ଚାମ୍ପିଅନ୍‌ସ ଲିଗ୍‌ : ମେସିଙ୍କ ଐତିହାସିକ ଗୋଲ୍‌ରେ ବାର୍ସିଲୋନା ବିଜୟୀ

ପ୍ରେଗ୍‌: ଆର୍ଜେଣ୍ଟିନା ତାରକା ଲିଓନେଲ୍‌ ମେସିଙ୍କ ଐତିହାସିକ ଗୋଲ୍‌ ବଳରେ ବାର୍ସିଲୋନା ଚଳିତ ଚାମ୍ପିଅନ୍‌ସ ଲିଗ୍‌ରେ ବୁଧବାର ୨-୧ରେ ସ୍ଲାଭିଆ ପ୍ରେଗ୍‌କୁ ହରାଇ ଦେଇଛି। ଏହି ବିଜୟ ସହ ଚଳିତ ଚାମ୍ପିଅନ୍‌ସ ଲିଗ୍‌ ଗ୍ରୁପ୍‌-ଏଫ୍‌ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି। ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ମେସିଙ୍କ ଗୋଲ୍‌ରେ ବାର୍ସିଲୋନା ପ୍ରାରମ୍ଭିକ ଅଗ୍ରଣୀ ପାଇଥିଲା। ଏହି ଗୋଲ୍‌ ବଳରେ ୩୨ ବର୍ଷୀୟ ମେସି ଲଗାତାର ୧୫ ଚାମ୍ପିଅନ୍ସ ଲିଗ୍‌ ସଂସ୍କରଣରେ ପ୍ରଥମ ୩ ମିନିଟ୍‌ ମଧ୍ୟରେ ଗୋଲ୍‌ ଦେବାର କୀର୍ତ୍ତିମାନ କରିଥିଲେ। ପ୍ରଥମାର୍ଧ ୧-୦ରେ ଶେଷ ହେବା ପରେ ଦ୍ବିତୀୟାର୍ଧରେ ସ୍ଲାଭିଆର ଜାନ୍‌ ବୋରିଲ (୫୦ ମିନିଟ୍‌) ଏହି ଗୋଲ୍‌ଟିକୁ ଶୁଝି ସ୍ଥିତି ସମାନ କରିଥିଲେ। ହେଲେ ୫୭ତମ ମିନିଟ୍‌ରେ ପିଟର ଓଲାୟିଙ୍କାଙ୍କ ‌ଆତ୍ମଘାତୀ ଗୋଲ୍‌ରେ ଘରୋଇ ଦଳ ୧-୨ରେ ପଛୁଆ ହୋଇ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ବାର୍ସିଲୋନା ଚଳିତ ସଂସ୍କରଣରେ ୩ ମ୍ୟାଚ୍‌ରୁ ୨ ବିଜୟ ଓ ୧ ଅମୀମାଂସିତ ସହ ମୋଟ ୭ ପଏଣ୍ଟ୍‌ ପାଇ ତାଲିକାର ଶୀର୍ଷରେ ରହିଥିଲା।

ସମ୍ବନ୍ଧିତ ଖବର