ଚେସ୍‌ରୁ ଶିଖିଛି କ୍ରିକେଟ୍ ପଡ଼ିଆର ଧୈର୍ଯ୍ୟ: ଚହଲ

ଚଣ୍ଡିଗଡ: କ୍ରିକେଟ୍ ପଡ଼ିଆରେ ପାଦ ଥାପିବା ପୂର୍ବରୁ ସ୍ପିନର ୟୁଜବେନ୍ଦ୍ର ଚହଲ ଜାତୀୟ ୧୨ ବର୍ଷରୁ କମ୍ ଚେସ୍ ଚାମ୍ପିଅନ୍ ଥିଲେ। ସେ ମଧ୍ୟ ବିଶ୍ବ ଯୁବ ଚେସ୍ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିଲେ। ଫିଡେ ମାନ୍ୟତାରେ ଏବେ ବି ତାଙ୍କ ରେଟିଂ ୧୯୧୯ ରହିଛି। କରୋନା ଆତଙ୍କ ପାଇଁ କ୍ରିକେଟ୍ କ୍ୟାଲେଣ୍ଡର ଏବେ ଏକପ୍ରକାର ଠପ୍ ହୋଇ ଯାଇଥିବାରୁ ଚହଲ ନିଜ ପୁରୁଣା ପ୍ରେମ ‘ଚେସ୍‌’କୁ ଫେରିଥିଲେ। ଚେସ୍ ଡଟ୍ କମ୍ ନାମକ ଏକ ୱେବ୍‌ସାଇଟ୍ ପକ୍ଷରୁ ଅନ୍‌ଲାଇନ୍‌ରେ ଆୟୋଜିତ ଏକ ବ୍ଲିଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ଗ୍ରାଣ୍ଡ୍‌ମାଷ୍ଟର ଅଭିଜତ ଗୁପ୍ତା ଓ ଅନ୍ତର୍ଜାତୀୟ ମାଷ୍ଟର ରାକେଶ କୁଲକର୍ଣ୍ଣିଙ୍କ ସହ ଆଲୋଚନା କରି ଚହଲ କହିଥିଲେ ଯେ ଟେଷ୍ଟ୍ କ୍ରିକେଟ୍‌ରେ କେବେ କେବେ ଆପଣ ଭଲ ବୋଲିଂ କରି ମଧ୍ୟ ୱିକେଟ୍ ପାଆନ୍ତି ନାହିଁ। ତଥାପି ପରଦିନ ପଡ଼ିଆକୁ ଓହ୍ଲାଇ ଆପଣଙ୍କୁ ନିଜର ଶତ ପ୍ରତିଶତ ଉଦ୍ୟମ ଦେବାକୁ ପଡ଼ିଥାଏ। ଏଥିପାଇଁ ଆପଣଙ୍କୁ ଧୈର୍ଯ୍ୟବାନ ହେବାକୁ ପଡ଼ିଥାଏ। ଧୈର୍ଯ୍ୟ ଧରିବାର କଳା ମୁଁ‌ ଚେସ୍‌ ଖେଳରୁ ଶିଖିଛି। ଏହି କ୍ଷେତ୍ରରେ ମୋତେ ଚେସ୍ ବହୁତ ସାହାଯ୍ୟ କରିଛି। ଧୈର୍ଯ୍ୟ ରଖି ହିଁ ମୁଁ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ପାରୁଛି। ଚେସ୍‌ରେ ଭଲ କରୁଥିଲେ ମଧ୍ୟ କ୍ରିକେଟ୍‌କୁ କାହିଁକି ପେସା ଭାବେ ବାଛିଲେ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଚହଲ କହିଥିଲେ ଯେ ” କ୍ରିକେଟ୍‌କୁ ମୁଁ ଅଧିକ ପସନ୍ଦ କରୁଥିଲି, ସେଥିପାଇଁ କ୍ରିକେଟର୍‌ ହେଲି।” କରୋନା ଗୃହାବଦ୍ଧ ପାଇଁ ମିଳିଥିବା ସମୟକୁ ପରିବାର ସହ କଟାଉଥିବା ସେ ଏହି ଅବସରରେ କହିଥିଲେ। ”ମୁଁ ବହୁବର୍ଷ ପରେ ପରିବାର ସହ ଏତେ ସମୟ କଟାଇବାକୁ ପାଇଛି। ବିଳମ୍ବରେ ଶୋଇବା, ବିଳମ୍ବରେ ଉଠିବା, ମଜା କରିବା, ଏସବୁ ମୋ ପାଇଁ ନୁଆ ଅଭିଜ୍ଞତା ନେଇ ଆସିଛି।” ବୋଲି ସେ ମତ ରଖିଥିଲେ।

ସମ୍ବନ୍ଧିତ ଖବର