ସେଞ୍ଚୁରିଅନ୍: ସେଞ୍ଚୁରିଅନ୍ ଟେଷ୍ଟ୍ ପରାଜୟର ଦୁଃଖ ଏକତରଫା ଦିନିକିଆ ବିଜୟ ଲିଭାଇ ଦେଇଛି। ଗତ ମାସରେ ସେଞ୍ଚୁରିଅନ୍ରେ ଦ୍ୱିତୀୟ ଟେଷ୍ଟ୍କୁ ହାରିଥିବା କୋହଲି ଦଳ ରବିବାର ସମାନ ପଡ଼ିଆରେ ୯ ଓ୍ଵିକେଟରେ ଦକ୍ଷିଣ ଆଫ୍ରିକାକୁ ଦଳି ୬ ମ୍ୟାଚ୍ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଛି। ଗୁରୁବାର ଡର୍ବାନ୍ରେ ସର୍ବପ୍ରଥମ ବିଜୟ ହାସଲ କରି ଅଭିଯାନ ଆରମ୍ଭ କରିଥିବା ଭାରତ ମଧ୍ୟ ନିଜ ପ୍ରାଧାନ୍ୟକୁ ଆଗକୁ ବଢ଼ାଇଛି। କଚଟି ସ୍ପିନର୍ ୟୁଜବେନ୍ଦ୍ର ଚହଲଙ୍କ ପ୍ରଥମ ୫ ଓ୍ଵିକେଟ୍ ସଫଳତା (୮.୨-୧-୨୨-୫) ଆଗରେ ଆତ୍ମସମର୍ପଣ କରିଥିବା ଦକ୍ଷିଣ ଆଫ୍ରିକା ନିଜର ସର୍ବନିମ୍ନ ଘରୋଇ ସ୍କୋର୍ ୧୧୮ରେ ସୀମିତ ରହିଥିଲା। ଭାରତ ୧୧୯ ରନ୍ ବିଜୟ ଲକ୍ଷ୍ୟକୁ ଔପଚାରିକ ଭାବେ ୨୦.୩ ଓଭରରେ ହିଁ ହାସଲ କରି ନେଇଥିଲା। ବୁଧବାର ତୃତୀୟ ଦିନିକିଆ କେପ୍ ଟାଉନ୍ରେ ଖେଳାଯିବ।
୨୦ ଓଭରରେ ଜିତି ଭାରତ ୨-୦ରେ ଆଗୁଆ
ଚହଲ୍ (୮.୨-୧-୨୨-୫) ମ୍ୟାଚ୍ର ଶ୍ରେଷ୍ଠ
ରବିବାର ବିରାଟ କୋହଲି ଟସ୍ ଜିତିବା ପରେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓ୍ଵିକେଟ୍ ପାଇଁ ହାସିମ୍ ଆମଲା (୨୩, ୩୨ ବଲ୍, ୪ ଚୌକା) ଏବଂ କ୍ୱିଣ୍ଟନ୍ ଡି’କକ୍ (୨୦, ୩୬ ବଲ୍, ୨ ଚୌକା) ୩୯ ରନ୍ ଉଠାଇଥିଲେ। ଦଶମ ଓଭରରେ ଆମଲାଙ୍କୁ ଧୋନିଙ୍କ ଜରିଆରେ କ୍ୟାଚ୍ କରାଇ ଭୁବନେଶ୍ୱର କୁମାର ଭାରତକୁ ପ୍ରଥମ ସଫଳତା ଦେବା ପରେ ଭାରତର କଚଟି ସ୍ପିନ୍ ଯୋଡ଼ି ୟୁଜବେନ୍ଦ୍ର ଚହଲ୍ ଏବଂ କୁଲଦୀପ ଯାଦବ ଦକ୍ଷିଣ ଆଫ୍ରିକା ପାଳିକୁ ନିଜ ଥଳିରେ ପକାଇ ଚାଲିଥିଲେ। ମିଳିତ ଭାବେ ଉଭୟ ୮ ଓ୍ଵିକେଟ୍ ବାଣ୍ଟିନେବା ପରେ ବୁମରା ଅବଶିଷ୍ଟ ଓ୍ଵିକେଟ୍ଟି ଅକ୍ତିଆର କରିଥିଲେ। ମଧ୍ୟକ୍ରମରେ ଜେପି ଡୁମିନି ଏବଂ ପ୍ରଥମ ପଦାର୍ପଣ କରିଥିବା ଖୟା ଜୋଣ୍ଡୋ ସମାନ ୨୫ ରନ୍ ଲେଖାଏଁ କରିପାରିଥିଲେ। ଚମତ୍କାର ବୋଲିଂ କରିଥିବା ଚହଲ୍ ନିଜ ଥଳିରେ ପକାଇଥିଲେ କ୍ୱିଣ୍ଟନ୍ ଡି’କକ୍, ଜେପି ଡୁମିନି, ଖୟା ଜୋଣ୍ଡୋ, କ୍ରିସ୍ ମୋରିସ୍ ଏବଂ ମର୍ନି ମର୍କେଲଙ୍କୁ। କ୍ରିସ୍ ମୋରିସ୍ଙ୍କୁ ପଞ୍ଚମ ଶିକାର କରିବା ସହିତ ଚହଲ ମଧ୍ୟ ଦକ୍ଷିଣ ଆଫ୍ରିକା ପାଳିକୁ ୧୧୮ ରନରେ ଶେଷ କରି ଦେଇଥିଲେ। କେବଳ ବିଦେଶ ମାଟିରେ ନୁହେଁ ଚହଲ ତାଙ୍କ ଖେଳ ଜୀବନରେ ପ୍ରଥମ ଥର ୫ ଓ୍ଵିକେଟ୍ ସଫଳତା ପାଇ ଏହାକୁ ଅଧିକ ସ୍ମରଣୀୟ କରିଥିଲେ। ଅନ୍ୟପକ୍ଷରେ ତାଙ୍କ ସାଥୀ ସ୍ପିନର୍ ତଥା ଚାଇନାମ୍ୟାନ୍ କୁଲଦୀପ ଯାଦବ ଦକ୍ଷିଣ ଆଫ୍ରିକାର ନବ ନିଯୁକ୍ତ ଅଧିନାୟକ ଐଦେନ ମର୍କରାମ (୮)ଙ୍କ ସହିତ ଡେଭିଡ୍ ମିଲର୍ (୦) ଏବଂ କାଗିସୋ ରବାଦା (୧)ଙ୍କୁ ଆଉଟ୍ କରି ବିଜୟରେ ନିଜ ଯୋଗଦାନ ରଖିଥିଲେ। ସମ୍ପୂର୍ଣ୍ଣ ଦକ୍ଷିଣ ଆଫ୍ରିକା ପାଳିରେ ୧୨ ଚୌକା ଓ ଗୋଟିଏ ଛକା ନଜରକୁ ଆସିଥିଲା। ଦକ୍ଷିଣ ଆଫ୍ରିକା ମଧ୍ୟ ଏହାର ଦୁଇ ଅଭିଜ୍ଞ ଖେଳାଳି ଫାପ୍ ଡୁ ପ୍ଲେସିସ୍ ଓ ଏବି ଡି’ଭିଲିୟର୍ସଙ୍କୁ ଆହତ ସମସ୍ୟାରୁ ହରାଇବା ପରେ ଅତି ମାମୁଲି ଦଳ ଭାବେ ଅଧା ଦିନରେ ହିଁ ଭାରତକୁ ବିଜୟ ସମର୍ପି ଦେଇଥିଲା। ୧୧୯ ରନ୍ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ଭାରତ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ହିଁ ୧ ଓ୍ଵିକେଟ୍ରେ ୧୧୭ ରନ୍ କରି ନେଇଥିଲା। ବିରତି ପରେ ତତ୍କ୍ଷଣାତ ଭାରତ ବିଜୟର ଔପଚାରିକତାକୁ ୨୦.୩ ଓଭରରେ ଶେଷ କରି ଦେଇଥିଲା। ରୋହିତ ଶର୍ମା (୧୫) ଲଗାତାର ପାଳିରେ ବିଫଳ ହୋଇଥିବାବେଳେ ଶିଖର ଧାଓ୍ଵନ (୫୧*, ୫୬ ବଲ୍, ୯ ଚୌକା) ଏବଂ ବିରାଟ କୋହଲି (୪୬*, ୫୦ ବଲ୍, ୪ ଚୌକା, ୧ ଛକା) ବିଜୟ ଶେଷ କରିଥିଲେ। ଚହଲ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ‘ଏଠାରେ ବୋଲିଂ କରିବାକୁ ମୁଁ ଉପଭୋଗ କରିଛି। ଆମେ ଏଭଳି ପରିବେଶରେ ଭାରତରେ ବୋଲିଂ କରିଥାଉ। କିନ୍ତୁ ବିଦେଶରେ ତୁମେ ମାନସୀକ ଭାବେ କେତେ ପ୍ରସ୍ତୁତ ତାହା ପ୍ରମାଣିତ କରିଥାଏ। ମୁଁ ପ୍ରଥମ ଓ୍ଵିକେଟ୍ ନେବା ପରେ କୁଲଦୀପ ଦୁଇଟି ଓ୍ଵିକେଟ୍ ବାହାର କରିଥିଲେ। ଏହା ଚାପ ପକାଇଥିଲା ବୋଲି କହିଥିଲେ ଚହଲ।
ସର୍ବାଧିକ ବଲ୍ ବଳକା
ରବିବାର ଭାରତ ବିଜୟ ହାସଲ ବେଳକୁ ମୋଟ ୧୭୭ ବଲ୍ (୨୯.୩ ଓଭର) ବଳକା ଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦକ୍ଷିଣ ଆଫ୍ରିକା ମାଟିରେ ଏହା ସର୍ବାଧିକ ବଲ୍ ବଳକାର କୀର୍ତିମାନ। ପୂର୍ବରୁ ୨୦୦୦ ମସିହାରେ କେପ୍ ଟାଉନ୍ରେ ଅଷ୍ଟ୍ରେଲିିଆ ୧୪୫ ରନ୍ ସହ ବିଜୟ ବେଳକୁ ୧୫୩ ବଲ୍ ଏବଂ ୨୦୦୯ରେ ପୋର୍ଟ ଏଲିଜାବେଥ୍ରେ ଇଂଲଣ୍ଡ ୧୨୦ ରନ୍ ଲକ୍ଷ୍ୟକୁ ୧୧୨ ବଲ୍ ପୂର୍ବରୁ ହାସଲ କରି ଦକ୍ଷିଣ ଆଫ୍ରିକାକୁ ହରାଇଥିଲେ। ମୋଟ ଉପରେ କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ବଳକା ବଲ୍ ବିଜୟ କୀର୍ତିମାନ ଇଂଲଣ୍ଡ ନାମରେ ରହିଛି। ୨୦୦୮ରେ ଟ୍ରେଣ୍ଟ୍ବ୍ରିଜ୍ରେ ୮୪ ରନ୍ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ ୨୧୫ ବଲ୍ ବଳକା ରଖିଥିଲା।
ଅଜବ ନିୟମ ପାଇଁ ଆଇସିସି ନିନ୍ଦିତ
ଭାରତକୁ ବିଜୟ ପାଇଁ ମାତ୍ର ୨ ରନ୍ ଆବଶ୍ୟକ ଥିବାବେଳେ ଅମ୍ପାୟାର୍ ଦ୍ୱୟ ମଧ୍ୟାହ୍ନ ଭୋଜନ ବିରତି କରିଥିଲେ। ଆଇସିସିର ଏଭଳି ଅଜବ ନିୟମ ଯେତିକି ହାସ୍ୟାସ୍ପତ ସେତିକି ନିନ୍ଦିତ ହୋଇଛି। ଅଭିଜ୍ଞ ଅମ୍ପାୟାର୍ା ଅଲିମ୍ ଦାର, ଆଡ୍ରିଆନ ହୋଲ୍ଡଷ୍ଟକ୍ଙ୍କ ସହିତ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ଏଥି ପାଇଁ ସମାଲୋଚିତ ହେବାକୁ ପଡ଼ିଛି। ଟିଭି ଭାଷ୍ୟକାର ଏବଂ କ୍ରିକେଟ୍ ପଣ୍ଡିତମାନେ ଏହାକୁ ଆଇସିସିର ଅତି କଠୋର ନିୟମ ଦର୍ଶାଇବା ସହିତ ପ୍ରହସନ ବୋଲି ଅଭିହିତ କରିଛନ୍ତି। େଓ୍ଵଷ୍ଟଇଣ୍ଡିଜ୍ ମହାନ ମାଇକେଲ୍ ହୋଲ୍ଡିଂ ଏହାକୁ ହାସ୍ୟାସ୍ପଦ ବର୍ଣ୍ଣନା କରିଛନ୍ତି। ଉଭୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଐଦେନ ମର୍କରାମ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଚର୍ଚିତ କ୍ରିକେଟର୍ ବୀରେନ୍ଦ୍ର ସେହବାଗ ମଧ୍ୟ କଟାକ୍ଷ କରିବାକୁ ଭୁଲି ନାହାନ୍ତି। ଭାରତୀୟ ବ୍ୟାଟସମ୍ୟାନଙ୍କୁ ଅମ୍ପାୟାରମାନେ ଏକ ପିଏସୟୁ ବ୍ୟାଙ୍କ ଗ୍ରାହାକ ଭଳି ବ୍ୟବହାର କରିଛନ୍ତି ବୋଲି ସେହବାଗ ଲେଖିଛନ୍ତି। ‘ଲଞ୍ଚ୍ କେ ବାଦ୍ ଆନା’ ବୋଲି ସେ ବ୍ୟାଙ୍କ ବାର୍ତାକୁ ଉଦ୍ଧାର କରିଛନ୍ତି। ଭାରତ ୧୧୮ ରନ୍କୁ ପିଛା କରି ୧୯ ଓଭରରେ ୧୧୭/୧ରେ ଥିବାବେଳେ ଅମ୍ପାୟାର୍ ୪୦ ମିନିଟିଆ ମଧ୍ୟାହ୍ନ ଭୋଜନ ବିରତି କରିଥିଲେ। ବିରତି ବେଳକୁ କିନ୍ତୁ ନିର୍ଧାରିତ ସମୟଠାରୁ ଅଧିକ ୩ ଓଭର ଖେଳାଇ ସାରିଥିଲେ ମଧ୍ୟ ଅମ୍ପାୟାର୍ କାହିଁକି ଏଭଳି ନିଷ୍ପତ୍ତି ନେଲେ ସେଥି ପାଇଁ ସମାଲୋଚନା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/9-Yuzvendra-Chahal-of-India-is-man-of-the-match.jpg)