ଚହଲ-କୁଲଦୀପ ଏକାଠି ଖେଳିବା ଉଚିତ

ସୁନୀଲ ଗାଭାସ୍କର

ଶେଷ ଲିଗ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଦକ୍ଷିଣ ଆଫ୍ରିକା ପରୋକ୍ଷରେ ଭାରତ ପାଇଁ ବଡ଼ କୃପା କରିଥିଲା। ଅଷ୍ଟ୍ରେଲିଆକୁ ଏହି ଦଳ ଦ୍ବିତୀୟ ସ୍ଥାନକୁ ଟାଣି ଆଣିଥିଲା। ଫଳରେ ସବୁଠୁ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଏଜବାଷ୍ଟନ୍‌ରେ ସେମିଫାଇନାଲ୍ ଖେଳିବେ। ବର୍ମିଂହାମ ଘରୋଇ ଦଳର ପସନ୍ଦରେ ଗଢ଼ି ଉଠିଥିବା ପଡ଼ିଆ। ଭାରତର ଏକମାତ୍ର ପରାଜୟ ଏହି ପଡ଼ିଆରେ ଇଂଲଣ୍ଡ ନିକଟରୁ ହୋଇଛି। ଭାରତ ଯଦି ଦ୍ବିତୀୟ ସ୍ଥାନରେ ରହିଥାନ୍ତା ଏବଂ ସେହି ପଡ଼ିଆରେ ପୁଣି ଇଂଲଣ୍ଡ ସହିତ‌ ଖେଳିଥାନ୍ତା। ଯାହା ‌ହୋଇପାରିନାହିଁ। ପ୍ରତି ବିଶ୍ବକପ୍‌ ପୂର୍ବରୁ ପ୍ରଶଂସକମାନେ ବି ନିଜ ନିଜ ଈଚ୍ଛା ଜାହିର କରିଥାନ୍ତି। ଭାରତୀୟ ପ୍ରଶଂସମାନେ ଚାହିଁଥାନ୍ତି ପାକିସ୍ତାନକୁ ହରାଇବାକୁ। ଏପରିକି ବିଶ୍ବକପ୍‌ ଜିତି ପାରିଲେ ଏଥିରେ ସେମାନେ ସନ୍ତୁଷ୍ଟ। ଦକ୍ଷିଣ ଆଫ୍ରିକା ପ୍ରଶଂସକମାନେ ଆଶା କରିଥାନ୍ତି ସେମାନଙ୍କ ଦଳ ଅଷ୍ଟ୍ରେଲିଆକୁ ହରାଉ। ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ହରାଉଥିବାରୁ ଏବେ ଏହି ଦେଶର ଖେଳାଳି ଚନ୍ଦ୍ରରେ ଥିବା ଭଳି ଅନୁଭବ ପାଇଛନ୍ତି। ରଗ୍‌ବି ଏବଂ ଅନ୍ୟ ଖେଳରେ ଦୁଇ ଦେଶର ଶତ୍ରୁତା ତୀବ୍ର ଓ ଭୟଙ୍କର ହୋଇଥାଏ। ଦକ୍ଷିଣ ଆଫ୍ରିକା ଖରାପ ବିଶ୍ବକପ୍‌ ଅଭିଯାନରେ ଏହି ବିଜୟ କଟା ଘା’ରେ ମଲମ ଲଗାଇବା ଭଳି।

ତଥାପି ଭାରତ ପାଇଁ ଏହା ନିଜକୁ ଶ୍ରେଷ୍ଠତ୍ବ ପ୍ରତିପାଦନ କରିବାର ସୁଯୋଗ ଆଣି ଦେଇଛି। କାରଣ ଭାରତ-ନ୍ୟୁଜିଲାଣ୍ଡ୍‌ ଲିଗ୍ ମ୍ୟାଚ୍‌ ବର୍ଷାରେ ଧୋଇ ଯାଇଥିଲା। ଏବେ ଭାରତ ଯଦି ସେମିରେ ନ୍ୟୁଜିଲାଣ୍ଡ ଏବଂ ଫାଇନାଲରେ ଇଂଲଣ୍ଡକୁ ହରାଇ ପାରିବ ତେବେ ଚଳିତ ବିଶ୍ବକପ୍‌ରେ ପ୍ରତି ଦଳକୁ ହରାଇ ବିଜେତା ହେବାର ଗୌରବ ଅର୍ଜନ କରିବ। ଯାହାକି ଏକ ଅସଲ ବିଶ୍ବ ବିଜେତାର ମାନ୍ୟତା ଦେବ। ରୋହିତ ଶର୍ମା ଏବେ ଏକ ପ୍ରଭାବଶାଳୀ ଲୟରେ ରହିଛନ୍ତି। ୮ ମ୍ୟାଚ୍‌ରୁ ୫ ଶତକ, ୧ ଅର୍ଧଶତକ ହାସଲ କରିବା ଅଦ୍ଭୂତପୂର୍ବ ସଫଳତାଠାରୁ କିଛି କମ୍ ନୁହେଁ। ଏହି ସବୁ ଶତକ ଦଳର ପ୍ରଥମେ ବ୍ୟାଟିଂ ଏବଂ ପଶ୍ଚାତଧାବନ ବେଳେ ଆସିଛି। ତାହା ହିଁ ବଖାଣୁଛି ସେ କିଭଳି ଜବରଦସ୍ତ ଫର୍ମରେ ରହିଛନ୍ତି। ଲୋକେଶ ରାହୁଲ ଶତକ ହାସଲ କରିବା ଭାରତ ପାଇଁ ଭଲ ଖବର। କାରଣ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଭଲ ଆରମ୍ଭ ଦେଲେ ଅଧା କାମ ଶେଷ ହୋଇଗଲା ବୋଲି ଧରିନିଆଯାଏ। ରୋହିତ ଶର୍ମାଙ୍କ ସ୍ଥିର ପ୍ରଦର୍ଶନ କାରଣରୁ ବିରାଟ କୋହଲିଙ୍କୁ ବି ସେତେଟା କିଛି କରିବାକୁ ପଡ଼ିନାହିଁ। କିନ୍ତୁ ସବୁବେଳେ ଶ୍ରେଷ୍ଠ ହିଁ ଶେଷ ଆଡକୁ ସଂରକ୍ଷିତ ଥାଏ। ବ୍ୟାଟିଂ ହିଁ ମୁଖ୍ୟ, ଭାରତ ସଅଳ ୱିକେଟ୍‌ ନ ହରାଇବା ଗୁରୁତ୍ବପୂର୍ଣ୍ଣ। ଟ୍ରେଣ୍ଟ୍ ବୋଲ୍‌ଟଙ୍କ ଭଳି ବୋଲର ମାଞ୍ଚେଷ୍ଟର୍‌ ପିଚ୍‌ ଓ ପରିବେଶକୁ ଭଲ ପାଇଥାନ୍ତି। ଏଠାରେ ବଲ୍‌ ଅନ୍ୟ ପଡ଼ିଆ ତୁଳନାରେ ଭଲ ଗତି କରିଥାଏ। ଏହା ମଧ୍ୟ ଭୁବନେଶ୍ବର କୁମାର, ଯଶପ୍ରୀତ୍ ବୁମରା ଏବଂ ମହମ୍ମଦ ସାମିଙ୍କୁ ସହାୟକ ହେବ। କିନ୍ତୁ ଏମାନେ ଏକାଠି ଖେଳିବେ କି ନା ଦେଖିବାର ଅଛି। ଭାରତ ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କୁ ଏକାଠି ଖେଳାଇବା ଉଚିତ୍, କାରଣ ନ୍ୟୁଜିଲାଣ୍ଡ୍‌ ଖେଳାଳି ସ୍ପିନର୍‌ ଅପେକ୍ଷା ସିମରଙ୍କୁ ଭଲ ଖେଳିଥାନ୍ତି। ନ୍ୟୁଜିଲାଣ୍ଡ୍ ପାଇଁ କେନ୍ ୱିଲିୟମସନ୍ ଏବଂ ରସ୍ ଟେଲର୍ ଗୁରୁତ୍ବପୂର୍ଣ୍ଣ। ଏହି ଦୁଇ ଜଣଙ୍କ ୱିକେଟ୍‌ ଭାରତ ସଅଳ ନେଇଗଲେ ଅନ୍ୟମାନଙ୍କ ଉପରେ ସଂଘାତିକ ଚାପ ସୃଷ୍ଟି କରିପାରିବେ। ଭାରତ ଆଗରେ ସହଜ ପ୍ରତିଦ୍ବନ୍ଦ୍ବୀ ଥିବା ଭଳି ମନେ ହେଉଛି, କିନ୍ତୁ ନ୍ୟୁଜିଲାଣ୍ଡ୍‌ ସବୁବେଳେ ବିଶ୍ବ ସ୍ତରୀୟ ପ୍ରତିଯୋଗିତାରେ ନିଜ ସ୍ତରଠାରୁ ଭଲ ଖେଳିଥାନ୍ତି। ଏଥି ପ୍ରତି ଭାରତକୁ ଧ୍ୟାନ ରଖିବାକୁ ହେବ।

ସମ୍ବନ୍ଧିତ ଖବର