ଚଣ୍ଡିଗଡ: ୫୪ ଦିନିକିଆ ଓ ୪୫ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳିସାରିଲେଣି ସ୍ପିନର ୟୁଜବେନ୍ଦ୍ର ଚହଲ। ଅନ୍ତର୍ଜାତୀୟ ପଦାର୍ପଣର ସାଢ଼େ ଚାରି ବର୍ଷ ମଧ୍ୟରେ ବି ଢେର ମ୍ୟାଚ୍ ବିଜୟୀ ପ୍ରଦର୍ଶନ ଦେଇ ସାରିଲେଣି ସେ। ହେଲେ ଟେଷ୍ଟ୍ କ୍ରିକେଟ୍ ଖେଳିବା ସୌଭାଗ୍ୟ ତାଙ୍କ ଭାଗ୍ୟରେ ଏପର୍ଯ୍ୟନ୍ତ ଜୁଟିନାହିଁ। ଗତ ଦୁଇ ବର୍ଷ ଭିତରେ ସ୍ଥିର ପ୍ରଦର୍ଶନ ଦେଇ ଆସୁଥିବାରୁ ଗତବର୍ଷ ଯେତେବେଳେ ଭାରତ ଗସ୍ତରେ ଇଂଲଣ୍ଡ ଆସିଥିଲା ଟେଷ୍ଟ୍ ଦଳକୁ ଡାକରା ପାଇବେ ବୋଲି ଏହି ୩୦ ବର୍ଷୀୟ ହରିୟାଣା ବୋଲର ବହୁ ଆଶା ରଖିଥିଲେ। ହେଲେ ଚୟନକର୍ତ୍ତା ତାଙ୍କୁ ବିଚାରକୁ ନେଲେନି। ବିଚରା ଚହଲଙ୍କୁ ଯାହା ବହୁତ ବାଧିଥିଲା।
ଭାରତୀୟ କ୍ରିକେଟ୍ ଦଳର ଚଳିତ ବର୍ଷର ଇଂଲଣ୍ଡ ଗସ୍ତରେ କିନ୍ତୁ ତାଙ୍କର ଏଭଳି କୌଣସି ଆଶା ନଥିଲା ବୋଲି କିନ୍ତୁ ସ୍ପଷ୍ଟ କରି ଦେଇଛନ୍ତି ସେ। ଶନିବାର ଦେଇଥିବା ଏକ ସାକ୍ଷାତକାର ଅବସରରେ ଚହଲ କହିଛନ୍ତି ଯେ ଏଥର ମୁଁ ଟେଷ୍ଟ୍ ଦଳକୁ ଡାକରା ପାଇବି ବୋଲି ଆଶା ନଥିଲା। ହଁ ଇଂଲଣ୍ଡ ଆସିଲା ବେଳେ ଆମର କିଛି ସ୍ପିନର ଆହତ ହୋଇଥିଲେ। ଏଣୁ ମୁଁ ଟେଷ୍ଟ୍ ଡାକରା ପାଇବି ବୋଲି ଆଶା କରିଥିଲି। ଦୁର୍ଭାଗ୍ୟଜନକ ଭାବେ ଏଭଳି କୌଣସି ଘଟଣା ଘଟି ନଥିଲା। ଏହାର କାରଣ ଦର୍ଶାଇବାକୁ ଯାଇ ଚହଲ ଆହୁରି କହିଥିଲେ ଯେ ଦେଖନ୍ତୁ ଅକ୍ଷର ଆସିଲେ ଏବଂ ବହୁତ ଭଲ କଲେ। ଅଶ୍ବିନ, ଜାଦେଜା, କୁଲଦୀପ ପୂର୍ବରୁ ଟେଷ୍ଟ୍ ଦଳରେ ଅଛନ୍ତି। ୩-୪ ଜଣ ଭଲ ଖେଳାଳି ଦଳରେ ଥିବାରୁ ମୋ ପାଇଁ ସ୍ଥାନ ପାଇବା କଷ୍ଟକର ହୋଇଯାଉଛି। ଅଶ୍ବିନ ଭାଇ ୪୦୦ ୱିକେଟ୍ ପୂରଣ କରିସାରିଛନ୍ତି। ଜାଦେଜା ବି ୨୫୦ ୱିକେଟ୍ ଛୁଇଁଛନ୍ତି। ସେମାନଙ୍କୁ ଦେଖି ମୋତେ ଆହୁରି ଭଲ କରିବାକୁ ହେବ ବୋଲି ହୃଦୟଙ୍ଗମ ହେଉଛି। ସୂଚନାଯୋଗ୍ୟ ଯେ, ୨୦୧୯ ଏକଦିବସୀୟ ବିଶ୍ବକପ୍ଠାରୁ ଚହଲ ୩୭.୬୮ ହାରରେ ୧୭ ଟ୍ବେଣ୍ଟି-୨୦ ଏବଂ ୫ ଦିନିକିଆରୁ ୮ ୱିକେଟ୍ ଅକ୍ତିଆର କରିଛନ୍ତି। ତେବେ ଦିନେ ନା ଦିନେ ଟେଷ୍ଟ୍ ଟୋପି ପାଇବେ ବୋଲି ଚେସ୍ ତାରକାରୁ କ୍ରିକେଟର୍ ପାଲଟିଥିବା ଚହଲ ଆଶାବାଦୀ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/yuzvendra-chahal.jpg)