ପ୍ରମୋଦଙ୍କୁ ଦ୍ବିତୀୟ ‘ଚାମ୍ପିଅନ୍‌ ଅଫ୍‌ ଚାମ୍ପିଅନ୍ସ’ ଆଖ୍ୟା

କଟକ: ଓଡ଼ିଶାର ଆନ୍ତର୍ଜାତିକ ବାହୁକୁସ୍ତି ଖେଳାଳି ପ୍ରମୋଦ ମୁଖୀଙ୍କୁ ଦ୍ବିତୀୟ ଥର ପାଇଁ ‘ଚାମ୍ପିଅନ୍‌ ଅଫ୍‌ ଚାମ୍ପିଅନ୍ସ’ ଆଖ୍ୟା ମିଳିଛି। ଦିଲ୍ଲୀରେ ଗତ ୧୦ ତାରିଖରେ ଶେଷ ହୋଇଥିବା ସର୍ବଭାରତୀୟ ଓପନ୍‌ ବାହୁକୁସ୍ତି ପ୍ରତିଯୋଗିତାରେ ସେ ଏହି ଆଖ୍ୟା ପାଇଛନ୍ତି। ସମସ୍ତ ବୟସ ବର୍ଗର ବିଜେତାଙ୍କୁ ହରାଇବା ପରେ ତାଙ୍କୁ ବିଜେତାମାନଙ୍କର ବିଜେତା ବୋଲି ବିବେଚନା କରାଯାଇଛି। ଏଥିସହିତ ସେ ନିଜ ୯୦ କିଗ୍ରା ବର୍ଗରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ଓଡ଼ିଶାରୁ ମୋଟ ୮ଜଣ ଏହି ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିଥିଲା ବେଳେ ପ୍ରବୀର ଷଡ଼ଙ୍ଗୀ ୭୦ କିଗ୍ରା ବର୍ଗରେ କା˚ସ୍ୟ ପଦକ ପାଇଥିବା ଜଣାପଡ଼ିଛି।
ଏଥିପୂର୍ବରୁ ଲକ୍ଷ୍ନୌରେ ଅନୁଷ୍ଠିତ ୪୨ତମ ଜାତୀୟ ପ୍ରତିଯୋଗିତାରେ ପ୍ରମୋଦ ପ୍ରଥମ ଥର ଚାମ୍ପିଅନ୍‌ ଅଫ୍‌ ଚାମ୍ପିଅନ୍ସ ହୋଇଥିଲେ। ସେହିପରି ଗତ ମାସରେ ଭାରତର ପୂର୍ବତନ ବିଜେତା ଇଭି ସାଲେସଙ୍କୁ ବେଷ୍ଟ୍‌ ଅଫ୍‌ ୫ ପ୍ରତିଯୋଗିତାରେ ପ୍ରମୋଦ ହରାଇ ଆଉ ଏକ ଇତିହାସ ରଚିଥିଲେ। ଏଥିରେ ପ୍ରମୋଦ ୪ଟି ରାଉଣ୍ତରେ ବିଜୟୀ ହୋଇଥିଲେ। ପ୍ରମୋଦଙ୍କୁ ମିଳିଥିବା ଚାମ୍ପିଅନ୍‌ ଅଫ୍‌ ଚାମ୍ପିଅନ୍ସ ଆଖ୍ୟା ସହିତ ଆମେରିକାରେ ଆସନ୍ତା ବର୍ଷ ମାର୍ଚ୍ଚ ମାସ ବେଳକୁ ଆୟୋଜିତ ହେବାକୁ ଥିବା ବିଶ୍ବ ପ୍ରତିଯୋଗିତା ପାଇଁ ସେ ମନୋନୀତ ହୋଇଛନ୍ତି। ଏକ ଗରିବ ପରିବାରରୁ ଆସି ଜାତୀୟସ୍ତରର ଶୀର୍ଷ ସ୍ଥାନରେ ପହଞ୍ଚିବା ତାଙ୍କ ପାଇଁ ବଡ଼ ଉପଲବ୍ଧି ବୋଲି ପ୍ରମୋଦ କହିଛନ୍ତି। ଏବେ ଆଗକୁ ଆମେରିକା ଯିବା ପାଇଁ ତାଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ। ଯଦି ସରକାରୀ ପ୍ରୋତ୍ସାହନ ମିଳନ୍ତା ତାହେଲେ ବିଶ୍ବ ବିଜେତା ହେବା ପାଇଁ ତାଙ୍କୁ ଅଧିକ ଉତ୍ସାହ ମିଳିପାରିବ ବୋଲି ରାଜ୍ୟ ସ˚ଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର