ଚାମ୍ପିଅନ୍ସ ଟ୍ରଫିରେ ଆଜି ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ଆହତ ରମଣଦୀପ୍‌ ବାଦ୍‌

ବ୍ରେଦା (ନେଦରଲାଣ୍ଡ),: ଚଳିତ ଷଡ଼ ରାଷ୍ଟୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତାରେ ପିଆର୍‌ ଶ୍ରୀଜେସ୍‌ଙ୍କ ନେତୃତ୍ୱାଧୀନ ଆତ୍ମବିଶ୍ୱାସଭରା ଭାରତୀୟ ଦଳ ଆସନ୍ତାକାଲି ବିଶ୍ୱ ଗତଥର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୦ ଓ ଅଲିମ୍ପିକ୍‌ ବିଜେତା ଆର୍ଜେଣ୍ଟିନାକୁ ୨-୧ ଗୋଲ୍‌ରେ ପରାସ୍ତ କରିଥିବା ଅପରାଜେୟ ଭାରତ ପାଇଁ ବୁଧବାର ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ପ୍ରମୁଖ ଷ୍ଟ୍ରାଇକର୍‌ ରମଣଦୀପ୍‌ ଆହତ ହୋଇ ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରୁ ବାଦ୍‌ ପଡ଼ିବା ଭାରତକୁ ଶକ୍ତ ଝଟ୍‌କା ପହଞ୍ଚାଇଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରମଣଦୀପ୍‌ ଭାରତ ପାଇଁ ପ୍ରଥମ ଗୋଲ୍‌ କରିଥିଲେ। ତେବେ ସେହି ମ୍ୟାଚ୍‌ ବେଳେ ଆଣ୍ଠୁରେ ଆଘାତ ପାଇଥିବା ରମଣଦୀପ୍‌ଙ୍କର ସୋମବାର ଏମ୍‌ଆର୍‌ଆଇ ହୋଇଥିଲା। ରିପୋର୍ଟରେ ହାଡ଼ ସାମାନ୍ୟ ଫାଟିଥିବା ଜଣାପଡ଼ିଥିଲା।

ଫଳରେ ତାଙ୍କୁ ପ୍ରତିଯୋଗିତାର ଅବଶିଷ୍ଟ ମ୍ୟାଚ୍‌ରୁ ବାଦ୍‌ ଦିଆଗଲା ବୋଲି ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି। ଫଳରେ ରମଣଦୀପ୍‌ଙ୍କ ଅନୁପସ୍ଥିତିରେ ଭାରତ ଶୀର୍ଷ ମାନ୍ୟତା ଅଷ୍ଟ୍ରେଲିଆ ପରେ ବେଲ୍‌ଜିୟମ୍‌ ଓ ନେଦରଲାଣ୍ଡ୍‌କୁ ଭେଟିବ। ଭାରତ ଏବେ କ୍ରମାଗତ ଦ୍ୱିତୀୟ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିଲା ବେଳେ ପୂର୍ବ ବିଜେତା ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ତା’ର ପ୍ରଥମ ମ୍ୟାଚ୍‌କୁ ବେଲ୍‌ଜିୟମ୍‌ ସହ (୩-୩) ଅମୀମାଂସିତ ରଖି ପଏଣ୍ଟ୍‌ ବାଣ୍ଟିଥିଲା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ପ୍ରତିଯୋଗିତାର ଶ୍ରେଷ୍ଠ ଦୁଇ ଦଳ ଫାଇନାଲ୍‌ ଖେଳିବାକୁ ଥିବାରୁ ଭାରତକୁ ଆଉ ଦୁଇଟି ବିଜୟର ଆବଶ୍ୟକତା ରହିଛି। ବୁଧବାର ଅଷ୍ଟ୍ରେଲିଆ ସହ ଖେଳିବା ପରେ ଭାରତ ଗୁରୁବାର ବିଶ୍ୱ ମାନ୍ୟତାର ତୃତୀୟ ବଲେ୍‌ଜିୟମ୍‌କୁ ଭେଟିବ।

ସମ୍ବନ୍ଧିତ ଖବର