ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାରେ ଘରୋଇ ଦଳ ୩-୧ରେ ଆଗୁଆ ଶୃଙ୍ଖଳା ଜିତିସାରିଛି। ଏହି ଶୃଙ୍ଖଳାରେ ଆଉ ଗୋଟିଏ ମ୍ୟାଚ୍ ଥିଲେ ବି ଉଭୟ ଦଳରୁ ଏକାଧିକ ଉଦୀୟମାନ ଖେଳାଳି ଭବିଷ୍ୟତର ତାରକା ହୋଇପାରିବା ଦକ୍ଷତା ରଖୁଥିବା ସଙ୍କେତ ଦେଇଛନ୍ତି। ଉଭୟ ଦଳରୁ ପଦାର୍ପଣ କରିଥିବା ୫ ଉଦୀୟମାନ ଖେଳାଳି ହେଉଛନ୍ତି ଧ୍ରୁବ ଜୁରେଲ୍, ସର୍ଫରାଜ୍ ଖାନ୍, ଆକାଶ ଦୀପ୍, ଟମ୍ ହାର୍ଟଲି, ସୋଏବ୍ ବଶିର। ଧ୍ରୁବ ଜୁରେଲ୍: ରାଜକୋଟ୍ରେ ଖେଳାଯାଇଥିବା ତୃତୀୟ ଟେଷ୍ଟ୍ରେ ଜୁରେଲ୍ ପଦାର୍ପଣ କରିଥିଲେ। ଭାରତର ଏହି ୱିକେଟ୍ରକ୍ଷକ-ବ୍ୟାଟର୍ ଦଳ ପାଇଁ ରାଞ୍ଚି ଟେଷ୍ଟ୍ର ପ୍ରଥମ ପାଳିରେ ୯୦ ରନ୍ କରି ଦଳର ବିଜୟରେ ବଡ଼ ଭୂମିକା ନେଇଥିଲେ। ରାଞ୍ଚିରେ ଦ୍ବିତୀୟ ପାଳିରେ ଜୁରେଲ୍ଙ୍କ ମ୍ୟାଚ୍ ବିଜୟୀ ପାଳି (୩୯*), ତାଙ୍କର ପରିପକ୍ବତା ଓ ଚାପ ଭିତରେ ଭଲ ଖେଳିବାର ଦକ୍ଷତାକୁ ଦେଖାଉଛି।
ସରଫରାଜ୍ ଖାନ୍: ରାଜକୋଟ୍ରେ ଅନ୍ୟତମ ପଦାର୍ପଣକାରୀ ସର୍ଫରାଜ ମଧ୍ୟକ୍ରମରେ ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ। ପ୍ରଥମ ପାଳିରେ ୬୨ ଓ ଦ୍ବିତୀୟ ପାଳିରେ ଅପରାଜିତ ୬୮ ରନ୍ କରି ପଦାର୍ପଣରେ ଦ୍ରୁତତମ ଅର୍ଦ୍ଧଶତକର କୀର୍ତ୍ତିମାନ କରିଥିଲେ। ତୃତୀୟ ଟେଷ୍ଟ୍ରେ ଭାରତର ୪୩୪ ରନ୍ର ବିଜୟରେ ସର୍ଫରାଜ ପ୍ରମୁଖ ଭୂମିକା ନେଇଥିଲେ।
ଆକାଶ ଦୀପ୍: ଯଶପ୍ରୀତ୍ ବୁମ୍ରାଙ୍କୁ ବିଶ୍ରାମ ଦିଆଯିବା ପରେ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ଖେଳାଳି ଖୋଜା ହେଉଥିଲା ବେଳେ ଆକାଶ ଏହାର ଉତ୍ତର ହୋଇଥିଲେ। ରାଞ୍ଚିରେ ପଦାର୍ପଣ କରିବା ସହ ପ୍ରଥମ ପାଳିରେ ଇଂଲଣ୍ଡର ଶୀର୍ଷ ୩ ଜଣଙ୍କୁ ଆଉଟ୍ କରି ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଏପରିକି ତାଙ୍କର ପ୍ରଥମ ଟେଷ୍ଟ୍ ୱିକେଟ୍କୁ ସେ ତାଙ୍କ ବାପାଙ୍କୁ ଉତ୍ସର୍ଗ କରିଥିଲେ।
ଟମ୍ ହାର୍ଟଲି:ଇଂଲଣ୍ଡର ବାମହାତୀ ସ୍ପିନର ହାର୍ଟଲି ପ୍ରଥମ ଟେଷ୍ଟ୍ରେ ଚମତ୍କାର ପ୍ରଦର୍ଶନ ଦେଇଥିଲେ। ପ୍ରଥମ ପାଳିରେ ୭ ଓ ଦ୍ବିତୀୟ ପାଳିରେ ୨ ୱିକେଟ୍ ନେବା ସହ ଇଂଲଣ୍ଡକୁ ଏହି ମ୍ୟାଚ୍ରେ ଜିତାଇଥିଲେ। ଏଥିସହିତ ପଦାର୍ପଣ ମ୍ୟାଚ୍କୁ ସ୍ମରଣୀୟ ମଧ୍ୟ କରିପାରିଥିଲେ ହାର୍ଟଲି।
ସୋଏବ୍ ବଶିର:ଭିସା ସମସ୍ୟା ପାଇଁ ପ୍ରଥମ ଟେଷ୍ଟ୍ରେ ଖେଳିପାରି ନଥିବା ବଶିର ଦ୍ବିତୀୟ ମ୍ୟାଚ୍ରେ ପଦାର୍ପଣ କରିଥିଲେ। ଏପରିକି ପଦାର୍ପଣ ମ୍ୟାଚ୍ରେ ମଧ୍ୟ ଆସୁଆସୁ ପ୍ରଭାବ ବିସ୍ତାର କରିଥିଲେ। ୭ଫୁଟ୍ ଉଚ୍ଚର ଏହି ସ୍ପିନର ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ସହ ମୁଖ୍ୟ ୱିକେଟ୍ଗୁଡ଼ିକୁ ଖସାଇ ଦେଇଥିଲେ। ରାଞ୍ଚିରେ ଦ୍ବିତୀୟ ମ୍ୟାଚ୍ ଖେଳିଥିଲା ବେଳେ ଏଥର ୫ ୱିକେଟ୍ ସଫଳତା ମଧ୍ୟ ପାଇଥିଲେ। ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ମଧ୍ୟ ହାର୍ଟଲି ଓ ବଶିର୍ଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।