ଆହ୍ବାନଭରା, ତଥାପି ଖେଳାଳିଙ୍କୁ ମିଳିବ ଅନନ୍ୟ ଅଭିଜ୍ଞତା

ଭୁବନେଶ୍ବର: କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ ଭୁବନେଶ୍ବର ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ସପ୍ତାହରୁ କମ୍‌ ରହିଛି। ଏହା ପୂର୍ବରୁ ବିବେକ ପ୍ରସାଦ ସାଗରଙ୍କ ନେତୃତ୍ବରେ ଘୋଷିତ ଭାରତୀୟ ଦଳ ଟୋକିଓ ଅଲିମ୍ପିକ୍ସ କାଂସ୍ୟ ବିଜେତା ଭାରତୀୟ ପ୍ରଶିକ୍ଷକ ଗ୍ରାହମ ରିଡ୍‌ଙ୍କ ପ୍ରଶିକ୍ଷଣରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଜୋର୍‌ଦାର୍‌ ଅଭ୍ୟାସ ଆରମ୍ଭ କରିଦେଇଛି। ଅଂଶଗ୍ରହଣ କରିବାକୁ ଥିବା ଅନ୍ୟ ଦଳଗୁଡ଼ିକ ଚଳିତ ସପ୍ତାହରେ ଭୁବନେଶ୍ବର ଆସିବା ଆରମ୍ଭ କରିବେ। ୨୦୧୮ ବିଶ୍ବକପ୍‌ ସଫଳ ଆୟୋଜନ ଏବଂ ଅନ୍ତର୍ଜାତୀୟ ହକି ଲାଗି ସୁନ୍ଦର ଭିତ୍ତିଭୂମିର ସୁବିଧା ଥିବା କଳିଙ୍ଗ ‌ଷ୍ଟାଡିୟମ‌ରେ ୧୬ ଦଳକୁ ନେଇ ଚଳିତ ମାସ ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି କନି‌ଷ୍ଠ ବିଶ୍ବକପ୍‌ ଆୟୋଜିତ ହେବ। ମହାମାରୀ କରୋନା ସମୟରେ ବିଶ୍ବକପ୍‌ ଭଳି ବଡ଼ ପ୍ରତିଯୋଗିତା ଆୟୋଜନ କରିବା ନିଶ୍ଚିତ ଏକ ବଡ଼ ଆହ୍ବାନ ହୋଇଥିଲେ ମଧ୍ୟ ଖେଳାଳିମାନେ ନିଶ୍ଚିତ ନିଆରା ଅଭିଜ୍ଞତା ପାଇବେ ବୋଲି କ୍ରୀଡ଼ାମନ୍ତ୍ରୀ ତୁ‌ଷାରକାନ୍ତି ବେହେରାଙ୍କ ସହ ଓଡ଼ିଶା ହକି ବିକାଶ ପରିଷଦ ‌ଅଧ୍ୟକ୍ଷ ଦିଲ୍ଲୀପ ତିର୍କି ଆଶାବାଦୀ ଅଛନ୍ତି।

‘‘ଖାଲି ଭିତ୍ତିଭୂମି ନୁହେଁ, ସଫଳତା ସହ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଅୟୋଜନ କରାଯାଇଛି। ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଏବଂ ଏହାର ସହଯୋଗୀଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ମହାସଂଘ ସଠିକ୍‌ ସମୟ ଏବଂ ବିନା ବାଧାରେ ପ୍ରତିଯୋଗିତାମାନ ଆୟୋଜନ କରିଛି। ୨୦୧୭ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ରାଜ୍ୟ ପାଇଁ ବଡ଼ ଆହ୍ବନା ଥିଲା। ମିଳିଥିବା ୯୦ ଦିନ ସମୟ ମଧ୍ୟରେ ସଫଳତାର ସହ ଆୟୋଜନ କରିଥିଲୁ। କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ ପାଇଁ ମଧ୍ୟ ୬୦ ଦିନ ସମୟ ମିଳିଛି। ଏହି ସମୟ ମଧ୍ୟରେ ସବୁ ପ୍ରସ୍ତୁତ ଶେଷ ହୋଇଛି’’ ବୋଲି କ୍ରୀଡ଼ାମନ୍ତ୍ରୀ ‌କହିଛନ୍ତି। ସେ ପୁଣି କହିଛନ୍ତି ଯେ ଷ୍ଟାଡିୟମରେ ବସି ଦର୍ଶକ ଖେଳ ଦେଖିବାର ମଜା ନେଇ ପାରିବେନି। ଏହା ନିଶ୍ଚିତ କଷ୍ଟ ଦାୟକ। ହେଲେ କରୋନା ଯୋଗୁଁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି। କିନ୍ତୁ ହକିପ୍ରେମୀ ସେମାନଙ୍କ ଘରେ ବସି ଷ୍ଟାର ସ୍ପୋର୍ଟ୍ସ ନେଟୱାର୍କ ଏବଂ ହକି ଆପ୍‌ରେ ସିଧାସଳଖ ଦେଖିପାରିବେ।

‘‘ହକିର ନୂଆ ଯୁଗ ଆରମ୍ଭ ହୋଇଛି ଏବଂ ହକି ସହ ଯୋଡ଼ି ହେବାର ସୁଯୋଗ ଓଡ଼ିଶାକୁ ମିଳିଛି। ଏବେ କନିଷ୍ଠ ବିଶ୍ବକପ୍‌ ଏବଂ ୨୦୨୩ରେ ବିଶ୍ବକପ୍‌ ଆୟୋଜନ ଅଧିକାର ପାଇଛି ଓଡ଼ିଶା। ଫଳରେ ଓଡ଼ିଶାକୁ ସାରା ବିଶ୍ବର ଯୁବ ଓ ଅଭିଜ୍ଞ ହକି ଖେଳାଳିଙ୍କ ଆଗମନ ହେବ। ତେଣୁ ଓଡ଼ି‌ଶା ହକିର ‌‌ଗ୍ଲୋବାଲ ହବ୍‌ ପାଲଟିଯାଇଛି। କନିଷ୍ଠ ବିଶ୍ବକପ୍‌ ଯୁବ ଖେଳାଳିମାନଙ୍କ ପାଇଁ ଅଭିଜ୍ଞତା ହାସଲ କରିବାର ବଡ଼ ମଞ୍ଚ। ଏଠାରୁ ବରିଷ୍ଠ ଦଳରେ ସ୍ଥାନ ପାଇବାର ସୁଯୋଗ ମିଳିବ। ଏହି ମହାମାରୀ ସମୟରେ ବିଶ୍ବକପ୍‌ ଆୟୋଜନ ଓଡ଼ିଶା ପାଇଁ ଆହ୍ବାନ ହୋଇପାରେ। ହେଲେ ମୋର ବିଶ୍ବାସ ଓଡ଼ିଶା ସଫଳତା ସହ ଏହି ବିଶ୍ବକପ୍‌ ଆୟୋଜନ କରିବ’’ ବୋଲି ଶ୍ରୀ ତିର୍କି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର