ପ୍ୟାରିସ୍: ଭାରତୀୟ ହକି ଦଳ ବିରୋଧରେ ଷଡ଼ଯନ୍ତ୍ର ହୋଇଛି ବୋଲି ସନ୍ଦେହ ଜାତ ହୋଇଛି। ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ଉପରେ ଗୋଟିଏ ମ୍ୟାଚ୍ ନିଲମ୍ବନ ଲାଗୁ କରାଯିବା ପରେ ଏହି ସନ୍ଦେହ ଅଧିକ ଘନୀଭୂତ ହୋଇଛି। ବିଶେଷ କରି ଅଷ୍ଟ୍ରେଲିଆକୁ ବିଦାୟ କରିବାରେ ଭାରତ ପ୍ରମୁଖ ଥିବାରୁ ଏବେ ଏଫଆଇଏଚ୍ ଟେକ୍ନିକାଲ୍ ଦାୟିତ୍ବରେ ଥିବା ୫ ଜଣିଆ ଅଷ୍ଟ୍ରେଲୀୟଙ୍କ ଆଡ଼କୁ ପରୋକ୍ଷରେ ଇଙ୍ଗିତ ଉଠିଛି। କାରଣ ଅମିତଙ୍କ ନିଲମ୍ବନ ଚିଠି ଲେଖିଥିବା ଯୋଶୁଆ ହର୍ଟ ବହୁ ପୂର୍ବରୁ ଭାରତୀୟ ହକି ଦୁନିଆ ସହ ଜଡ଼ିତ ଥିଲେ। ହର୍ଟ ତାଙ୍କ ଚିଠିରେ ଲେଖିଛନ୍ତି ‘ଅଗଷ୍ଟ ୪ ତାରିଖରେ ଖେଳାଯାଇଥିବା ଭାରତ-ଗ୍ରେଟ୍ ବ୍ରିଟେନ୍ କ୍ବାର୍ଟରଫାଇନାଲ୍ରେ ଏଫଆଇଏଚ୍ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ଅମିତ ରୋହିଦାସଙ୍କ ଉପରେ ଗୋଟିଏ ମ୍ୟାଚ୍ ନିଲମ୍ବନ ଲାଗୁ କରାଗଲା।
’ ଫଳରେ ଭାରତ ମଙ୍ଗଳବାର ଖେଳିବାକୁ ଥିବା ଜର୍ମାନୀ ବିପକ୍ଷ ସେମିଫାଇନାଲ୍ରେ ନିର୍ଭରଯୋଗ୍ୟ ଡିଫେଣ୍ଡର୍ ଅମିତ ଖେଳିପାରିବେ ନାହିଁ। ଭାରତ ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଲାଗି ୧୫ ଜଣ ଉପଲବ୍ଧ ରହିଛନ୍ତି। ଅମିତଙ୍କ ଷ୍ଟିକ୍ ପ୍ରତିପକ୍ଷ ଖେଳାଳିଙ୍କ ମୁହଁରେ ବାଜିଥିଲେ ମଧ୍ୟ ଏହା ଉଦ୍ଦେଶ୍ୟମୂଳକ ନଥିବାରୁ ସେ ଲାଲ୍ କାର୍ଡ ପାଇବାକୁ ହକ୍ଦାର ନଥିଲେ ବୋଲି ହକି ଇଣ୍ଡିଆ ପ୍ରତିବାଦ କରିଥିଲା। କିନ୍ତୁ ୫ ଜଣ ଅଷ୍ଟ୍ରେଲୀୟଙ୍କୁ ନେଇ ଗଠିତ ଏଫଆଇଏଚ୍ ଟେକନିକାଲ୍ କମିଟି ଏହାକୁ ନାକଚ କରି ଦେଇଥିଲା। ସବୁଠାରୁ ବଡ଼ କଥା ହେଲା ଭାରତର ମହିଳା ହକି ଦଳ ଉପରେ ଆଧାରିତ ଶାହରୁଖ୍ ଖାନ୍ଙ୍କ ବଲିଉଡ୍ ଚଳଚ୍ଚିତ୍ର ‘ଚକ୍ ଦେ ଇଣ୍ଡିଆ’ରେ ଯୋଶୁଆ ହର୍ଟ ଅଭିନୟ କରିଥିଲେ। ସେ ଭାରତର ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ମହିଳା ଦଳର ପ୍ରଶିକ୍ଷକ ଭୂମିକା ତୁଲାଇଥିଲେ। ଏବେ ସମାନ ବ୍ୟକ୍ତି ଅମିତ ରୋହଦାସଙ୍କ ନିଲମ୍ବନ ଚିଠି ଲେଖିଥିବାରୁ ଭାରତୀୟ ହକି ପ୍ରଶଂସକମାନେ ତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି।