ଚେନ୍ନାଇ: ସ୍ପିନର ୟୁଝବେନ୍ଦ୍ର ଚହଲ (୩-୦-୩୨-୪) ଚଳିତ ଆଇପିଏଲ୍‌ର ପ୍ରଥମ ହ୍ୟାଟ୍ରିକ୍ ନେବା ପରେ ପାଞ୍ଚ ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସକୁ ବୁଧବାର ପଞ୍ଜାବ କିଙ୍ଗ୍ସ ୪ ୱିକେଟ୍‌ରେ ପରାସ୍ତ କରିଛି। ତା’ ସହିତ ଦଶମ ମ୍ୟାଚ୍‌ରୁ ଅଷ୍ଟମ ପରାଜୟ ବରଣ କରି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ଦୃଢ଼ ସ୍ଥିତିରେ ଥିବା ଚେନ୍ନାଇ, ଚହଲଙ୍କ ଚମକରେ ଘାଇଲା ହୋଇ ତା’ର ଶେଷ ୫ ୱିକେଟ୍ ୬ ରନ୍‌ରେ ହରାଇ ୧୯୦ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ୧୯୧ ରନ୍‌ର ବିଜୟ ଲକ୍ଷ୍ୟକୁ ପଞ୍ଜାବ ୨ ବଲ୍‌ ପୂର୍ବରୁ ୬ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଦଶମ ମ୍ୟାଚ୍‌ରୁ ପଞ୍ଜାବ ଷଷ୍ଠ ବିଜୟ ହାସଲ କରି ଶୀର୍ଷ ୪କୁ ଫେରିଥିଲା। ଚହଲ ଗୋଟିଏ ଓଭରରେ ହ୍ୟାଟ୍ରିକ୍ ସହ ୪ ୱିକେଟ୍ ନେବା ମ୍ୟାଚ୍‌ର ଟର୍ଣ୍ଣିଂ ପଏଣ୍ଟ୍‌ ଥିଲା। ଚେନ୍ନାଇ ପ୍ରଥମ ଥର ଚେପକ ଷ୍ଟାଡିୟମ୍‌ରେ ଲଗାତାର ୫ଟି ମ୍ୟାଚ୍ ହାରିଥିଲା। ସେହିଭଳି ଲଗାତାର ଦ୍ବିତୀୟ ଋତୁ ଲାଗି ପ୍ଲେ ଅଫ୍ ଖେଳିବାରୁ ବଞ୍ଚିତ ହୋଇଥିଲା। 

Advertisment

ଚଳିତ ଋତୁ ସାରା ସଂଘର୍ଷ କରିଥିବା ଚେନ୍ନାଇ ପୁଣି ଥରେ ପ୍ରାରମ୍ଭିକ ବିଫଳତାର ସମ୍ମୁଖୀନ ହୋଇଥିଲା। ଦୁଇ ଓପନର୍‌ଙ୍କୁ ୨୨ ରନ୍ ଏବଂ ପାୱାର ପ୍ଲେ’ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଅଲ୍‌ରାଉଣ୍ଡର୍ ସାମ୍‌ କରନ୍‌ଙ୍କ ଦାୟିତ୍ବବାନ ତଥା ଦ୍ରୁତ ୮୮ ରନ୍ ବଳରେ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଥିଲା। ଡିୱାଲ୍‌ଡ ବ୍ରେଭିସ୍‌ (୩୨)ଙ୍କ ସହ ମିଶି କରନ ୭୮ ରନ୍ ଯୋଡ଼ିଥିଲେ। ଅଷ୍ଟାଦଶ ଓଭରରେ ତାଙ୍କୁ ମାର୍କୋ ୟାନସେନ ଆଉଟ୍ କରିବା ପରେ କିନ୍ତୁ ଚେନ୍ନାଇ ହଠାତ୍ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବିଶେଷ କରି ସ୍ପିନର ୟୁଝବେନ୍ଦ୍ର ଚହଲ ପ୍ରତିପକ୍ଷ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଗୋଟିଏ ଓଭରରେ ଚାରି ୱିକେଟ୍ ନେଇ ସବୁକିଛି ଓଲଟପାଲଟ କରି ଦେଇଥିଲେ। ଫଳରେ ଏକଦା ୨୩୦ରୁ ୨୪୦ ରନ୍ କରିବାର ସ୍ବପ୍ନ ଦେଖିଥିବା ଚେନ୍ନାଇ ୪ ବଲ୍‌ ପୂର୍ବରୁ ମାତ୍ର ୧୯୦ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ୧୪.୨ ଓଭରରେ ବ୍ୟାଟିଂ ପାଇଁ ଆସିଥିବା ଶିବମ ଦୁବେ ପରବର୍ତ୍ତୀ ୫ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିଲେ ତେବେ ସେ ମାତ୍ର ୬ଟି ବଲ୍ ଖେଳିବା ଆଉ ଏକ ବିସ୍ମୟକର ଘଟଣା ଥିଲା। 

ସଂକ୍ଷିପ୍ତ ସ୍କୋର୍: ଚେନ୍ନାଇ ସୁପର କିଙ୍ଗ୍ସ ୧୯.୨ ଓଭରରେ ୧୯୦ (ସାମ୍ କରନ ୮୮, ଡିୱାଲ୍‌ଡ ବ୍ରେଭିସ୍ ୩୨, ୟୁଝବେନ୍ଦ୍ର ଚହଲ ୪/୩୨, ମାର୍କୋ ୟାନସେନ ୨/୩୦, ଅର୍ଶଦୀପ ସିଂହ ୨/୨୫)। ପଞ୍ଜାବ କିଙ୍ଗ୍ସ ୧୯.୪ ଓଭରରେ ୧୯୪/୬ (ଶ୍ରେୟସ୍ ଆୟର ୭୨, ପ୍ରଭସିମରନ୍ ସିଂହ ୫୪, ପ୍ରିୟାଂଶ ଆର୍ଯ୍ୟ ୨୩, ଖଲିଲ ଅହମଦ ୨/୨୮, ମହୀଶ ପଥିରଣା ୨/୪୫)।