ଚାମ୍ପିଅନ୍ସ ଟ୍ରଫିରେ ଆଜି ଭାରତ-ପାକିସ୍ତାନ ଲଢ଼େଇ

ବ୍ରେଦା (ନେଦରଲାଣ୍ଡ): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖରାପ ପ୍ରଦର୍ଶନ ସହ ପଦକରୁ ବଞ୍ଚିତ ହୋଇଥିବା ଭାରତୀୟ ହକି ଦଳ ଶନିବାରଠୁ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିବ। ପ୍ରଥମ ମୁକାବିଲାରେ ଭାରତ ତା’ର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଭାରତ ଗତ ୩୬ ବର୍ଷ ହେବ ଚାମ୍ପିଅନ୍‌ସ ଟ୍ରଫି ଜିତିବାରେ ସମର୍ଥ ହୋଇନାହିଁ। ଶେଷ ଥର ଲାଗି ୨୦୧୬ରେ ଉପବିଜେତା ରହିବା ଭାରତର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଲଣ୍ଡନ୍‌ରେ ଅନୁଷ୍ଠିତ ସେହି ସଂସ୍କରଣର ଫାଇନାଲ୍‌ରେ ଅଷ୍ଟେଲିଆଠୁ ସୁଟ୍‌ ଆଉଟ୍‌ରେ ପରାସ୍ତ ହୋଇ ଭାରତ ଟ୍ରଫି ହାତେଇବାରୁ ବଞ୍ଚିତ ହୋଇଥିଲା।ତେବେ ଚଳିତ ବର୍ଷ ପୂର୍ବ ପ୍ରଦର୍ଶନକୁ ଭୁଲି ଦଳ ବେଙ୍ଗାଲୁରୁରେ ନୂଆ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଦୁଇ ଦୁଇଟି ଅଭ୍ୟାସ ଶିବିର ସାରି ନେଦରଲାଣ୍ଡରେ ପହଁଚିଛି। ରାଜ୍ୟଗୋଷ୍ଠୀ ଖରାପ ପ୍ରଦର୍ଶନ ଯୋଗୁଁ ଚାମ୍ପିଅନ୍‌ସ ଟ୍ରଫି ପାଇଁ ଜୋଏର୍ଡ ମାରିନ୍‌ଙ୍କୁ ହଟାଇ ହକି ଇଣ୍ଡିଆ ହରେନ୍ଦ୍ରଙ୍କୁ ପୁରୁଷ ଦଳର ଦାୟିତ୍ୱ ଦେଇଛି। ମାରିନ୍‌ଙ୍କୁ ପୁଣି ଥରେ ତାଙ୍କ ପୂର୍ବସ୍ଥାନ (ମହିଳା ଦଳ)କୁ ଫେରାଇ ନେଇଥିଲା। ଚାମ୍ପିଅନ୍‌ସ ଟ୍ରଫିରେ ବିଶ୍ୱର ଶ୍ରେଷ୍ଠ ୬ ଦଳ ଅଂଶଗ୍ରହଣ କରୁଛନ୍ତି। ଭାରତ ସହ ଅଲିମ୍ପିକ୍‌ ବିଜେତା ଆର୍ଜେଣ୍ଟିନା, ଶୀର୍ଷ ମାନ୍ୟତା ଅଷ୍ଟ୍ରେଲିଆ, ବେଲ୍‌ଜିୟମ, ଆୟୋଜକ ନେଦରଲାଣ୍ଡ ଏବଂ ପାକିସ୍ତାନ ରହିଛନ୍ତି। ପାକିସ୍ତାନ ସହ ଶନିବାର ଭାରତ ଖେଳିବା ପରେ ରବିବାର ଆର୍ଜେଣ୍ଟିନା ସହ ଖେଳିବ। ୨୭ ତାରିଖରେ ଅଷ୍ଟ୍ରେଲିଆ, ୨୮ରେ ବେଲ୍‌ଜିୟମ ଏବଂ ୩୦ରେ ନେଦରଲାଣ୍ଡକୁ ଭେଟି ପ୍ରଥମ ପର୍ଯ୍ୟାୟ ଶେଷ କରିବ। ଏହି ପର୍ଯ୍ୟାୟର ଶ୍ରେଷ୍ଠ ଦୁଇ ଦଳ ସିଧାସଳଖ ଫାଇନାଲ୍‌ ଖେଳିବେ।

ପ୍ରଥମ ମୁକାବିଲାରେ ଭାରତର ପଲ୍ଲା ଭାରି ରହିବାର ସମ୍ଭାବନା ରହିଛି। ବିଶ୍ୱ ମାନ୍ୟତାରେ ପାକିସ୍ତାନ ୧୩ତମ ସ୍ଥାନରେ ରହିଥିଲା ବେଳେ ଭାରତ ଷଷ୍ଠରେ ରହିଛି। ଆମେ ପ୍ରଥମ ମ୍ୟାଚ୍‌ ଜିତିବାକୁ ପୂରା ଚେଷ୍ଠା କରିବୁ। କାରଣ ପ୍ରଥମ ବିଜୟ ପ୍ରତିଯୋଗିତାରେ ତିଷ୍ଠି ରହିବାକୁ ଶକ୍ତି ଓ ମନୋବଳ ଯୋଗାଇବ। ପ୍ରଥମ ମୁକାବିଲା ପାକିସ୍ତାନ ସହ ଥିବାରୁ ସାରା ଦେଶ ଏହାକୁ ନଜରରେ ରଖିଥିବ। ଏହି ଚାପ ନନେଇ ଆମେ ଅନ୍ୟ ଦେଶ ବିପକ୍ଷ ମୁକାବିଲା ପରି ଖେଳିବୁ ଏବଂ ପୁରା ୩ ପଏଣ୍ଟ୍‌ ହାତେଇବାକୁ ଚେଷ୍ଟା କରିବୁ। ଆମେ ଭଲ ଅଭ୍ୟାସ କରି ଏଠାକୁ ଆସିଛୁ। ଭଲ ପ୍ରଦର୍ଶନ ଦେବାକୁ ମଧ୍ୟ ଆଶା ରଖିଛୁ। କୌଣସି ତ୍ରୁଟି ନରଖି ବିପକ୍ଷକୁ ପରାସ୍ତ କରିବାର ରଣନୀତି ପ୍ରସ୍ତୁତ କରି ପଡ଼ିଆକୁ ଦଳ ଓହ୍ଲାଇବ ବୋଲି ହରିନ୍ଦର କହିଛନ୍ତି। ୨୦୧୬ ଏସୀୟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ପାକିସ୍ତାନକୁ ହରାଇ ଭାରତ ବିଜେତା ହୋଇଥିଲା। ଏହି ପ୍ରଦର୍ଶନ ଜାରି ରଖି ଲଣ୍ଡନରେ ଅନୁଷ୍ଠିତ ବିଶ୍ୱଲିଗ୍‌ ସେମିଫାଇନାଲ୍‌ରେ ପାକିସ୍ତନକୁ ହରାଇ ଦେଇଥିଲା। ସେହଭଳି ଢାକାରେ ଖେଳାଯାଇଥିବା ଏସିଆ କପ୍‌ ଫାଇନାଲ୍‌ରେ ପାକିସ୍ତାନକୁ ପରାସ୍ତ କରି ଟ୍ରଫି ଜିତିଥିଲା। କିନ୍ତୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପାକିସ୍ତାନ ମ୍ୟାଚ୍‌ ଅମୀମାଂସିତ କରି ଭାରତ ବିଜୟରେ ରୋକ ଲଗାଇଥିଲା। ପୁଣି ଚାମ୍ପିଅନ୍‌ସ ଟ୍ରଫିରେ ପାକିସ୍ତାନ ତିନିଥର ବିଜେତା ଓ ଥରେ ଉପବିଜେତା ହୋଇଥିବାରୁ ଭାରତ ଚାପରେ ରହିବା ନିଶ୍ଚିତ। ପାକିସ୍ତାନ ୧୯୭୮, ୧୯୮୦ ଓ ୧୯୯୪ରେ ବିଜେତା ହୋଇଥିଲା ବେଳେ ୨୦୧୪ରେ ଉପବିଜେତା ରହିଥିଲା। ଅବଶ୍ୟ ତିନିଥର ଯାକ ଘରୋଇ ପରିବେଶରେ ହିଁ ପାକିସ୍ତାନ ଟ୍ରଫି ହାସଲ କରିଥିବାରୁ ଏଥର ବାହାରେ କିପରି ପ୍ରଦର୍ଶନ କରିବ ତାହା ଦେଖିବାକୁ ରହିଲା।

ସମ୍ବନ୍ଧିତ ଖବର