ସିଓଏର କଡ଼ା ଆଭିମୁଖ୍ୟ: ଅନ୍ତର୍ଜାତୀୟ କ୍ରିକେଟର୍‌ଙ୍କୁ ଭୋଟିଂ ଅଧିକାର ଦିଅ:ଓସିଏ ଚିନ୍ତା ବଢ଼ିବ

ମୁମ୍ବାଇ: ରାଜ୍ୟ କ୍ରିକେଟ୍‌ ସଂଘ ଗୁଡ଼ିକ ପାଇଁ ସମସ୍ତ ଗଳା ବାଟକୁ ବନ୍ଦ କରିବାରେ ଲାଗିଛି ବିସିସିଆଇ। ବୋର୍ଡର ଦାୟିତ୍ୱରେ ଥିବା ପ୍ରଶାସନିକ ସମିତି (ସିଓଏ) ଏବେ କହିଛି, ଭୋଟର୍‌ ତାଲିକାରେ ଯେଭଳି ସମ୍ପୃକ୍ତ ରାଜ୍ୟର ସମସ୍ତ ପୁରୁଷ ଓ ମହିଳା ଅନ୍ତର୍ଜାତୀୟ କ୍ରିକେଟର୍‌ଙ୍କ ନାମ ରହିବ। ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବା ଖେଳାଳିଙ୍କ ନାମକୁ ମିଶାଇ ପୁନଃ ଭୋଟର ତାଲିକା ପଠାଇବାକୁ ସିଓଏ ସବୁ ରାଜ୍ୟ ସଂଘକୁ ମେଲ୍‌ ପଠାଇଛି। ସଂଘର ସାଧାରଣ ପରିଷଦରେ ଯେଉଁମାନେ କେବଳ ଜିଲ୍ଲା ଓ କ୍ଲବ୍‌ ୟୁନିଟ୍‌କୁ ଭୋଟରଭାବେ ରଖିଛନ୍ତି ସେମାନଙ୍କ ପାଇଁ ଏହା ବାଧ୍ୟତାମୂଳକ। ଏଭଳି ସ୍ଥିତିରେ ଥିବା ଓଡ଼ିଶା ସମେତ ବହୁ ରାଜ୍ୟ ପାଇଁ ଏବେ ଚିନ୍ତା ବଢ଼ିଯାଇଛି। ଓଡ଼ିଶାରୁ ଅଧା ଡଜନେରୁ ଊର୍ଧ୍ୱ ଖେଳାଳି ଭାରତର ପ୍ରତିନିଧିତ୍ୱ କରିଥିଲେ ମଧ୍ୟ ଅଦ୍ୟାବଧି କାହାରିକୁ ଓସିଏ (ଓଡ଼ିଶା କ୍ରିକେଟ୍‌ ସଂଘ) ସଦସ୍ୟ ଭାବେ ନେଇ ନାହିଁ କି ଭୋଟ ଅଧିକାର ପ୍ରଦାନ କରିନି।

କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ (ସିଏବି) ଏବଂ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ (ଏମ୍‌ସିଏ)ର ବ୍ୟକ୍ତିଗତ ଭୋଟିଂ ବ୍ୟବସ୍ଥା ନାହିଁ। ସିଏବିରେ କ୍ଲବ୍‌ ଓ ଜିଲ୍ଲା ଏବଂ ଏମସିଏରେ କେବଳ କ୍ଲବ୍‌ ସଦସ୍ୟ ରହିଛନ୍ତି। କିନ୍ତୁ ସିଓଏର ନୂଆ ଆଦେଶରେ ଖେଳାଳିଙ୍କୁ ଭୋଟିଂ ଅଧିକାର ଭାବେ ସଦସ୍ୟତା ପ୍ରଦାନ କରିବାକୁ କୁହାଯାଇଛି। ନିର୍ବାଚନ ପୂର୍ବରୁ ଏହା ବାଧ୍ୟତାମୂଳକ। ବିସିସିଆଇର ନୂଆ ସମ୍ବିଧାନ ଅନୁମୋଦିତ ହେବା ପର୍ଯ୍ୟନ୍ତ କର୍ମକର୍ତା ମାନେ ଦାୟିତ୍ୱରେ ରହିବାକୁ କୁହାଯାଇଛି। ଯେଉଁ ରାଜ୍ୟରେ ନିର୍ବାଚିତ କର୍ମକର୍ତାଙ୍କ କାର୍ଯ୍ୟକାଳ ପୂର୍ଣ୍ଣ ହୋଇସାରିଛି ସେଠାରେ ପ୍ରଶାସକ ନିଯୁକ୍ତ ଲାଗି ସେମାନେ ସମ୍ପୃକ୍ତ ରାଜ୍ୟର ଉଚ୍ଚ ନ୍ୟାୟାଳୟଙ୍କୁ ଆବେଦନ କରିପାରିବେ। ସିଓଏର ନୂଆ ପ୍ରୟାସ କୌଣସି ସଂଘ ଗଠନର ସାମ୍ବିଧାନିକ ଅଧିକାର ଉପରେ ଏକ ସିଧାସଳଖ ଆକ୍ରମଣ ବୋଲି ଜଣେ ରାଜ୍ୟ ସଂଘ କାର୍ଯ୍ୟକର୍ତା ପ୍ରକାଶ କରିଛନ୍ତି। ଆମକୁ ଏବେ ଖେଳାଳିଙ୍କୁ ସାମିଲ କରି ସମ୍ପୂର୍ଣ୍ଣ ଭୋଟର ତାଲିକା ପ୍ରଦାନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର