ରୟାଲ୍ସକୁ ଜିତାଇଲେ ଚହଲ, ଜୟସ୍ବାଲ

ମୁମ୍ବାଇ: ଆଇପିଏଲ୍‌ର ୫୨ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୬ ୱିକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ଏକାଦଶ ମ୍ୟାଚ୍‌ରୁ ସପ୍ତମ ବିଜୟ ହାସଲ କରିଛି। ମୟଙ୍କ ଅଗ୍ରୱାଲଙ୍କ ପଞ୍ଜାବ କିଙ୍ଗ୍ସ ଏକାଦଶ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ସହ ସପ୍ତମ ସ୍ଥାନରେ ସଂଘର୍ଷ କରୁଛି। ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଶିଖର ଧାୱନ (୧୨ ରନ୍‌, ୧୬ ବଲ୍‌) ବିଫଳ ହେବା ପରେ ଜନି ବେୟାରଷ୍ଟୋ (୪୦ ବଲ୍‌ରୁ ୫୬ ରନ୍‌) ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରି ପଞ୍ଜାବ ପାଳିକୁ ଠିକଣା ପଥରେ ରଖିଥିଲେ। ସିଂହଳୀ ବ୍ୟାଟର୍‌ ଭାନୁକା ରାଜପାକ୍ଷ (୧୮ ବଲ୍‌ରୁ ୨୭ ରନ୍‌) ୟୁଝବେନ୍ଦ୍ର ଚହଲଙ୍କ ୩ ୱିକେଟ୍ ସଫଳତାର ପ୍ରଥମ ଶିକାର ହୋଇଥିଲେ। ଗୋଟିଏ ଓଭର ପରେ ଅଧିନାୟକ ମୟଙ୍କ ଅଗ୍ରୱାଲ୍ (୧୩ ବଲ୍‌ରୁ ୧୫ ରନ୍‌) ଏବଂ ଜନି ବେୟାରଷ୍ଟୋଙ୍କୁ ଚହଲ ଗୋଟିଏ ଓଭରରେ ଆଉଟ୍ କରି ନିଜ‌ ମୋଟ ୱିକେଟ୍‌ ସଂଖ୍ୟାକୁ ୨୨ରେ ପହଞ୍ଚାଇ ବାଇଗଣି‌ ଟୋପିକୁ ସୁରକ୍ଷିତ ରଖିବାର ହକ୍‌ଦାର ହୋଇଥିଲେ। ପଞ୍ଜାବ ପାଳିର ଶେଷ ଭାଗରେ ୱିକେଟରକ୍ଷକ ଜ‌ିତେଶ ଶର୍ମା (୧୮ ବଲ୍‌ରୁ ୩୮* ରନ୍‌) ଏବଂ ଲିଆମ ଲିଭିଙ୍ଗଷ୍ଟୋନ୍‌ (୧୪ ବଲ୍‌ରୁ ୨୨ ରନ୍‌) ବିସ୍ଫୋରକ ବ୍ୟାଟିଂ କରିବାରୁ ଦଳ ୧୮୯ ରନ୍‌ର ଲଢ଼ୁଆ ସ୍କୋର ଛିଡ଼ା କରିଥିଲା। ଚହଲ (୪-୦-୨୮-୩) ସଫଳତମ ବୋଲର ଥିଲେ।

୧୯୦ ରନ୍‌ ବିଜୟ ଲକ୍ଷ୍ୟ ଆହ୍ବାନଭରା ଥିଲେ ମଧ୍ୟ ପ୍ରାରମ୍ଭିକ ଯୋଡ଼ି ଜୋସ ବଟଲର୍‌ (୧୬ ବଲ୍‌ରୁ ୩୦ ରନ୍‌) ଏବଂ ଯସଶ୍ବୀ ଜୟସ୍ବାଲ୍ (୪୧ ବଲ୍‌ରୁ ୬୮ ରନ୍‌) ଦୃଢ଼ ମୂଳଦୁଆ ପକାଇବାରୁ ପଶ୍ଚାତଧାବନ ପଥ ସହଜ ହୋଇଥିଲା। ଓଭର ପିଛା ଆବଶ୍ୟକ ରନ୍‌ ହାରକୁ ସଞ୍ଜୁ ସାମ୍‌ସନ୍ (୧୨ ବଲ୍‌ରୁ ୨୩ ରନ୍‌) ଏବଂ ଦେବଦତ୍ତ ପଡ଼ିକଲ (୩୨ ବଲ୍‌ରୁ ୩୧ ରନ୍‌) ଜାରି ରଖିଥିଲେ। ସିମ୍ରନ ହେଟମାୟର୍ (୧୬ ବଲ୍‌ରୁ ୩୧* ରନ୍‌) ୨ ବଲ୍ ପୂର୍ବରୁ ଦଳକୁ ବିଜୟ ମଣ୍ଡିତ କରିଥିଲେ। ପ୍ରମୁଖ ଦ୍ରୁତ ବୋଲର କାଗିସୋ ରବାଦା ତାଙ୍କ କୋଟାର ୪ ଓଭରରେ ୫୦ ରନ୍‌ ବ୍ୟୟ କରିବା ପଞ୍ଜାବକୁ ପଛକୁ‌‌‌ ଠେଲି ଦେଇଥିଲା। ପାଳିର ଚତୁର୍ଥ ଓଭରରେ ରବାଦାଙ୍କ ପ୍ରଥମ ୫ ବଲ୍‌ରୁ ବଟଲର୍ ୨୦ ରନ୍‌ (୬,୪,୪,୨,୪,‌ୱି) ଆଦାୟ କରିଥିଲେ ମଧ୍ୟ ଶେଷ ବଲରେ ଆଉଟ୍ ହୋଇଯାଇଥିଲେ। କିନ୍ତୁ ମାତ୍ର ୧୧ ପାଳିରୁ ୬୧୮ ରନ୍‌ ସଂଗ୍ରହ କରି ଗୋଟିଏ ଋତୁରେ ଦ୍ରୁତତମ ୬୦୦ ରନ୍‌ କ୍ଲବ୍‌ରେ ସନ୍ ମାର୍ସ (୨୦୦୮), କ୍ରିସ ଗେଲ୍ (୨୦୧୧), ବିରାଟ କୋହଲି (୨୦୧୬) ଏବଂ ଡେଭିଡ୍ ୱାର୍ଣ୍ଣର (୨୦୧୯)ଙ୍କ ସହ ଯୁଗ୍ମ ତାଲିକାରେ ସାମିଲ ହୋଇଥିଲେ। ପ୍ରଥମ ଆଇପିଏଲ୍‌ ଅର୍ଦ୍ଧଶତକ ସହିତ ଯଶସ୍ବୀ ଜୟସ୍ବାଲ୍‌ ଶନିବାର ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର