନ୍ ଏବଂ ମହମ୍ମଦ ମିଥୁନଙ୍କୁ ଆଉଟ୍ କରି ପୁଣି ବାଂଲାକୁ ଯୁଗଳ ଝଟକା ଦେଇଥିଲେ। ୪୯.୩ ଓଭରରେ ବାଂଲାଦେଶ ୨୬୪ ରନ୍ରେ ସମସ୍ତ ୱିକେଟ୍ ହରାଇ ୯୫ ରନ୍ର ପରାଜୟ ବରଣ କଲା। ଭାରତୀୟ ଦଳର ତିନି ସ୍ପିନର୍ କୁଲଦୀପ ଯାଦବ (୩), ଚହଲ୍ (୩) ଓ ରବୀନ୍ଦ୍ର ଜାଦେଜା (୧) ୱିକେଟ୍ ବାଣ୍ଟି ନେଇ ଭାରତକୁ ବିଜୟୀ କରାଇଥିଲେଃ କୁଲଦୀପ ମଧ୍ୟ ମୁସଫିକର ରହିମ୍ (୯୦, ୯୪ ବଲ୍, ୮ ଚୌକା, ୨ ଛକା)ଙ୍କୁ ବୋଲଡ୍ କରି ଶତକରୁ ବଞ୍ଚିତ ରଖିଥିଲେ।
ସୂଚନାଯୋଗ୍ୟ, ଭାରତ ନିଜର ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍ଠୁ ହାରି ଯାଇଥିଲା। ଗୁରୁବାର ବିଶ୍ବକପ୍ ଆରମ୍ଭ ହେଉଥିଲେ ମଧ୍ୟ ଜୁନ୍ ୫ ତାରିଖରେ ଦକ୍ଷିଣ ଆଫ୍ରିକା ସହ ଖେଳି ଭାରତ ତା’ର ଅଭିଯାନ ଆରମ୍ଭ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/dhoni-rahul.jpg)